ବାଘୁନା ଡିଭିଜନରେ ସାମିଲ ହେଲେ ନୂଆ କ୍ୟାଡର୍ଟ, ସୀମାନ୍ତରେ ହାଇଆଲର୍ଟ, କମ୍ବିଂ ଜୋରଦାର

୩ ଜିଲ୍ଲାର ସଂଯୋଗ ପଥ ଟ୍ରାଇ ଜଙ୍କସନ ଉପରେ ଯବାନଙ୍କ କଡ଼ା ନଜର

ରାୟଗଡ଼ା: ଆନ୍ଧ୍ର-ଓଡ଼ିଶା ବୋର୍ଡର ଡିଭିଜିନାଲ କମିଟି ଦ୍ବାରା ପରିଚାଳିତ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନରେ ସାମିଲ ହୋଇଛନ୍ତି ନୂଆ କ୍ୟାଡର। ରାୟଗଡ଼ା-କନ୍ଧମାଳ-କଳାହାଣ୍ଡିରେ ସକ୍ରିୟ ଥିବା ବାଘୁନା ଡିଭିଜନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆନ୍ଧ୍ର ଓ ଛତିଶଗଡ଼ କ୍ୟାଡରକୁ ସାମିଲ କରିଛି ଡିଭିଜିନାଲ କମିଟି। ପୂର୍ବରୁ ବାଘୁନା ଡିଭିଜନ ଓଡ଼ିଶା କ୍ୟାଡର୍ ମାଓ ନେତା ନିଖିଲ ଓ ବଣ୍ଟି ଦ୍ବାରା ପରିଚାଳିତ ହେଉଥିଲା। ଏବେ ନୂଆ କ୍ୟାଡର ସାମିଲ ପରେ ତିନି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ବଢ଼ିଛି। ରାୟଗଡ଼ା-କନ୍ଧମାଳ-କଳାହାଣ୍ଡିକୁ ସଂଯୋଗ କରୁଥିବା ଟ୍ରାଇ ଜଙ୍କସନ ଦେଇ ମାଓବାଦୀ ଚଳ ପ୍ରଚଳ କରୁଥିବାରୁ ଗତିବିଧି ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ନିର୍ଦେଶ ହୋଇଛି। କମ୍ବିଂ ଅପରେସନରେ ରାୟଗଡ଼ା-କନ୍ଧମାଳ ଦୁଇ ଜିଲ୍ଲାର ଡିଭିଏଫ୍, ଏସଓଜି ଯବାନ ସାମିଲ ହୋଇଥିବା ବେଳେ ଆଜି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ। ଯବାନଙ୍କ ନିଶାଣରୁ ମାଓବାଦୀ ଅଳ୍ପକେ ଖସି ଯାଇଛନ୍ତି। ଦୁଇଟି ଟିମରେ ବିଭକ୍ତ ହୋଇ ବାଘୁନା ଡିଭିଜନର ମାଓବାଦୀ ବୁଲୁଥିବାରୁ ଠାବ କରିବାକୁ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସେପଟେ ନୂଆପଡ଼ା ଜିଲ୍ଲାରେ ମାଓବାଦୀ ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଥିବାରୁ ହାଇଆଲର୍ଟ ଜାରି କରାଯାଇଛି। କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତକୁ ଯବାନ ସିଲ କରିଛନ୍ତି। କନ୍ଧମାଳ ଜିଲ୍ଲାର ବେଲଘର, ରାୟଗଡ଼ା ଜିଲ୍ଲାର ଅମ୍ବାଦଳା, କଳାହାଣ୍ଡି ଜିଲ୍ଲାର ଏମ. ରାମପୁର ଥାନା ପୁଲିସ ମଧ୍ୟ ଗୁଇନ୍ଦା ସୂଚନାକୁ ଆଧାର କରି ମାଓବାଦୀଙ୍କ ଉପରେ ନଜର ରଖିଛି। କନ୍ଧମାଳ, କଳାହାଣ୍ଡିରେ ଅଘଟଣରେ ଘଟାଇବା ପରେ ପୁଲିସ ଆକ୍ରମଣରୁ ବର୍ତ୍ତିବା ପାଇଁ ମାଓବାଦୀ ସୁରକ୍ଷିତ ସ୍ଥାନ ଭାବେ କଲ୍ୟାଣସିଂହପୁର ନିୟମଗିରି ପର୍ବତକୁ ବାଛି ନେଇଛନ୍ତି। ମୁନିଗୁଡ଼ା-ବିଷମକଟକ-କଲ୍ୟାଣସିଂହପୁର ବ୍ଲକ ସମେତ କଳାହାଣ୍ଡିକୁ ନିୟମଗିରି ପାର୍ବତ୍ୟାଞ୍ଚଳ ଲମ୍ବିଥିବାରୁ ପୁଲିସ ଓ ଯବାନ ମାଓବାଦୀଙ୍କୁ ଠାବ କରିବାରେ ସକ୍ଷମ ହୋଇ ପାରୁନାହାନ୍ତି। ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନାରୁ ୨୨ କିମି ଦୂରରେ ରହିଛି ରଘୁବାରି ପଞ୍ଚାୟତ। ତିନି ମାଓ ପ୍ରବଣ ଜିଲ୍ଲାକୁ ମାଓବାଦୀଙ୍କ ଯାତାୟାତ ପାଇଁ ଟ୍ରାଇ ଜଙ୍କସନ ପାଲଟିଛି ରଘୁବାରି-ଡିମିରିଗୁଡ଼ା ଅଞ୍ଚଳ। ମାଓ ଦମନ ଅଭିଯାନକୁ ଜୋରଦାର୍ କରିବାକୁ ଡିମିରିଗୁଡାରେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର। କ୍ୟାମ୍ପ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଶହେରୁ ଉର୍ଦ୍ଧ୍ବ ଯବାନଙ୍କୁ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି।

ରାୟଗଡ଼ା ଜିଲ୍ଲାରେ ମାଓ କାର୍ୟ୍ୟକଳାପ ପ୍ରଭାବହୀନ ରହିଛି। କିନ୍ତୁ ବାଘୁନା ଡିଭିଜନ ସଦସ୍ୟ ରାୟଗଡ଼ାକୁ ଟ୍ରାନଜିଟ ପଏଣ୍ଟ କରି କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ କ୍ରମାଗତ ଭାବେ ଅଘଟଣ ଘଟାଇ ଚାଲିଛନ୍ତି। କନ୍ଧମାଳ ଜିଲ୍ଲାର କୋଟଗଡ଼ରେ ଏବଂ କଳାହାଣ୍ଡି ଜିଲ୍ଲାର ଏମ୍. ରାମପୁର, ତ୍ରିଲୋଚନପୁରରେ ରହିଛି ସିଆରପିଏଫ କ୍ୟାମ୍ପ। ଯବାନଙ୍କ କମ୍ବିଂ, ସର୍ଚ୍ଚ ଅପରେସନ ଜୋରଦାର ପରେ ଗତ ୩ ବର୍ଷ ଧରି ବାଘୁନା ଡିଭିଜନ ଦୁର୍ବଳ ହୋଇ ପଡିଥିଲା। ମାଓ ନେତା ନିଖିଲ, ବଣ୍ଟି ନୂଆ ସଦସ୍ୟଙ୍କୁ ସଂଗଠନରେ ସାମିଲ କରିବାକୁ ଗାଁକୁ ଗାଁ ବୁଲି ଯୁବକ, ଯୁବତୀଙ୍କୁ ପ୍ରବର୍ତ୍ତାଇଥିଲେ ମଧ୍ୟ ସଫଳ ହୋଇପାରିନଥିଲେ।

କନ୍ଧମାଳରେ ମାଓ ସଂଗଠନକୁ ଲୋକଙ୍କ ସମର୍ଥନ ମିଳିନଥିବା ବେଳେ ୨୦୨୦ରେ ପୁଲିସ ଏନକାଉଣ୍ଟରରେ ବାଘୁନା ଡିଭିଜନର ୪ ମାଓବାଦୀ ନିହତ ହୋଇଥିଲେ। ସେହିପରି ଡିସେମ୍ବର ପୁଲିସ ଏନକାଉଣ୍ଟରରେ ଆଉ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ୨୦୨୧ ଜୁନ ମାସରେ ରାୟଗଡ଼ା-କନ୍ଧମାଳ ସୀମାନ୍ତରେ କମ୍ବିଂ ଅପରେସନ ସମୟରେ ପୁଲିସ-ମାଓବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଯବାନ ଆହତ ହୋଇଥିଲେ। ଏହା ପରେ ମାଓ ସଂଗଠନ ରକ୍ତ ମୁଖା ହୋଇ ପୁଲିସ ଇନଫର୍ମର ସନ୍ଦେହରେ ଅମ୍ବାଦଳା ଥାନା ଡିମିରିଗୁଡା ପଞ୍ଚାୟତ ଟିକରପଡା ଗ୍ରାମରକ୍ଷୀକୁ ପୁଲିସ ଇନଫର୍ମର ସନ୍ଦେହରେ ଗୁଳି କରି ହତ୍ୟା କରିଥିଲେ। ସେହିପରି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଭଣ୍ଡରଙ୍ଗି ପଞ୍ଚାୟତ ସରପଞ୍ଚଙ୍କ ପୁଅ ସମେତ ମାଓବାଦୀ ୨ ଜଣଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର