ଶୈଳବାଳା ମହିଳା କଲେଜର ଜମି ଅଧିଗ୍ରହଣ ବିରୋଧରେ ଦାୟର ମାମଲାକୁ ଖାରଜ କଲେ ହାଇକୋର୍ଟ

କଟକ: କଟକ ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ କଟକ ଶୈଳବାଳା ମହିଳା କଲେଜର ଜମି ଅଧିଗ୍ରହଣ ବିରୋଧରେ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ପୁରାତନ ଛାତ୍ରୀ ସଂଘର ଆବେଦନକକୁ ଖାରଜ କରିଛନ୍ତି। ହାଇକୋର୍ଟରେ କଟକ ଜିଲ୍ଲାପାଳ ଦାଖଲ କରିଥିବା ସତ୍ୟପାଠ ଓ କଟକ ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ବିବରଣୀରୁ ସ୍ପଷ୍ଟ ହୋଇଥିଲା ଯେ କଲେଜ ଖେଳ ପଡିଆ ଭାବେ ବ୍ୟବହୃତ ହେଉଥିବା କିଛି ଜମିକୁ ସର୍ବସାଧାରଣ ରାସ୍ତା ସଂପ୍ରସାରଣ ପାଇଁ ବ୍ୟବହାର ଲାଗି ଯୋଜନା ରହିଛି। ଏଥିପାଇଁ କଲେଜ ଲାଗି ବିଳଳ୍ପ ଖେଳ ପଡ଼ିଆ ବ୍ୟବସ୍ଥା କରାଯିବ। ପ୍ରକୃତରେ କଲେଜ ଖେଳପଡିଆର ଆକାର ବୃଦ୍ଧି ପାଇବ ବୋଲି ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ କଲେଜ ଜମିର କୌଣସି ଅଂଶ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେବାକୁ ନାହିଁ। କେବଳ ସର୍ବସାଧାରଣ ରାସ୍ତାର ସଂମ୍ପ୍ରସାରଣ ପାଇଁ କଲେଜର ଜମି ବ୍ୟବହାର କରାଯିବ। ଏଥିସହିତ ଏବେ ରହିଥିବା ଖେଳପଡ଼ିଆ ବ୍ୟବସ୍ଥା ଅଧିକ ବୃଦ୍ଧି ପାଇବ। ଏଭଳି ସ୍ଥିତିରେ ଆବେଦନକାରୀଙ୍କ ଆଶଙ୍କାର କୌଣସି ଆଧାର ନାହିଁ ବୋଲି ହାଇକୋର୍ଟ କହିବା ସହିତ ‌ଶୌଳବାଳା ମହିଳା ସ୍ବୟଂଶାସିତ କଲେଜ ପୁରାତନ ଛାତ୍ରୀ ସଂଘ (ଆଲୁମିନି) ଆବେଦନକୁ ଖାରଜ କରିଛନ୍ତି। ଏଠାରେ ଉଲ୍ଲେଖ‌ଯୋଗ୍ୟ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ମାମଲାରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଶୈଳବାଳା ମହିଳା କଲେଜର ଖେଳପଡ଼ିଆର ଅଂଶ ରକ୍ଷିତ ଖାତା ନମ୍ବର ୬୭୪ ଓ ପ୍ଳଟ୍‌ ନମ୍ବର ୪୫ରେ ରହିଛି। ଏହା ଏକ ସରକାରୀ ଜମି। ଏହି ସରକାରୀ ପ୍ଲଟ୍‌ ୩ ଏକର ୪୫୦ ଡିସିମିଲ୍‌ ହୋଇଥିବା ବେଳେ ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସ୍କେଚ୍ ମ୍ୟାପ୍ ଅନୁସାରେ ଏଥିରୁ ୫୫୭ ଡିସିମିଲ ଜମି ରାସ୍ତା ସ୍ଥାନାନ୍ତର ପାଇଁ ବ୍ୟବହାର ହେବ। ଏହାଦ୍ବାରା ମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡି ପାର୍କିଂ ପାଇଁ ସ୍ଥାନ ମିଳି ପାରିବ।

କଲେଜ ଖେଳପଡ଼ିଆର ଏହି କ୍ଷତିଭରଣା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏବେ ଖେଳପଡ଼ିଆକୁ ପାଖରେ ଥିବା ୧ ଏକର ୮୭୧ ଡିସିମିଲ୍‌ ଆକାର ବିଶିଷ୍ଟ ଆଉ ଏକ ପ୍ଲଟ୍‌ ସହିତ ମିଶାଇ ଦିଆଯିବ। ଫଳରେ କଲେଜ ଖେଳପଡ଼ିଆ ଆକାର ବୃଦ୍ଧି ପାଇବ। ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ଏକ ପ୍ରକଳ୍ପ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଜୁନ୍‌ ୧୭ରେ ଅନୁଷ୍ଠିତ କମିଟି ବୈଠକରେ ଶୈଳବାଳା ମହିଳା କଲେଜର ଉନ୍ନତୀକରଣ ପ୍ରସଂଗରେ ମଧ୍ୟ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। କଲେଜର ନବୀକାରଣ ଓ ଉନ୍ନତୀକରଣ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ୬ କୋଟି ୩୫ ଲକ୍ଷ ଟଙ୍କା ଓ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷ ଟଙ୍କା ଏଥି ପାଇଁ ବ୍ୟୟ କରାଯିବ। ଏଥି ସହିତ କଲେଜକୁ ମାତାମଠ ପାଖ ହାଡ଼ିଆପଠାରେ ୫ ଏକର ଜମି ଦିଆଯିବା ପାଇଁ ପ୍ରସ୍ତାବ ରହିଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ, ଶୈଳବାଳା ମହିଳା କଲେଜର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଚଣ୍ଡୀମନ୍ଦିର ଉନ୍ନତୀକରଣ ପାଇଁ ଏଥିରୁ କିଛି ଜମି ବ୍ୟବହାର ନେଇ ସ୍ପଷ୍ଟ ହୋଇଥିଲା।

ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ କଲେଜର ଜମି ଅଧିଗ୍ରହଣକୁ ବିରୋଧ କରି ଦାୟର ଏହି ଆବେଦନରେ ଦର୍ଶାଯାଇଥିଲା ଯେ କଲେଜ ଜମିର କିଛି ଅଂଶ ଅଧିଗ୍ରହଣ ପାଇଁ ସରକାର ନିଷ୍ପତ୍ତି ନେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ‌ନାରୀଶିକ୍ଷା କ୍ଷେତ୍ରରେ ଏହା ରାଜ୍ୟର ଏକ ପ୍ରମୁଖ ଅନୁଷ୍ଠାନ ହୋଇଥିବା ବେଳେ ପ୍ରାୟ ଅଢେଇ ହଜାର ଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ୟୁଜିସି ନାକ୍ କଲେଜକୁ ଏ’ ଗ୍ରେଡ୍ ମାନ୍ୟତା ପ୍ରଦାନ କରିଥିଲା। କଲେଜ ଜମି ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯିବା ଅନୁଷ୍ଠାନ ତଥା ଛାତ୍ରୀଙ୍କ ସ୍ବାର୍ଥର ପରିପନ୍ଥୀ। ନାରୀଶିକ୍ଷାର ପ୍ରସାର ପାଇଁ ଥିବା ଏହି ଜମିକୁ ଧାର୍ମିକ କାର୍ଯ୍ୟରେ ବ୍ୟବହାର ପାଇଁ ସରକାର ଅନୁମତି ଦେବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଜୁନ୍ ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ, କଟକ ଜିଲ୍ଲାପାଳ ଓ ଶୈଳବାଳା ମହିଳା ସ୍ବୟଂଶାସିତ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଚଣ୍ଡୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ଯଦି ଶୈଳବାଳା କଲେଜରେ ଜମି ବ୍ୟବହାର କରାଯାଉଥାଏ ତେବେ କଲେଜ ଓ ଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହା ବଦଳରେ କଲେଜକୁ ଜମି ପ୍ରଦାନ/ ବିକଳ୍ପ ସୁବିଧା ନେଇ କ’ଣ ବ୍ୟବସ୍ଥା କରାଯାଇଛି ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟ ଜୁନ୍‌ ୨ରେ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର