ଚୁଲିକୁ ଗଲାଣି ଉଚ୍ଚ ଶିକ୍ଷା : ବିବାଦରେ ଛନ୍ଦି ହୋଇଗଲାଣି ପ୍ରମୁଖ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷକ, ଶିକ୍ଷକ ମଧ୍ୟରେ ପଡ଼ୁନି। ଶିକ୍ଷକ ସଂଘ ନିର୍ବାଚନକୁ ନେଇ ଶିକ୍ଷକମାନେ ଏଠାରେ ଦୁଇ ‌ଗୋଷ୍ଠୀରେ ବିଭକ୍ତ ହେଲେଣି। ଧସ୍ତାଧସ୍ତି ପର୍ଯ୍ୟନ୍ତ ବି କଥା ଚାଲିଗଲା। ୫ ଦିନ ହେଲା କୁଳପତି ଓ କୁଳସଚିବଙ୍କ କାର୍ଯ୍ୟାଳୟ ଚାଲିପାରୁନି। ୪ ଦିନ ହେଲା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏକ ପ୍ରକାର ବନ୍ଦ େହାଇଯାଇଛି। କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ସେମିଷ୍ଟାର ପରୀକ୍ଷା ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ ଉଠିଲାଣି।

କେବଳ ଉତ୍କଳ ବିଶ୍ବବିଦ୍ୟାଳୟ ନୁେହଁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ଯାଏ ରାଜ୍ୟର ସବୁ ବଡ଼ ଶିକ୍ଷା ପ୍ରତିଷ୍ଠାନ ଏବେ ବିବାଦ ଘେରରେ ଛନ୍ଦି ହୋଇଗଲାଣି। ଏହା ପରୋକ୍ଷରେ ସୂଚାଇ ଦେଉଛି ଯେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ପ୍ରତି ବିପଦ ଘନେଇ ଆସୁଛି। ହଠାତ୍ ଶୈକ୍ଷିକ ବାତାବରଣ ନଷ୍ଟ ହେବା ପଛର ମହାନାୟକ କିଏ, ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। କୁଳାଧିପତି ଚୁୁପ୍ ଓ ରାଜ୍ୟ ସରକାର ବି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ପ୍ରମୁଖ ତଥା ସର୍ବପୁରାତନ ବିଶ୍ବବିଦ୍ୟାଳୟରେ ଅଚଳାବସ୍ଥା େଦଖାଦେଇଛି। ବିଶ୍ବବିଦ୍ୟାଳୟ ସ୍ବୟଂଶାସିତ ସଂସ୍ଥା କହି ଉଚ୍ଚଶିକ୍ଷା ବିଭାଗ ଦାୟିତ୍ବ ଝାଡି େଦଇଛି। କୁଳପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଏକ୍ଷେତ୍ରରେ କୌଣସି ହସ୍ତକ୍ଷେପ କରୁନି। ପରିଣାମ େହଲା, କ୍ୟାମ୍ପସ ସ୍ଥିତି ବିଗିଡିବାରେ ଲାଗିଛି। ଦୁଇ ବର୍ଷ ହେଲା ଏଠାରେ ସମାବର୍ତନ ଉତ୍ସବ ହୋଇପାରିନାହିଁ। ଛାତ୍ରଛାତ୍ରୀ ସାର୍ଟିଫିକେଟ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ଉଚ୍ଚଶିକ୍ଷା େକ୍ଷତ୍ରରେ ମଧ୍ୟ ଏହା ବାଧକ ସାଜୁଛି। ପିଲାଙ୍କ ଭବିଷ୍ୟତ ଏବେ ସୂତା ଖିଅରେ ଝୁଲୁଥିବା ବେଳେ ଶିକ୍ଷକମାନେ କ୍ୟାମ୍ପସ ସ୍ଥିତିକୁ ଗରମ କରିେଦଇଛନ୍ତି। ମାମଲା ଥାନାରେ ପହଞ୍ଚିଲାଣି।

ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ ଭିନ୍ନ ଏକ ପରିସ୍ଥିତି େଦଖିବାକୁ ମିଳିଛି। କୁଳପତି ଓ କୁଳାଧିପତିଙ୍କ କାର୍ଯ୍ୟାଳୟ ମଧ୍ୟରେ ଏକପ୍ରକାର ଶୀତଳଯୁଦ୍ଧ ଚାଲିଛି। କୁଳପତିଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ କୁଳାଧିପତିଙ୍କ କାର୍ଯ୍ୟାଳୟ ତଥା ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ହେଲେ ଭିଜିଲାନ୍ସ ତଦନ୍ତ ନିେର୍ଦଶ ପଛର ସାଂଘାତିକ ଷଡ଼ଯନ୍ତ୍ର ଏବେ ଦାଣ୍ଡରେ ପଡି ହାଟରେ ଗ଼ଡିଲାଣି। ଏଠାରେ ଦୁଇଟି େଗାଷ୍ଠୀ ମଧ୍ୟରେ ଶୀତଳଯୁଦ୍ଧ ଚାଲିଛି। ସବୁଠାରୁ ବଡ଼ କଥା େହଲା, କୁଳାଧିପତିଙ୍କ କାର୍ଯ୍ୟାଳୟ ବିବାଦ ଘେରକୁ ଚାଲିଆସିଛି। ଏେନଇ ନା କୁଳାଧିପତି ମୁଣ୍ଡ େଖଳାଉଛନ୍ତି ନା ରାଜ୍ୟ ସରକାର ବିବାବର ସମାଧାନ ଲାଗି କୌଣସି ବାଟ କାଢୁଛନ୍ତି।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କଥା ନ କହିବା ଭଲ। ଏଠାରେ ଦ୍ବିତୀୟ କ୍ୟାମ୍ପସ ଚୟନକୁ ନେଇ କୁଳପତି ଓ ଉଚ୍ଚଶିକ୍ଷା ବିଭାଗ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଦ୍ବିତୀୟ କ୍ୟାମ୍ପସ ପାଇଁ ଭୁବନେଶ୍ବର ଉପକଣ୍ଠରେ ଥିବା େଗାଠପାଟଣାରେ ୩୦ ଏକର ଜମି ଯୋଗାଇ ଦେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଥିଲେ। ଉକ୍ତ ଜମି ଛାତ୍ରୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ନୁହେଁ ବୋଲି ଯୁକ୍ତି ବାଢ଼ି କୁଳପତି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ େରାକ୍େଠାକ୍ ପ୍ରତ୍ୟାଖ୍ୟାନ କରିଥିଲେ। ବିକଳ୍ପ ଜମି ଦେବାକୁ କୁଳପତି ପ୍ରସ୍ତାବ ଦେଇଛନ୍ତି ଓ ଏ ପ୍ରସ୍ତାବ ବି ଝୁଲିରହିଛି। ଏହାକୁ େନଇ ବିବାଦ ଲାଗି ରହିଛି। ପୂର୍ଣ୍ଣାଙ୍ଗ କ୍ୟାମ୍ପସ ଗଠନ େହାଇପାରୁନାହିଁ।

ରେଭେନ୍ସା ବିଶ୍ବବିଦ୍ୟାଳୟ ସ୍ଥିତି ତଦ୍ରୁପ। ଛାତ୍ର ଅଶାନ୍ତି ଯୋଗୁଁ ଗତ ମେ’ ମାସରେ କ୍ୟାମ୍ପସକୁ ସାଇନ୍‌ଡାଏ କରାଯାଇଥିଲା। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ରେ ଆଜି ପର୍ଯ୍ୟନ୍ତ ଅଚଳାବସ୍ଥା ଜାରି ରହିଛି। ଛାତ୍ରଛାତ୍ରୀଙ୍କୁ ଠିକ୍‌ ସମୟରେ ସାର୍ଟିଫିକେଟ୍‌ ମିଳୁନାହିଁ। ପରୀକ୍ଷା ପରିଚାଳନାରେ ବି ବିଭ୍ରାଟ ହେଉଛି। ରାଉରକେଲାରେ କ୍ୟାମ୍ପସ ରହିଥିଲେ ମଧ୍ୟ ପ୍ରତି ୧୫ ଦିନ ବ୍ୟବଧାନରେ ବିଭିନ୍ନ ବୈଷୟିକ କଲେଜର ଛାତ୍ରଛାତ୍ରୀ ଭୁବନେଶ୍ବରରେ ରାସ୍ତାରୋକ, ପୋଡାଜଳା ମାଧ୍ୟମରେ ସୂଚାଇ େଦଉଛନ୍ତି େଯ ପ୍ରତିଷ୍ଠାନର ସ୍ବାସ୍ଥ୍ୟ ଭଲ ନାହିଁ ଓ ଏଠାରେ କିଛି ବି ଠିକ୍ ଚାଲିନାହିଁ।

ସେପଟେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଜୁନିୟର ଡାକ୍ତର ଓ ନିର୍ଦ୍ଦେଶକଙ୍କ ବିବାଦ କମିବାର ନାଁ ନେଉନି। ନିର୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବଦଳିକୁ ୭ ଦିନ ତଳେ ଯୋରଦାର ବିରୋଧ କରାଯାଇଥିଲା। ବୁର୍ଲା ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବୁର୍ଲା ବନ୍ଦ ପାଳନ କରାଯାଇଥିଲା। ଦୋକାନ ବଜାର ବନ୍ଦ ରହିବା ସହିତ ଅଫିସ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଗାଡ଼ି ଚଳାଚଳା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଥିଲା। ଏବେ ସାରା ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଚଳାବସ୍ଥା ଲାଗିରହିଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ। ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ କିଛି ମାସ ବ୍ୟବଧାନରେ କୁଳପତିଙ୍କ ସମ୍ମିଳନୀ କରୁଥିଲେ ମଧ୍ୟ କ୍ୟାମ୍ପସର ଶାନ୍ତଶୃଙ୍ଖଳା, ସୁପରିଚାଳନା ସୁଧୁରିବା ପରିବର୍ତେ ବିଗିଡ଼ିବାରେ ଲାଗିଛି। ରାଜ୍ୟର ଉଚ୍ଚଶିକ୍ଷା କେଉଁ ଦିଗକୁ ଯାଉଛି ତାହା ଏଥିରୁ େଯ କେହି ଅନୁମାନ କରିପାରିବ।

ସମ୍ବନ୍ଧିତ ଖବର