କଟକ: ଅର୍ଚ୍ଚନା ନାଗ ମାମଲାରେ ଜବାବ ଦାଖଲ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅର୍ଚ୍ଚନାଙ୍କ ନିୟମିତ ଜାମିନ ଆବେଦନର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ଜବାବ ଦାଖଲ ପାଇଁ ଇଡିକୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ପୂର୍ବରୁ ବିଚାରାଧୀନ ଥିବା ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନ ସହିତ ଅର୍ଚ୍ଚନାଙ୍କ ମାମଲାର ଜୁନ୍ ୨୬ରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କ ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା।
ଏହି ମାମଲା ରୁଜୁ ହେବା ପରେ ଅର୍ଚ୍ଚନାଙ୍କ ବେଆଇନ କାର୍ଯ୍ୟକଳାପ ଓ କଳାଟଙ୍କା ପ୍ରସଙ୍ଗ ସମ୍ମୁଖକୁ ଆସିଥିଲା। ଅର୍ଚ୍ଚନାଙ୍କ କାରବାରରେ ଜଗବନ୍ଧୁଙ୍କ ସମ୍ପୃକ୍ତି ନେଇ ଜଣା ପଡିଥିଲା। ଅର୍ଚ୍ଚନାଙ୍କ କଳାଟଙ୍କା ପ୍ରସଙ୍ଗରେ ଇଡି ତଦନ୍ତ ଆରମ୍ଭ କରିଥିଲା। ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଅର୍ଚ୍ଚନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅର୍ଚ୍ଚନାଙ୍କ ତରଫରୁ ଆଇନଜୀବୀ ବିଶ୍ବଚନ୍ଦନ ମହାନ୍ତି ଓ ଇଡି ପକ୍ଷରୁ ଆଇନଜୀବୀ ଗୋପଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।