‘ଘରୋଇକରଣରୁ ମୁକ୍ତ ରହୁ ଉଚ୍ଚଶିକ୍ଷା’

ଅଖିଳ ଭାରତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ମହାସଂଘର ୩୦ ତମ ସାମ୍ବିଧାନିକ ସମ୍ମିଳନୀ

ଭୁବନେଶ୍ବର : ସ୍ଥାନୀୟ ଏକାମ୍ର ମହାବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଅଖିଳ ଭାରତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ ମହାସଂଘର ୩୦ ତମ ସାମ୍ବିଧାନିକ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ସମ୍ମିଳନୀ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମିଳନୀର ଅଧ୍ୟକ୍ଷ ଡ. ଦୁଷ୍ମନ୍ତ ନାୟକ ସଭାପତିତ୍ବ କରିଥିବା ବେ‌ଳେ ସଂଯୋଜକ ତଥା କୋଷାଧ୍ୟକ୍ଷ ଅକ୍ଷୟ ମହାପାତ୍ର ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ‘ନୂତନ ଶିକ୍ଷାନୀତି ଓ ଭାରତରେ ଶିକ୍ଷାର ସ୍ଥିତି’ ଶୀର୍ଷକ ଏକ ଜାତୀୟ ସମ୍ପାନ ଆୟୋଜିତ ହୋଇଥିଲା। ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉଦ୍‌ଘାଟନ କରିଥିଲେ। ସମଗ୍ର ଭାରତବର୍ଷର ଉଚ୍ଚଶିକ୍ଷାକୁ ଘରୋଇ କରଣରୁ ମୁକ୍ତ ରଖିବା ଓ ଉଚ୍ଚଶିକ୍ଷାକୁ ରାଷ୍ଟ୍ରୀୟ ଦାୟିତ୍ବ ବୋଲି ବିବେଚନା କରିବା ଏହି ସମ୍ପାନର ନିର୍ଯ୍ୟାସ ଥିଲା। ନିଖିଳ ଉତ୍କଳ ବେସରକାରୀ କଲେଜ୍‌ ଶିକ୍ଷକ ସଂଘ ଏହି ସମ୍ମିଳନୀ ଆୟୋଜନ କରିଥିଲା।

ସମ୍ପାନକୁ ସଂଯୋଜନା କରିଥିଲେ ଜାତୀୟ ସମ୍ପାଦକ ଅଧ୍ୟାପକ ଡ. ମାନସ ବେହେରା ଓ ସୁରେନ୍ଦ୍ର ଜେନା। ଏଥିରେ ପ୍ରାଧ୍ୟାପକ ପରିକ୍ଷୀତ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ୩୦ରୁ ଊର୍ଦ୍ଧ୍ବ ପୂର୍ବତନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମିଳନୀ ମଣ୍ଡପକୁ ପୂର୍ବତନ ଶିକ୍ଷକନେତା ତଥା ସ୍ତମ୍ଭକାର ଅବନି ବରାଳଙ୍କ ନାମରେ ନାମିତ କରାଯାଇଥିଲା। ଏହି ଅବସରରେ ସର୍ବଭାରତୀୟ ସଭାପତି ଭାବେ ଡ. କେଶବ ଭଟାଚାର୍ଯ୍ୟ, ସାଧାରଣ ସମ୍ପାଦକ ଭାବେ ଡ. ଅରୁଣ କୁମାର ଓ ଓଡ଼ିଶାରୁ ରାଷ୍ଟ୍ରୀୟ ଉପସଭାପତି ଭାବରେ କେନ୍ଦ୍ରପଡ଼ା ମହାବିଦ୍ୟାଳୟର ଅଧ୍ୟାପକ ଉମାକାନ୍ତ ପାତ୍ର ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର