ଅନିଚ୍ଛା ସତ୍ତ୍ବେ ନାବାଳିକାଙ୍କ ଗର୍ଭଧାରଣ ପ୍ରସଂଗ: ପୀଡିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଡାକ୍ତରୀ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡିଏମଇଟିଙ୍କ ସହିତ ଏସସିବିର ତିନି ବିଭାଗୀୟ ମୁଖ୍ୟ ଓ ବିଶେଷଜ୍ଞଙ୍କୁ ନେଇ ଗଠନ ହେବ କମିଟି

କଟକ: ଅନିଚ୍ଛା ସତ୍ବେ ଗର୍ଭବତୀ ହୋଇଥିବା ନାବାଳିକାଙ୍କ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ପୀଡିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ, ଏସସିବି ମେଡିକାଲ କଲେଜର ଭେଷଜ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ରୋଗ ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନଙ୍କ ସହିତ ଜଣେ ମନସ୍ତତ୍ବବିତ୍, ଜଣେ ନିଶ୍ଚେତକ ବିଶେଷଜ୍ଞ ଓ ଜଣେ ରେଡିଓଲୋଜିଷ୍ଟଙ୍କୁ ନେଇ ଏହି କମିଟି ଗଠନ ହେବ। ଏହି କମିଟିରେ ଥିବା ଡାକ୍ତରମାନେ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବେ। ପୀଡିତାଙ୍କ ମାନସିକ ଓ ଶରୀରିକ ଅବସ୍ଥାକୁ ଦୃଷ୍ଟିରେ ରଖି ଗର୍ଭଧାରଣ ଜାରି ବାଞ୍ଛନୀୟ ବା ନୁହେଁ ସେ ନେଇ ରିପୋର୍ଟରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର କମିଟି ପୀଡିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ତାଙ୍କ ସହିତ ଆଲୋଚନା କରିବେ ଓ ଏ ସଂପର୍କିତ ରିପୋର୍ଟ ଆଡଭୋକେଟ ଜେନେରାଲଙ୍କ ଜରିଆରେ ଦାଖଲ କରିବେ। ଏ ସଂପର୍କିତ ରିପୋର୍ଟ ଡିସେମ୍ବର ୧୪ରେ ହାଇକୋର୍ଟରେ ଉପସ୍ଥାପନ କରାଯିବ। ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ହାଇକୋର୍ଟଙ୍କ ଡିସେମ୍ବର ୭ର ନିର୍ଦ୍ଦେଶ ଅନୁସାରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ପୀଡିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଏ ସଂପର୍କିତ ରିପୋର୍ଟ ଦାଖଲ କରିଥିଲେ। ଆଜି ମାମଲାର ଶୁଣାଣି ସମୟରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଯେଉଁ ସବୁ ପ୍ରସଂଗରେ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ ତାହାର ଉତ୍ତର ଡାକ୍ତରୀ ଦଳଙ୍କ ଏହି ରିପୋର୍ଟରୁ ମିଳି ପାରି ନଥିଲା। ଏହାପରେ ଖଣ୍ଡପୀଠ ପୀଡିତାଙ୍କ କମ୍ ବୟସକୁ ବିଚାରକୁ ନେଇ ଡିଏମଇଟିଙ୍କୁ ନେଇ କମିଟିକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୀଡିତା ଅନିଚ୍ଛା ସତ୍ବେ ଗର୍ଭବତୀ ହୋଇଥିବା ବେଳେ ଗର୍ଭପାତ ପାଇଁ ଅନୁମତି ଲୋଡି ହାଇକୋର୍ଟରେ ଆବେଦନ କରାଯାଇଥିଲା। ମାମଲାର ଶୁଣାଣି ସମୟରେ ପୀଡିତା ଦର୍ଶାଇଥିଲେ‌ ଯେ  କମ୍ ବୟସ ଓ ଅପରିପକ୍ବ ସ୍ଥିତିରେ ସେ ଗର୍ଭବତୀ ହୋଇଛନ୍ତି। ସେ ଏହି ଗର୍ଭ ଧାରଣ କରିବାକୁ ଚାହାନ୍ତି ନାହିଁ। ଯଦି ଗର୍ଭପାତ ପାଇଁ ତାଙ୍କୁ ଅନୁମତି ନ ଦିଆଯାଏ ତେବେ ତାଙ୍କ ଶିକ୍ଷାଗ୍ରହଣ ବାଧାପ୍ରାପ୍ତ ହେବ ଓ ସେ ବହୁ ଅସୁବିଧାର ସମ୍ମୁଖୀନ ‌ହେବେ। ଅନ୍ୟପକ୍ଷ‌ରେ ପୀଡିତାଙ୍କ ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ନଭେମ୍ବର ୧୧ରେ ସେ ୧୮ ସପ୍ତାହର ଗର୍ଭବତୀ ଥିଲେ। ଅନ୍ୟପକ୍ଷରେ ୨୦ ସପ୍ତାହର ଗର୍ଭ ନଷ୍ଟ ପାଇଁ ଆଇନ ଅନୁମତି ଦେଉଥିବା ବେଳେ ପୀଡିତାଙ୍କ ପ୍ରସଂଗ ଏହି ଅବଧି ଅତିକ୍ରମ କରି ସାରିଛି। ଏଭଳି ସ୍ଥିତିରେ ଡିସେମ୍ବର ୭ରେ ଖଣ୍ଡପୀଠ ମାମଲାର ଶୁଣାଣି କରି ତୁରନ୍ତ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରି ରିପୋର୍ଟ ଦାଖଲ ପାଇଁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗର୍ଭପାତ ଦ୍ବାରା ପୀଡିତାଙ୍କ ଜୀବନ ଓ ସ୍ବାସ୍ଥ୍ୟପ୍ରତି ବିପଦ ରହିଛି କି ନାହିଁ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଂଗ ପୀଡିତଙ୍କ ଜୀବନ ସହିତ ଜଡିତ ଥିବା ବେଳେ ମାନସିକ ଓ ଶାରୀରିକ ସ୍ଥିତିକୁ ଦୃଷ୍ଟିରେ ରଖି ଗର୍ଭଧାରଣ ଜାରି ରହିବ ବା ନାହିଁ ସେ ନେଇ ଡାକ୍ତର ପରାମର୍ଶ ଦେବେ ବୋଲି ଡିସେମ୍ବର ୭ରେ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର