କ୍ୟାରିଅର କାଉନ୍‌ସେଲିଂ ସେଲ୍‌ ଚାଲିଛି ତ? ୫୨ କଲେଜକୁ ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ, ୩୦ ତାରିଖ ସୁଦ୍ଧା ୟୁସି ଦାଖଲ କରିବାକୁ ନିର୍ଦେଶ

ଭୁବନେଶ୍ବର : ରାଜ୍ୟର ୫୨ଟି ସରକାରୀ କଲେଜରେ କ୍ୟାରିଅର କାଉନସେଲିଂ ସେଲ୍‌ ପ୍ରତିଷ୍ଠା ହୋଇଥିଲା। ପ୍ରତି ସେଲ୍‌ ପାଇଁ ୩ ଲକ୍ଷ ଟଙ୍କା ହିସାବରେ ୨୦୧୮-୧୯ ଶିକ୍ଷାବର୍ଷରେ ୧ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ସେହି ଅନୁଯାୟୀ କଲେଜଗୁଡ଼ିକୁ ଅର୍ଥ ଦିଆଯିବା ସହ ୨୦୧୯ ଫେବ୍ରୁଆରି ୨୮ ସୁଦ୍ଧା ସେଲ୍‌ ପ୍ରତିଷ୍ଠା କରିବାକୁ ନିର୍ଦେଶ ‌ଦିଆଯାଇଥିଲା। ଏହି ସମୟ ମଧ୍ୟରେ ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିବାକୁ କଲେଜଗୁଡ଼ିକୁ ସେତେବେଳେ ନିର୍ଦେଶ ଦିଆଯାଇଥିଲା। ଇତି ମଧ୍ୟରେ ଏକ ବର୍ଷ ପୂରିବାକୁ ବସିଲାଣି। ଏପର୍ଯ୍ୟନ୍ତ ଗୋଟିଏ ବି କଲେଜ ୟୁସି ଦାଖଲ କରିନାହାନ୍ତି। ସେଲ୍‌ ପ୍ରତିଷ୍ଠା ହୋଇଛି କି ନାହିଁ ସେନେଇ କୌଣସି କଲେଜ ଉଚ୍ଚଶିକ୍ଷା ବିଭାଗକୁ ଜଣାଇ ନାହାନ୍ତି।

ଗତକାଲି ଭୁବନେଶ୍ବରରେ ଆୟୋଜିତ ଏକ ସମ୍ମିଳନୀରେ ଏନେଇ ଅଭିଭାବକମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଲେଜଗୁଡ଼ିକରେ କ୍ୟାରିଅର କାଉନସେଲିଂ ସେଲ୍‌ ଚାଲୁ ନଥିବା ‌ନେଇ ଅଭିଯୋଗ କରିବା ସହ ଅଧିକ ସଂଖ୍ୟକ କଲେଜରେ ସେଲ୍‌ ଖୋଲାଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ମାର୍ଗଦର୍ଶନ କରାଇବାକୁ ମତ ରଖିଥିଲେ। ଏହାପରେ ୧୧ ମାସ ହେଲା ଚୁପ୍‌ ବସିଥିବା ଉଚ୍ଚଶିକ୍ଷା ବିଭାଗ ନିଦ ହଠାତ୍‌ ଭାଙ୍ଗିଛି। କଲେଜରେ କେମିତି ଚାଲିଛି କ୍ୟାରିଅର କାଉନସେଲିଂ ସେଲ୍‌? ପ୍ରତିଷ୍ଠା ହୋଇଛି କି ନାହିଁ? ଯଦି ପ୍ରତିଷ୍ଠା ହୋଇଛି ତେବେ ୟୁସି କାହିଁକି ଦାଖଲ କରିନାହାନ୍ତି? ଆଦି ବିଷୟ ଉପରେ ତଥ୍ୟ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି କଲେଜ ଅଧ୍ୟକ୍ଷଙ୍କୁ ମାଗିଥିବା ରିପୋର୍ଟରେ କହିଛନ୍ତି ଯେ ୨୦୧୮-୧୯ ଶିକ୍ଷାବର୍ଷରେ କ୍ୟାରିଅର କାଉନସେଲିଂ ସେଲ୍‌ ପ୍ରତିଷ୍ଠା ପାଇଁ ୩ ଲକ୍ଷ ଲେଖାଏ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରି ୨୦୧୯ ଫେବ୍ରୁଆରି ୨୮ ଭିତରେ ୟୁସି ଦାଖଲ କରିବାକୁ ନିର୍ଦେଶ ଥିଲା। ତେବେ କୌଣସି ବି କଲେଜ ଏଦିଗରେ ପଦକ୍ଷେପ ନେଇନାହାନ୍ତି। ତେଣୁ ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ କଲେଜ ନିଜ ନିଜର ୟୁସି ଦାଖଲ କରନ୍ତୁ। ହାଡ୍‌ କପି ସହ ଇ-ମେଲ୍‌ ‘[email protected]’ ରେ ରିପୋର୍ଟ ପଠାଇବେ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ହସ୍ତଗତ ନ ହେବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର