ସ୍କୁଲ୍ ଫି ଛାଡ଼ ସଂପର୍କିତ ଜନସ୍ବାର୍ଥ ମାମଲା : ଆପୋଷ ସମାଧାନ ଲାଗି ପରାମର୍ଶ ଦେଲେ ହାଇକୋର୍ଟ
କଟକ: ସ୍କୁଲ୍ ଫି ଛାଡ଼ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଆଜି ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ବାହାର କରିବାକୁ ପରାମର୍ଶ ଦେଇଛନ୍ତି। ଅଭିଭାବକ ମହାସଂଘ ପକ୍ଷରୁ କୋଭିଡ୍ କାରଣରୁ ଘରୋଇ ସ୍କୁଲ୍ଗୁଡ଼ିକ ଫି ଛାଡ଼ କରନ୍ତୁ ବୋଲି ଦାବି ଜଣାଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହାର ପ୍ରାଥମିକ ଶୁଣାଣି କରି ହାଇକୋର୍ଟ କନ୍ଫରେନ୍ସ ଅଫ୍ ପବ୍ଲିକ୍ ସ୍କୁଲ୍ସକୁ ପକ୍ଷ ରଖିବାକୁ ନୋଟିସ୍ ଜାରି କରିଥିଲେ। କନ୍ଫେଡେରେସନ୍ ପକ୍ଷରୁ ଫି ଛାଡ଼ ସମ୍ଭବ ନୁହେଁ ବୋଲି ଦର୍ଶାଯାଇଥିଲା। ସେହିପରି ଏହି ମାମଲାରେ ରାଜ୍ୟ ଘରୋଇ ସ୍କୁଲ ଶିକ୍ଷକ ସଂଘ ମଧ୍ୟ ପକ୍ଷଭୁକ୍ତ ହେବାକୁ ଆବେଦନ କରିଥିଲା।
ଆଜି ଏହି ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଠିସ ମହମ୍ମଦ ରଫିକଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଅପୋଷ ଆଲୋଚନା ମାଧ୍ୟମରେ ସମାଧାନ ଲାଗି ପରାମର୍ଶ ଦେଇଛନ୍ତି। ଖଣ୍ଡପୀଠ ରାଜ୍ୟ ଗଣଶିକ୍ଷା ବିଭାଗର ସଚିବଙ୍କ ମଧ୍ୟସ୍ଥତାରେ ଅଭିଭାବକ ମହାସଂଘ, କନ୍ଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲ୍ସ, ସ୍କୁଲ କର୍ତ୍ତୃପକ୍ଷ ଏବଂ ଅନ୍ୟ ପକ୍ଷଭୁକ୍ତଙ୍କ ଏକ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଆପୋଷ ସମାଧାନ ଲାଗି ପ୍ରୟାସ କରିବାକୁ କହିଛନ୍ତି ହାଇକୋର୍ଟ । ଏଥିସହ ବୈଠକର ନିର୍ଯାସ ଆଧାରିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ଏହି ବୈଠକର ରିପୋର୍ଟ ଆସିବା ପରେ ହାଇକୋର୍ଡ ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ବୋଲି ଜଣାପଡ଼ିଛି।