ହାଇକୋର୍ଟଙ୍କ ପକ୍ଷରୁ କୋର୍ଟ କାର୍ଯ୍ୟ ପ୍ରସଙ୍ଗରେ ସାନି ନିର୍ଦ୍ଦେଶନାମା, ସପ୍ତାହର ସମସ୍ତ ପାଞ୍ଚଟି କାର୍ଯ୍ୟ ଦିବସରେ ବସିବ ଉଚ୍ଚ ନ୍ୟାୟାଳୟ

କଟକ : ‘କରୋନା’ ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ପକ୍ଷରୁ କୋର୍ଟ କାର୍ଯ୍ୟ ପ୍ରସଙ୍ଗରେ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ହାଇକୋର୍ଟ ସପ୍ତାହର ସମସ୍ତ ପାଞ୍ଚଟି କାର୍ଯ୍ୟ ଦିବସରେ ବସିବ (ମେ’ ୨୨ ତାରିଖକୁ ଏଥିରୁ ବାଦ ଦିଆଯାଇଛି)। ପ୍ରତି କାର୍ଯ୍ୟ ଦିବସରେ  ପାଞ୍ଚଟି ଜଣିକିଆ ଖଣ୍ଡପୀଠ (ସିଙ୍ଗିଲ ବେଞ୍ଚ) ବସି ମାମଲା ଶୁଣାଣି କରିବେ। ଏଥି ସହିତ ମଙ୍ଗଳବାର ଓ ଗୁରୁବାର ଦିନ ଗୋଟିଏ ଲେଖାଏ ଦୁଇ ଜଣିଆ ଖଣ୍ଡପୀଠ (ଡିଭିଜନ୍ ବେଞ୍ଚ) ବସି ମାମଲା ଶୁଣାଣି କରିବେ। ଡିଭିଜନ‌ ବେଞ୍ଚରେ ମାମଲା ଶୁଣାଣି ଶେଷ କରିବା ପରେ ବିଚାରପତି ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ସବୁ କାର୍ଯ୍ୟ ଦିବସରେ  ଫାଇଲିଂ କାଉଣ୍ଟର ଦିନ ୧୦ଟା ୩୦ରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଭଳି ବ୍ୟବସ୍ଥା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ସମସ୍ତେ ଫେସ୍ ମାସ୍କ ପିନ୍ଧିବା ସହିତ ନିୟମିତ ବ୍ୟବଧାନରେ ହାତ ସାନିଟାଇଜ କରିବେ ଓ ସାମାଜିକ ଦୂରତା ରକ୍ଷା କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋଭିଡ-୧୯କୁ ଦୃଷ୍ଟିରେ ରଖି ହାଇକୋର୍ଟ ପୂର୍ବରୁ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଶୁଣାଣି କରାଯାଉଥିବା ବେଳେ ଆଇନଜୀବୀ ଓ ମହକିଲମାନେ ଘରେ ରହି ମଧ୍ୟ ମାମଲାର ଶୁଣାଣିରେ ଅଂଶ ଗ୍ରହଣ କରି ପାରୁଛନ୍ତି। ହାଇକୋର୍ଟ ଓ ସବ୍-ଅର୍ଡିନେଟ୍ କୋର୍ଟର ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ କର୍ମକ୍ଷେତ୍ରରେ କେତେକ ପ୍ରତିଷେଧକ ବ୍ୟବସ୍ଥା ସଂପର୍କିତ ନିୟମ କଡାକଡି ପାଳନ କରିବେ ବୋଲି  ପୂର୍ବରୁ କୁହାଯାଇଥିଲା।

ଅଦାଲତ ପରିସର ଭିତରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିଲା। କୋର୍ଟ ହଲ୍ ଭିତରେ କୌଣସି ପ୍ରକାର ଭିଡ଼ ଉପରେ ଅଙ୍କୁଶ ଜାରି କରାଯିବା ସହିତ ଥର୍ମାଲ ସ୍କାନିଂ, ହ୍ୟାଣ୍ଡ ୱାସ୍, ସାନିଟାଇଜେସନ୍ ପାଇଁ ଆବଶ୍ୟକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଥିଲା।  ଅଦାଲତ ପରିସର, ଅଦାଲତ କାର୍ଯ୍ୟାଳୟ, ସାଧାରଣ ସୁବିଧା ଥିବା ସ୍ଥାନ, ଜନିଷିପତ୍ର ଯଥା ଟେବୁଲ, ଚୌକି, ନବ୍, ହ୍ୟା‌ଣ୍ଡ୍ ରେଲିଂ ନିୟମିତ ବ୍ୟବଧାନରେ ସାନିଟାଇଜ କରାଯିବ ବୋଲି ହାଇକୋର୍ଟଙ୍କ ମେ’ ୩ର ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ସବୁ ଅଧିକାରୀ ଓ କର୍ମଚାରୀ ଆରୋଗ୍ୟ ସେତୁ ଆପ୍ ନିଜ ମୋବାଇଲ ଫୋନରେ ଇନଷ୍ଟଲ୍ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର