ଦୋଦୁଲ୍ୟମାନ ସ୍ଥିତିରେ ଉଚ୍ଚଶିକ୍ଷା : ମଉଳିଲା ବିଦେଶରେ ପଢ଼ିବାର ସ୍ୱପ୍ନ

ନାମଲେଖାରେ ଅସ୍ଥିରତା, ଚିନ୍ତାରେ ପିଲା

ଭୁବ‌ନେଶ୍ୱର : ଅଭିଭାବକଙ୍କ ସ୍ବପ୍ନ ଥାଏ ପିଲା ଭଲ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା କରିବ। ବିଦେଶ ହେଉ ଅଥବା ଦେଶର କୌଣସି ଏକ ନାମକରା କଲେଜ ଓ ବିଶ୍ବବିଦ୍ୟାଳୟରେ ପଢ଼ିବ। ଯେଉଁଠାରେ ତାହାର ଭବିଷ୍ୟତ ଉଜ୍ଜ୍ବଳ ହେବ। ଦେଶ ବିଦେଶରେ ନାଁ କମାଇବ। ତେବେ ଚଳିତବର୍ଷ କରୋନା ମାଡ଼ରେ ଅଭିଭାବକ ଓ ପିଲାଙ୍କ ଏଭଳି ସ୍ବପ୍ନ ମଉଳିବାକୁ ଲାଗିଛି। ସଠିକ୍‌ ସମୟରେ ପରୀକ୍ଷା ନ ହେବା, ଫଳ ପ୍ରକାଶନରେ ବିଳମ୍ବ, ନାମଲେଖାରେ ଅସ୍ଥିରତା ଯୋଗୁଁ ପିଲାଙ୍କ ଉଚ୍ଚଶିକ୍ଷା ଏବେ ଦୋଦୁଲ୍ୟମାନ ସ୍ଥିତିରେ ପହଞ୍ଚିଛି। ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ବାହାରକୁ ଯିବାକୁ ଚାହୁଥିବା ବହୁ ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି। ବିଶେଷକରି ଇଞ୍ଜିନିୟରିଂ, ମେଡିକାଲ, ଏମ୍‌ବିଏ, ଏମ୍‌ସିଏ ପରି ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ସ୍ବପ୍ନ ମଉଳିଛି।

ଯୁକ୍ତ୨ ପାଠପଢ଼ା ଶେଷ ପରେ ବହୁ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଗି ଓଡ଼ିଶା ବାହରକୁ ଯାଇଥା’ନ୍ତି। ତେବେ କରୋନା ଯୋଗୁଁ ସେମାନେ ବାହାକୁ ଯାଇପାରି ନାହାନ୍ତି। ଓଡ଼ିଶାରେ ସ୍ନାତକ ଶିକ୍ଷା ଗ୍ରହଣ କରିବାକୁ ମନସ୍ଥ କରିଛନ୍ତି। ଯେଉଁଥିପାଇଁ ଯୁକ୍ତ୩ କଲେଜଗୁଡ଼ିକର କଟ୍‌ ଅଫ୍‌ ମାର୍କ ଚଳିତ ବର୍ଷ ଅଧିକ ରହିଛି। ଓଡ଼ିଆ ମାଧ୍ୟମ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଇ ଭଲ ମାର୍କ ପାଇଥିଲେ ମଧ୍ୟ ଛାତ୍ରଛାତ୍ରୀ ଆଶାନୁରୂପ କଲେଜ ପାଇପାରି ନାହାନ୍ତି। ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ଅଧୀନ ଛାତ୍ରଛାତ୍ରୀ ଭଲ କଲେଜରେ ପଢ଼ିବା ଲାଗି ଆଗ ସୁଯୋଗ ପାଇଛନ୍ତି। ଏବେ ବି ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସିଟ୍‌ ଅପେକ୍ଷାରେ ରହିଛନ୍ତି।

ଅନୁରୂପ ଭା‌‌ବେ ସ୍ନାତକ ଶିକ୍ଷା ପରେ ଉଚ୍ଚଶିକ୍ଷା ଲାଗି ଦେଶ ବିଦେଶର ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀଙ୍କ ସ୍ବପ୍ନ ବି ମଉଳିଛି। ପରୀକ୍ଷା ହେବାରେ ବିଳମ୍ବ, ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ପାଇ ନଥିବାରୁ ପିଲାମାନେ ବାହାରେ ଥିବା ଶିକ୍ଷାନୁଷ୍ଠାନ ଲାଗି ଆବେଦନ କରିପାରି ନାହାନ୍ତି। ବାଧ୍ୟ ହୋଇ ଓଡ଼ିଶାରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା କରିବାକୁ ଆଗ୍ରହ ‌ଦେଖାଇଛନ୍ତି। ଯଦି ହିସାବକୁ ନିଆଯାଏ, ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସରକାରୀ ବିଶ୍ବବିଦ୍ୟାଳୟରେ ପିଜି ପଢ଼ିବା‌ ଲାଗି ୪୫ରୁ ୫୦ହଜାର ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି। ତେବେ ଏଥର ଏହି ସଂଖ୍ୟା ୭୦ ହଜାର ଛୁଇଁଛି ଏବଂ ୬୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେହିପରି ଏମ୍‌ବିଏ ପଢ଼ିବା ଲାଗି ପ୍ରତିବର୍ଷ ୧୦ରୁ ୧୨ହଜାର ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି ଓ ୮ ହଜାର ପିଲା ଓଜେଇଇ ଦେଇଥାନ୍ତି। ଏଥର ୧୫ହଜାର ଆବେଦନ କରିଥିବା ବେଳେ ୧୦ ହଜାର ପରୀକ୍ଷା ଦେଇଛନ୍ତି। ଏମ୍‌ସିଏରେ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସ୍ପତନ୍ତ୍ର ବି.ଟେକ୍‌ ଓ ଲାଟେରାଲ ଏଣ୍ଟ୍ରି-ଟେକ୍ନୋଲୋଜି(ଡିପ୍ଲୋମା)ରେ ବି ପାଖାପାଖି ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓଜେଇଇ ଦେଇଛନ୍ତି। ‌ଦେଶ ବାହାରେ ଡାକ୍ତରୀ ପଢ଼ିବାକୁ ପ୍ରତିବର୍ଷ ଓଡ଼ିଶାରୁ ୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଯାଇଥାନ୍ତି। ତେବେ ଏଥର ପିଲାଙ୍କ ମଧ୍ୟରେ ସେଭଳି ଆଗ୍ରହ ଦେଖିବାକୁ ମିଳି ନ ଥିବା ଜଣାପଡ଼ିଛି।

ଶିକ୍ଷା‌ବିତ୍‌ ଇଂ. ସରୋଜ କୁମାର ସାହୁଙ୍କ ମତରେ ବାହାର ଦେଶରେ କରୋନା ସଂକ୍ରମଣ ଅଧିକ ରହିଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ଯିବାକୁ ଚାହୁନାହାନ୍ତି। ଏହାବ୍ୟତୀତ କୋଭିଡ୍‌-୧୯ ଯୋଗୁଁ ବହୁ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଯେଉଁଥିପାଇଁ ସେମାନେ ନିଜ ପିଲାଙ୍କୁ ଦେଶ ତଥା ରାଜ୍ୟ ବାହାରକୁ ପଠାଇବା ଲାଗି ସକ୍ଷମ ନୁହନ୍ତି। ଯେଉଁ ଅଭିଭାବଙ୍କ ଆର୍ଥିକ ସ୍ଥିତି ଟିକିଏ ସ୍ବଚ୍ଛଳ ରହିଛି, ସେମାନେ ରାଜ୍ୟ ବାହାର ତଥା ଦେଶରେ ଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇଛନ୍ତି। କ୍ଲାସରୁମ୍‌ ପାଠପଢ଼ା ବଦଳରେ ଅନ୍‌ଲାଇନ୍‌ରେ କ୍ଲାସ କରୁଛନ୍ତି।

ଶିକ୍ଷାବିତ୍‌ ପ୍ରଫେସର ବାସୁଦେବ ଛାଟୋଇଙ୍କ କହିବାନୁଯାୟୀ, କରୋନା ଭୟ ଯୋଗୁଁ ବହୁ ଅଭିଭାବକ ପିଲାଙ୍କୁ ବାହାରକୁ ପଠାଇବାକୁ ଛାଡ଼ୁନାହାନ୍ତି ସତ। ତେବେ ଉଚ୍ଚଶିକ୍ଷା ବ୍ୟବସ୍ଥାର ଦୋଦୁଲ୍ୟମାନ ସ୍ଥିତି ପିଲାଙ୍କ ଭବିଷ୍ୟତକୁ ଦୋହଲାଇ ଦେଇଛି। କରୋନା ଯୋଗୁଁ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ପରିଚାଳନାରେ ସମସ୍ୟା, ପରୀକ୍ଷା ଫଳ ଠିକ୍‌ ସମୟରେ ପ୍ରକାଶ ନ ପାଇବା, ସଠିକ୍‌ ସମୟରେ ନାମଲେଖା ପ୍ରକ୍ରିୟା ନ ହେବା ଦ୍ବାରା ଛାତ୍ରଛାତ୍ରୀ ଭବିଷ୍ୟତକୁ ଠିକ୍‌ ଭାବେ ବାଛିପାରିଲେ ନାହିଁ। କେଉଁଠି ପଢ଼ିବେ। କେମିତି ଉଚ୍ଚଶିକ୍ଷା କରିବେ ତାହାକୁ ନେଇ ଆଶଙ୍କାରେ ରହିଲେ। ଏବେ ବି ନାମଲେଖା ପ୍ରକ୍ରିୟାରେ ସ୍ଥିରତା ଆସିପାରି ନାହିଁ। ସ୍ନାତକ ନାମଲେଖାରେ ଗୋଟିଏ ପରେ ଗୋଟିଏ ତାରିଖ ଗଡ଼ୁଥିବାରୁ ପିଲାମାନେ ସମସ୍ୟାରେ ପଡ଼ିଛନ୍ତି। କ’ଣ କରିବେ ଜାଣିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର