ଝାରସୁଗୁଡ଼ା: କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଆଜି ଦିନ ସାଢେ଼ ୧୦ଟାରେ ଭୋଟିଂ ହେବାର ଥିଲା। ଏଥିପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ ସଞ୍ଜୀବ କୁମାର ପଟେଲ, ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର ଦିବାକର ମାଝୀ ଓ ପୁଲିସ ଉପସ୍ଥିତ ହୋଇଥିଲେ। କିନ୍ତୁ ଏକ ନାଟକୀୟ ଘଟଣାକ୍ରମରେ ଗତକାଲି ବିଳମ୍ବିତ ରାତିରେ ସରପଞ୍ଚ ଓ ସମିତିସଭ୍ୟମାନେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ସରେଇପାଲି ପୁଲିସ ଦ୍ବାରା ଅଟକ ରହିଥିଲେ। ଦିନ ୧୧ଟା ଯାଏ କୌଣସି ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ନ ହେବାରୁ ବୈଠକ ବାତିଲ କରାଯାଇଥିଲା ଓ ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ଫେରି ଯାଇଥିଲେ। ଓଡ଼ିଶା ପଞ୍ଚାୟତ ସମିତି ଆଇନ୍ ୧୯୫୯ର ଧାରା ୪୬(ବି)୨(ଜି) ଅନୁସାରେ, ଦୁଇ ତୃତୀୟାଂଶରୁ କମ୍ ସଦସ୍ୟ ଉପସ୍ଥିତ ରହିଲେ ସ୍ବତନ୍ତ୍ର ବୈଠକ ବାତିଲ ହେବାର ନିୟମ ରହିଛି। ଯେହେତୁ ଜଣେ ବି ସଦସ୍ୟ ଆସି ନ ଥିଲେ, ତେଣୁ ସ୍ବତନ୍ତ୍ର ବୈଠକ ବାତିଲ୍ କରାଯାଇଥିବା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ସୂଚନା ଦେଇଛନ୍ତି। ଏହି ଆଇନ୍ର ଧାରା ୪୬(ବି)୩(ଏ) ଅନୁସାରେ ନିର୍ଦ୍ଧାରିତ ତାରିଖରେ ସ୍ବତନ୍ତ୍ର ବୈଠକ ହୋଇ ପାରି ନ ଥିବାରୁ ଆଜିଠାରୁ ୧ ବର୍ଷ ଯାଏ ଆଉ ଅନାସ୍ଥା ପ୍ରସ୍ତାବ ଆସିପାରିବନି ବୋଲି ଉପଜିଲ୍ଲାପାଳ ଶ୍ରୀ ପଣ୍ଡା ସ୍ପଷ୍ଟ କରିଛନ୍ତି। ସେପଟେ, ସରେଇପାଲି ପୁଲିସଠାରୁ ନୋଟିସ୍ ପାଇ ଥାନାରୁ ବାହାରିବା ପରେ ସନ୍ଧ୍ୟାରେ ଏହି ସରପଞ୍ଚ, ସମିତି ସଭ୍ୟମାନେ ଛତିଶଗଡ଼ରୁ ବାହାରିଥିବା ଜଣାପଡ଼ିଛି। ଆଜିର ବୈଠକ ରଦ୍ଦ ହେବା ପରେ ବିଗତ ୪ ମାସ ଧରି ଅନାସ୍ଥା ପ୍ରସ୍ତାବକୁ ନେଇ ଲାଗି ରହିଥିବା ରାଜନୀତିରେ ମଧ୍ୟ ଏକପ୍ରକାର ଯବନିକା ପଡ଼ିଛି।
ଛତିଶଗଡ଼ ଯାଇଥିଲା ଲଇକେରା ପୁଲିସ!
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଥାନା ଘେରାଉ
ଆଜିର ସ୍ବତନ୍ତ୍ର ବୈଠକ ପାଇଁ ଗତ ୪ ମାସ ହେବ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟମାନେ ଅଜ୍ଞାତବାସରେ ଥିଲେ। ସେମାନଙ୍କ ମଧ୍ୟରୁ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ଓ ତାଙ୍କ ସହଯୋଗୀଙ୍କ ସମେତ ୯ ଜଣଙ୍କୁ ଗତକାଲିଠାରୁ ଛତିଶଗଡ଼ର ସରେଇପାଲି ପୁଲିସ ଅଟକ ରଖିଥିଲା। ତେବେ ଗତକାଲି ରାତି ସାଢ଼େ ୧୧ଟାରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ପୁଲିସ୍ ସେମାନଙ୍କୁ ଜୋର ଜବରଦସ୍ତ ଅଟକାଇ ରଖିବା ପରେ ମହାସମୁନ୍ଦ ପୁଲିସକୁ ହସ୍ତାନ୍ତର କରିଥିବା ବିଜେଡି ଅଭିଯୋଗ କରିଛି। ଆଜି ହେବାକୁ ଥିବା ଅନାସ୍ଥା ପ୍ରସ୍ତାବର ଭୋଟିଂରୁ ଏହି ସରପଞ୍ଚ, ସମିତି ସଭ୍ୟମାନେ ଯେଭଳି ବିରତ ରହିବେ, ସେ ନେଇ ଲଇକେରା ଥାନାଧିକାରୀ ଦିଲୀପ ବେହେରାଙ୍କର ଏହା ଯୋଜନାବଦ୍ଧ ଷଡ୍ଯନ୍ତ୍ର ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଏହା ପୂର୍ବରୁ ଗତକାଲି ସମ୍ବଲପୁରସ୍ଥିତ ବିଶାଳ ଦାସଙ୍କ ହୋଟେଲ ଡି-ଲଞ୍ଜ୍ରେ ବି ପୁଲିସ୍ ଚଢ଼ାଉ କରିଥିଲା। ଅନାସ୍ଥା ଭୋଟିଂରେ କିର୍ମିରା ପଞ୍ଚାୟତ କାର୍ଯ୍ୟାଳୟରେ ଏହି ସଦସ୍ୟମାନେ ନ ପହଞ୍ଚିଲେ ସେଥିପାଇଁ ପୁଲିସ୍ ହିଁ ଦାୟୀ ରହିବ ବୋଲି ଅଭିଯୋଗ କରି ଆଜି ଦୀପାଳି ଦାସଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଅତିତିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଆସି ମୁଖ୍ୟ ଫାଟକ ନିକଟରୁ ଏହି ଦାବିପତ୍ର ଗ୍ରହଣ କରିଥିଲେ। ସେହିପରି ବିଜେଡି ପକ୍ଷରୁ ଲଇକେରା ଥାନାରେ ଦାବିପତ୍ର ପ୍ରଦାନ କରାଯିବା ସମୟରେ ଏସ୍ଡିପିଓ ଉମାଶଙ୍କର ସିଂ ଦାବିପତ୍ର ଗ୍ରହଣ କରିଥିଲେ।
ଗତକାଲି ଲଇକେରା ପୁଲିସ୍ ଛତିଶଗଡ଼ରେ ପହଞ୍ଚି ସରପଞ୍ଚ, ସମିତିସଭ୍ୟଙ୍କୁ ଅଟକାଇଥିବା ସଂପର୍କରେ ବିଜେଡି ପକ୍ଷରୁ ଆଜି ଅଭିଯୋଗ ହେବା ପରେ ସମ୍ବଲପୁରରେ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ୍ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ। ଏହି ଘଟଣା ସହ ଝାରସୁଗୁଡ଼ା ପୁଲିସ୍ର କୌଣସି ସମ୍ପୃକ୍ତି ନଥିବା ସେ କହିଛନ୍ତି। ନିଖୋଜ ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ଛତିଶଗଡ଼ରେ ହୋଇଥିବା ଝଗଡ଼ା ସମ୍ପୂର୍ଣ୍ଣ ଭିନ୍ନ ଘଟଣା ବୋଲି ଶ୍ରୀ ଲାଲ୍ କହିଛନ୍ତି। ଅନ୍ୟପକ୍ଷରେ ନିଖୋଜ ସଦସ୍ୟ ଉଦ୍ଧାର ହୋଇଛନ୍ତି ନା ନାହିଁ, ସେ ବିଷୟରେ ପୁଲିସ କୌଣସି ସୂଚନା ପ୍ରଦାନ କରିନାହିଁ। କିଛିଦିନ ତଳେ ଲଇକେରା ଥାନାରେ ୫ଟି ଏମ୍ଏମ୍ଆର (ମ୍ୟାନ୍ ମିସିଂ ରିପୋର୍ଟ) ହୋଇଥିଲା। ଯେଉଁଥିରେ କିର୍ମିରା ସମିତିସଭ୍ୟା ବାସନ୍ତୀ ଧୁରୁଆ, ତାଙ୍କ ସ୍ବାମୀ ରମେଶଚନ୍ଦ୍ର ଧୁରୁଆ, ଅର୍ଡା ସମିତିସଭ୍ୟ ଗୁଲାପି ଗର୍ଡିଆ, ଜି ପାନପାଲି ସମିତିସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ ଓ ଅର୍ଡା ସରପଞ୍ଚ ବୀଣାପାଣି ପୋଢ଼ଙ୍କ ନାମ ରହିଥିଲା। ତେବେ ଏହିସବୁ ନିଖୋଜ ବ୍ୟକ୍ତି ଛତିଶଗଡ଼ରେ ଥିବା ନେଇ ଟ୍ରାକିଂରୁ ଜଣାପଡ଼ିବା ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଗତକାଲି ଲଇକେରା ପୁଲିସ୍ ଛତିଶଗଡ଼ ଯାଇଥିବା ସୂଚନା ମିଳିଛି।
ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗତକାଲି ରାତିରୁ ବିଶାଳ ଦାସଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟମାନେ ସରେଇପାଲି ପୁଲିସ୍ ଦ୍ବାରା ଅଟକ ଥିବାରୁ ଆଜି ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂରେ ସେମାନେ ଯୋଗ ଦେଇପାରିନାହାନ୍ତି। ତେଣୁ ଏ ପ୍ରସଙ୍ଗରେ ଦୃଷ୍ଟି ଦେଇ ସେମାନଙ୍କୁ ମୁକ୍ତ କରିବାକୁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏଙ୍କୁ ଅନୁରୋଧ କରିଥିଲେ। କେବଳ ସେତିକି ନୁହେଁ, ସମସ୍ତେ ଯେପରି ସୁରକ୍ଷିତ ଭାବେ ଓଡ଼ିଶା ସୀମାରେ ପହଞ୍ଚିବେ ସେଥିପ୍ରତି ଧ୍ୟାନ ଦିଆଯିବାକୁ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/11/B9RlwD9AJZqrt1Uu6Cem.jpg)