ଓଡ଼ିଶା ପ୍ରବେଶ ପୂର୍ବରୁ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ : ଓଡ଼ିଶା ଫେରିବାକୁ ଥିବା ପ୍ରବାସୀଙ୍କ କରୋନା ଭୂତାଣୁ ପରୀକ୍ଷା ହେବ। ଟେଷ୍ଟ ନେଗେଟିଭ୍ ବାହରିଲେ ସେମାନଙ୍କୁ ରାଜ୍ୟକୁ ଫେରିବାକୁ ଅନୁମତି ଦିଆଯିବ। ପ୍ରବାସୀଙ୍କୁ ଓଡ଼ିଶାକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ବିରୋଧରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଜି ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ପରିବହନ ଗାଡିରେ ଚଢିବା ପୂର୍ବରୁ ଓଡ଼ିଶା ଆସିବାକୁ ଧାଡିରେ ଥିବା ସମସ୍ତ ସ୍ଥାନାନ୍ତରଗାମୀ ବ୍ୟକ୍ତି ବିଶେଷଙ୍କ କୋଭିଡ-୧୯ ଟେଷ୍ଟ ନେଗେଟିଭ୍ ବୋଲି ରାଜ୍ୟ ସରକାର ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଏହି ମାମଲାରେ ଆବଶ୍ୟକ ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସମାଜସେବୀ ନାରାୟଣ ଚନ୍ଦ୍ର ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ବାହାର ରାଜ୍ୟରେ ରହୁଥିବା ବ୍ୟକ୍ତିବିଶେଷଙ୍କ ଅଗମନ ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏବେ ସ୍ଥିତି ଚିନ୍ତାଜନକ ଅବସ୍ଥାରେ ରହିଛି। ଶୁଣାଣି ସମୟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଦର୍ଶାଇଥିଲେ ଯେ ପ୍ରବାସୀମାନେ ରାଜ୍ୟକୁ ଫେରିବା ପୂର୍ବରୁ ସଂକ୍ରମିତ ଥିବା ଭଳି ତଥ୍ୟରୁ ସ୍ପଷ୍ଟ ହେଉଛି। ତେଣୁ ଫେରାଇ ଆଣିବା ପୂର୍ବରୁ ପ୍ରବାସୀଙ୍କ କରୋନା ପରୀକ୍ଷା କରାଯିବା ଉପରେ ଗୁରୁତ୍ବାରୋପ କରାଯିବା ଉଚିତ।

ମାମଲାର ବିବରଣୀରୁ ପ୍ରକାଶ ଯେ ବାହର ରାଜ୍ୟରେ ରହୁଥିବା ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏପରି ନିଷ୍ପତ୍ତିକୁ ବିରୋଧ କରି ଶ୍ରୀ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ କରୋନା ଭୂତାଣୁ ପାଇଁ କୌଣସି ଟିକା ବହାରି ନଥିବା ବେଳେ ଏହାକୁ ବ୍ୟାପୀବାରୁ ‌ରୋକିବାକୁ ସାମାଜିକ ଦୂରତ୍ବ ଏକମାତ୍ର ବାଟ। କରୋନାର ଚେନ୍‌କୁ ଭାଙ୍ଗିବା ପାଇଁ ଦେଶ ସାରା ଲକ୍‌ଡାଉନ ଘୋଷଣା କରାଯାଇଛି ଓ ଯିଏ ଯେଉଁଠି ଅଛନ୍ତି ସେଠାରେ ଘ‌ର ଭିତରେ ରହିବାକୁ କୁହାଯାଇଛି। କିନ୍ତୁ ରାଜ୍ୟ ସରକାର ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ଶ୍ରମଜୀବୀ ଓ ବିଦ୍ୟାର୍ଥୀଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କରୋନା ଭୂତାଣୁକୁ ନେଇ ଦେଖା ଦେଇଥିବା ଏପରି ପରିସ୍ଥିତିରେ ଏହି ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏହାଦ୍ବାରା ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ରହିଥିବା ନିୟମ ଉଲ୍ଲଂଘନ ହେବ। ଯେଉଁ ଉଦ୍ଦେଶ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି ସେ ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ନାହିଁ। କିଛି ଲୋକଙ୍କ ପାଇଁ ସମଗ୍ର ରାଜ୍ୟବାସୀ ଅସୁବିଧାରେ ପଡ଼ିବେ। ପ୍ରାୟ ୫ଲକ୍ଷ ଲୋକ ରାଜ୍ୟକୁ ଫେରିବାକୁ ପଞ୍ଜୀକରଣ କରିଥିବା ବେଳେ ଏହାଦ୍ବାରା ସାରା ରାଜ୍ୟରେ କରୋନା ବ୍ୟାପୀବାର ସମ୍ଭାବନା ରହିଛି। ବାହାର ରାଜ୍ୟରେ ରହୁଥିବା ଓଡ଼ିଆଙ୍କ ପାଇଁ ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନା କରୁଛନ୍ତି। ବାହାର ରାଜ୍ୟରେ ରହୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ଭିତରକୁ ନ ଆଣିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କୁ ସରକାର ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରି ସୁରକ୍ଷିତ ଭାବେ ସେଠାରେ ରହିବାକୁ କୁହନ୍ତୁ। ଏହାଦ୍ବାରା ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ ହେବ ବୋଲି ଆବେଦନରେ ଦର୍ଶାଯାଇଛି।

 

ସମ୍ବନ୍ଧିତ ଖବର