ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତିକୁ ବିରୋଧ

ସ୍ନାତକ ଓ ସ୍ନାତ‌କୋତ୍ତର ପରୀକ୍ଷାକୁ ନେଇ ଝାମେଲା, ବିପିୟୁଟି ପରୀକ୍ଷା ଏବେ ସ୍ଥଗିତ ରଖିବାକୁ ଏଓବିଏସ୍ଓର ଅନୁରୋଧ

ଭୁବନେଶ୍ବର : କୋଭିଡ୍‌-୧୯ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ତିନି ମାସ ହେଲା କ୍ଲାସ୍‌ ହୋଇନି। ପରୀକ୍ଷା ବି ହୋଇପାରିନାହିଁ। କେତେକ ଶ୍ରେଣୀର ପରୀକ୍ଷା ଅଧାରେ ଅଟକିଛି। ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ବୈଷୟିକ ଶିକ୍ଷା ସବୁ ବିଭାଗରେ ଏମିତି ସ୍ଥିତି। ପରୀକ୍ଷା କରିବାକୁ ନେଇ ବିଭାଗ, କଲେଜ କର୍ତୃପକ୍ଷ ଯେତିକି ଚିନ୍ତିତ, ପରୀକ୍ଷାର୍ଥୀ ଓ ଅଭିଭାବକ ତା’ଠାରୁ ବେଶି ଚିନ୍ତାରେ ପଡ଼ିଛନ୍ତି। ପରୀକ୍ଷା କେ‌ବେ ହେବ? କେମିତି ହେବ? ପିଲାମାନେ ପରୀକ୍ଷା କେନ୍ଦ୍ରକୁ କେମିତି ଯିବେ? କେଉଁଠି ରହି ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ? ସ‌ମସ୍ତେ ଏଭଳି ଚିନ୍ତାରେ।

ଆଶ୍ବସ୍ତିର ବିଷୟ ହେଉଛି ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଶେଷ ହୋଇଛି। ଯୁକ୍ତ୨ର ଅଳ୍ପ କିଛି ବିଷୟର ପରୀକ୍ଷା ବାକି ରହିଥିବାରୁ ଜୁଲାଇ ୧ରୁ ୧୫ ମଧ୍ୟରେ ପରୀକ୍ଷା ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ହେଉଥିବା ପରୀକ୍ଷାଗୁଡ଼ିକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି। ହେଲେ ଏହି ସମୟରେ ପରୀକ୍ଷା କରାଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିବା ପରେ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ଶିକ୍ଷାନୁଷ୍ଠାନ କାର୍ଯ୍ୟସୂଚୀ ଜାରି କରିଛନ୍ତି। ଜୁନ୍‌ ୨୦ ପରେ ସ୍ନାତକ (ଯୁକ୍ତ୩) ଷଷ୍ଠ ସେମିଷ୍ଟର୍‌ ଓ ଜୁଲାଇରେ ସ୍ନାତକୋତ୍ତର (ପିଜି) ୪ର୍ଥ ସେମିଷ୍ଟର୍‌ ବିଷୟଗୁଡ଼ିକର ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯୁକ୍ତ୩ ଦ୍ବିତୀୟ, ଚତୁର୍ଥ ସେମିଷ୍ଟର୍‌ ଓ ପିଜିର ଦ୍ବିତୀୟ ସେମିଷ୍ଟର୍‌ ପରୀକ୍ଷାକୁ ବାତିଲ୍‌ କରାଯାଇଛି।

ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକୁ ଆଧାର କରି ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଇତି ମଧ୍ୟରେ ଉଭୟ ପରୀକ୍ଷା ଲାଗି ତାରିଖ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଖୋଲାଖୋଲି ବିରୋଧ କରିଛନ୍ତି। ‌ଗୋଟିଏପଟେ ରାଜ୍ୟରେ କରୋନା ମାଡ଼ି ଚାଲିଥିବା ବେଳେ ଅନ୍ୟପଟେ ‌କେଉଁ ଆଧାରରେ ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଦୁଇ ଦିନ ତଳେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କଲେଜର ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଏବ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ କଲେଜ ଛାତ୍ରଛାତ୍ରୀ ଆନ୍ଦୋଳନ ଡାକରା ଦେଇଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହଷ୍ଟେଲରେ ରୁହନ୍ତି। କରୋନା ଯୋଗୁଁ ହଷ୍ଟେଲ ବନ୍ଦ ରହିଛି। ତେଣୁ ପରୀକ୍ଷା ହେଲେ ଛାତ୍ରଛାତ୍ରୀ କେଉଁଠି ରହି‌ବେ? କେମିତି ପଢ଼ି ପରୀକ୍ଷା ଦେବେ? ଯଦି ବି ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଥିବା ହଷ୍ଟେଲରେ ରହିବାକୁ ଅନୁମତି ଦିଆଯାଏ, ତେବେ ବାହାରେ ରହି ପଢ଼ୁଥିବା ପିଲାମାନେ କେଉଁଠି ରହି‌ବେ। ବର୍ତମାନ ସମୟରେ ଘର ମାଲିକମାନେ ସେମାନଙ୍କୁ ପୂରାଇଦେବେ ନାହିଁ। ବହୁ ଛାତ୍ରଛାତ୍ରୀ ହଇରାଣ ହେବା ସହ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ତେଣୁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟି ରଖି ପଦକ୍ଷେପ ନେବାକୁ ଦାବି ହୋଇଛି।

ଅନ୍ୟପକ୍ଷରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ଦୁଇ ବିଦ୍ୟାଳୟ ବିପିୟୁଟି ଓ ଭିଏସ୍‌ଏସ୍‌ୟୁଟିର ଶେଷ ସେମିଷ୍ଟର୍‌ ପରୀକ୍ଷା ଜୁନ୍‌ ଶେଷ ସପ୍ତାହ ଓ ଜୁଲାଇ ପ୍ରଥମ ସପ୍ତାହରେ କରାଯିବ। ବିଭାଗ ପକ୍ଷରୁ ନିର୍ଦେଶ ପାଇବା‌ ପରେ ଗତକାଲି ବିପିୟୁଟି ବିଜ୍ଞପ୍ତି ଜାରି କରିଛି। ଯାହାକୁ ବିରୋଧ କରିଛି ଅଲ୍‌ ଓଡ଼ିଶା ବିପିୟୁଟି ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ (ଏଓବିଏସ୍ଓ)। ସଂଘର ମୁଖ୍ୟ ସଂଗଠକ ପବନ କୁମାର ସ୍ବାଇଁ କହିଛନ୍ତି ଯେ ପରୀକ୍ଷା ପାଇଁ ଯେଉଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତି କରାଯାଇଛି। ଏହା ଛାତ୍ରଛାତ୍ରୀଙ୍କୁ ମାନସିକ ଆଘାତ ଦେଇଛି। ବର୍ତ୍ତମାନ ସମୟରେ କରୋନା ସହ ସାରା ଦେଶ ଲଢ଼ୁଛି। ଯିବା ଆସିବାରେ ବହୁ ଅସୁବିଧା ହେଉଛି। ବିପିୟୁଟି ଗାଇଡ୍‌ଲାଇନ୍‌ ଅନୁସାରେ ଛାତ୍ରଛାତ୍ରୀ ନିଜ ଜିଲ୍ଲାରେ ପରୀକ୍ଷା ଦେବେ। ଏହି ବିଷୟକୁ ଧ୍ୟାନ ଦେଲେ ଜଣାପଡ଼ୁଛି ଜିଲ୍ଲାର କୋଣ ଅନୁକୋଣରୁ ମୁଖ୍ୟାଳୟକୁ ଆସିବାକୁ ଥିବା ଛାତ୍ରଛାତ୍ରୀ ବହୁ ହଇରାଣ ହେବେ। ବସ୍‌, ଟ୍ରେନ୍‌ ସେବା ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରି ନାହିଁ। ତେଣୁ ବିପିୟୁଟି ତଥା ରାଜ୍ୟ ସରକାରଙ୍କୁ ପରୀକ୍ଷାକୁ ଆଉ କିଛି ଦିନ ପାଇଁ ସ୍ଥଗିତ ରଖନ୍ତୁ।

ସମ୍ବନ୍ଧିତ ଖବର