୨୦୧୮-୧୯ ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି : ଶହେ କଲେଜକୁ ସ୍ଥାୟୀ ସ୍ୱୀକୃତି

ଖୋଲିବ ୫ଟି ଯୁକ୍ତ୩ କଲେଜ, ଦୁଇଟି କଲେଜରେ ପିଜି ପାଇଁ ଅନୁମତି

ଭୁବନେଶ୍ୱର :୨୦୧୮-୧୯ ଶିକ୍ଷାବର୍ଷରେ ସାରା ରାଜ୍ୟରେ ଖୋଲିବ ୫ଟି ନୂତନ ଯୁକ୍ତ୩ କଲେଜ। ଏଥିରେ ୪ଟି ବିଜ୍ଞାନ କଲେଜ ଥିବା ବେଳେ ଗୋଟିଏ କଳା ବିଭାଗ କଲେଜ ରହିଛି। ପ୍ରତି କଲେଜରେ ୧୨୮ଟି ସିଟ୍‌ ରହିବ ଓ ବିଭିନ୍ନ ବିଷୟର ଅନର୍ସ ବି ଖୋଲିବ। ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ରାଜ୍ୟର ଶତାଧିକ କଲେଜର ସ୍ଥାୟୀ ସ୍ୱୀକୃତି ଗତବର୍ଷଠାରୁ ସରିଯାଇଥିଲା। ତେଣୁ ଏଥର ନାମଲେଖା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଯେଉଁଥିପାଇଁ ୨୦୧୮-୧୯ ଶିକ୍ଷାବର୍ଷରେ ଶହେ କଲେଜକୁ ସ୍ଥାୟୀ ସ୍ୱୀକୃତି ଦିଆଯାଇଛି। ଗତ ଦେଢ଼ ମାସ ମଧ୍ୟରେ ଆବେଦନ କରିଥିବା ୧୩ଟି କଲେଜକୁ ଏହି ସ୍ୱୀକୃତି ମିଳିଛି। ସେହିପରି ଗତ ଉଚ୍ଚସ୍ତରୀୟ କମିଟିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏଥର ୮୭ଟି କଲେଜକୁ ସ୍ଥାୟୀ ସ୍ୱୀକୃତି ଦିଆଯାଇଛି। ୩୧ଟି କଲେଜକୁ ପ୍ରଫେସନାଲ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିଛି। ୫ଟି ପ୍ରଫେସନାଲ୍‌ କଲେଜକୁ କିଛି ପାଠ୍ୟକ୍ରମ ଲାଗି ସ୍ଥାୟୀ ସ୍ୱୀକୃତି ଦିଆଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଶ୍ରୀ ଗଣେଶ ଯୁକ୍ତ୩ ସାଇନ୍ସ ରେସିଡେଣ୍ଟସିଆଲ୍‌ କଲେଜ, ଢେଙ୍କାନାଳ ଜିଲ୍ଲାରେ ଇ-ଟେକ୍‌ ରେସିଡେନ୍ସିଆଲ୍‌ ଡିଗ୍ରି କଲେଜ, କାମାକ୍ଷାନଗରର ଗଣେଇବିଲଠାରେ ଆଞ୍ଚଳିକ ମହାବିଦ୍ୟାଳୟ, ଖୋର୍ଧା ଜିଲ୍ଲାରେ ଗଣେଶ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଡିଗ୍ର୍ରି ସାଇନ୍ସ କଲେଜ, ନୟାଗଡ଼ ଜିଲ୍ଲା ଲେଙ୍କୁଡିପଡ଼ାଠାରେ ଡିଭାଇନ୍‌ ଡିଗ୍ରି କଲେଜ ଖୋଲିବାକୁ ଅନୁମତି ମିଳିଛି। ଏହି କଲେଜଗୁଡ଼ିକର କର୍ତୃପକ୍ଷ ଆବେଦନ କରିଥିଲେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭିତ୍ତିଭୂମି ଯାଞ୍ଚ କରିବା ପରେ ଅନୁମତି ଦିଆଯାଇଛି। କଲେଜଗୁଡ଼ିକରେ ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ବାଲେଶ୍ୱର ଜିଲ୍ଲା ଭୋଗରାଇଠାରେ ଥିବା ଆରଆଇଏଚ୍‌ଏସ୍‌ରେ ଓଡ଼ିଆ ଓ ଇଂରାଜୀ ବିଭାଗରେ ପିଜି ଖୋଲିବାକୁ ଅନୁମତି ମିଳିଛି। ପ୍ରତି ବିଭାଗରେ ୧୬ଟି ଲେଖାଏ ସିଟ୍‌ ରହିବ। ପୁରୀ ଜିଲ୍ଲା ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଓଲୋଜି ବିଭାଗରେ ବି ପିଜି ଖୋଲିବ। ଏଥିରେ ମଧ୍ୟ ୧୬ଟି ସିଟ୍‌ ରହିବ।

ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ ଅଧୀନରେ ଥିବା ୬ଟି କଲେଜରେ ନୂଆ ବିଭାଗ ଖୋଲିବାକୁ ଅନୁମତି ମିଳିଛି। କୌଣସି ନୂଆ କଲେଜ ଖୋଲିବା ଲାଗି ଏବର୍ଷ ଆବେଦନ ଆସିନାହିଁ। ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ ଅଧୀନରେ ଥିବା ୮ଟି କଲେଜରେ ନୂଆ ବିଭାଗ ଖୋଲିବାକୁ ଆବେଦନ ଆସିଥିଲା। ସେଥିମଧ୍ୟରୁ ୭ଟିକୁ ଅନୁମତି ମିଳିଥିବା ବେଳେ ବଲାଙ୍ଗୀରରେ ଥିବା ପ୍ରଭାତୀ ରଥ ମହିଳା ଡଗ୍ରି କଲେଜର କଳା ବିଭାଗରେ ୧୨୮ ସିଟ୍‌ ଖୋଲିବାକୁ ଅନୁମତି ମିଳିନାହିଁ।

ଭୁବନେଶ୍ୱର ଶିକ୍ଷା ନିର୍ଦେଶାଳୟ ଅଧୀନରେ ୧୩ଟି କଲେଜର ସିଟ୍‌ ବୃଦ୍ଧି କରାଯାଇଛି। ବ୍ରହ୍ମପୁର ଶିକ୍ଷା ନିର୍ଦେଶାଳୟର ଗୋଟିଏ କଲେଜକୁ ଅନୁମତି ମିଳିନି। ସମ୍ବଲପୁର ଶିକ୍ଷା ନିର୍ଦେଶାଳୟ ଅଧୀନରେ ୪ଟି ଅନୁମତି ମିଳିଥିବା ବେଳେ ଗୋଟିଏକୁ ଅନୁମତି ଦିଆଯାଇନି। ଗତ ଏପ୍ରିଲ ୩ ତାରିଖରେ ବସିଥିବା ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ବୈଠକରେ ହୋଇଥିବା ନିଷ୍ପତ୍ତିରେ ମୋହର ଲଗାଯାଇଛି। ରାଜ୍ୟର ୫୨ଟି କଲେଜର ସିଟ୍‌ ବୃଦ୍ଧି ହୋଇଛି। ୧୬ଟି କଲେଜରେ ବିଭିନ୍ନ ବିଭାଗରେ ଅନର୍ସ ଖୋଲିବାକୁ ଅନୁମତି ମିଳିଛି।

ଗତ ମେ’ ୨୬ରେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ।

ପୂରଣ ହେବ ସରକାରୀ କଲେଜର ୨୯୪ ଅଣଶିକ୍ଷକ ପଦବି

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସରକାରୀ କଲେଜରେ ଖାଲିଥିବା ୨୯୪ଟି ଅଣଶିକ୍ଷକ ପଦବି ପୂରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବା ସହ ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ବି ନିର୍ଦେଶ ଦେଇଛନ୍ତି। ଏହି ପଦବିଗୁଡ଼ିକ ମଧ୍ୟରେ କନିଷ୍ଠ କ୍ଲର୍କ, ଲାବରେଟାରି ସହାୟକ, କନିଷ୍ଠ ଲାଇବ୍ରେରିଆନ ଓ ଶାରୀରିକ ଶିକ୍ଷା ଶିକ୍ଷକ ରହିଛନ୍ତି। ଷ୍ଟାଫ୍‌ ସିଲେକ୍ସନ କମିସନଙ୍କ ଦ୍ୱାରା ପରିଚାଳିତ ନିଯୁକ୍ତି ପରୀକ୍ଷା ଜରିଆରେ ଏହି ପଦବିଗୁଡ଼ିକ ପୂରଣ କରାଯିବ।

ସମ୍ବନ୍ଧିତ ଖବର