ଭୁବନେଶ୍ବର: ଓଡ଼ିଆ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଇଗ୍ନୋ କୁଳପତି ପ୍ରଫେସର ଉମା କାଞ୍ଜିଲାଲଙ୍କ ଉପସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ରମାକାନ୍ତ ନାୟକ ଓ ଇଗ୍ନୋ କୁଳସଚିବ ଆଲୋକ ଚୌବେ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ବୁଝାମଣାପତ୍ର ଅନୁଯାୟୀ ଇଗ୍ନୋର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ(ଭୋକେସ୍‌ନାଲ୍‌ ଷ୍ଟଡିଜ୍‌), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ୪୦୦ ସ୍ନାତକ, ୨୦୦ ‌ସ୍ନାତକୋତ୍ତର ଓ ୫୦ରୁ ଅଧିକ ଡିପ୍ଲୋମା ପାଠ୍ୟକ୍ରମର ଅନୁବାଦ ହେବ। ଏଥିପାଇଁ ୨କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିସହ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମଗୁଡ଼ିକ ଉପଲବ୍ଧ କରିବାକୁ ଲକ୍ଷ୍ୟ ରଖଯାଇଛି।

Advertisment

    ଇଗ୍ନୋ ଓ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ରାଜିନାମା
    ଦୁଇ ବର୍ଷରେ ଅନୁବାଦ ହେବ ୬୫୦ ପାଠ୍ୟକ୍ରମ
    ଖର୍ଚ୍ଚ ହେବ ୨ କୋଟି ୪୫ ଲକ୍ଷ ଟଙ୍କା

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ କହିଲେ ଇଗ୍ନୋର ଏମ୍‌ବିଏ ପାଠ୍ୟକ୍ରମ ଓଡ଼ିଆରେ ଅନୁବାଦ ହୋଇଛି। ଏମ୍‌ବିଏ ପାଠ୍ୟକ୍ରମ ଲୋକାର୍ପଣ ଉତ୍ସବରେ ହିଁ ଇଗ୍ନୋର ସମସ୍ତ ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ପ୍ରଦାନ କରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଆଗ୍ରହ ଦେଖା‌ଇଥିଲେ ତାହାର ସଫଳ ରୂପାୟନ ଆଜିର ଏହି ଐତିହାସିକ ପଦକ୍ଷେପ ମାଧ୍ୟମରେ ହେବାକୁ ଯାଉଛି। ଆଗାମୀ ଦିନରେ ସମସ୍ତ ପୁସ୍ତକକୁ ଓଡ଼ିଆରେ ଅନୁଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଉଚ୍ଚଶିକ୍ଷା ଲାଭ କରିବାରେ ପାଠ୍ୟକ୍ରମର ଭାଷା ବା ମାଧ୍ୟମ ଆଉ ବାଧକ ସାଜିବ ନାହିଁ। ଏଥିସହ ଇ-ପୁସ୍ତକ ମଧ୍ୟ ପ୍ରସ୍ତୁତ ହେବ। ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ଶିକ୍ଷା ଓ ଉଚ୍ଚଶିକ୍ଷା ନିତ୍ୟାନ୍ତ ଅପରିହାଯ୍ୟ। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ହାତକୁ ନେଇଛନ୍ତି। ବିଦ୍ୟାଳୟ ଶିକ୍ଷା ଗ୍ରହଣ କରୁଥିବା ୧୦୦ ବିଦ୍ୟାର୍ଥୀଙ୍କ ମଧ୍ୟରୁ ମାତ୍ର ୨୨ଜଣ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ୨୦୩୬ ସୁଦ୍ଧା ଏହି ସଂଖ୍ୟା ଯେପରି ୫୦%ରେ ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ‌ସେ କହିଥିଲେ।

ସଚିବ ଶ୍ରୀ ଅଗ୍ରୱାଲ କହିଲେ ଜାତୀୟ ଶିକ୍ଷା ନୀତି ଆଧାରରେ ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ ହେଉଛି। ଏହା ଉଚ୍ଚଶିକ୍ଷାକୁ ଅଧିକ କ୍ରିୟାଶୀଳ କରିବାରେ ସହାୟକ ହେବ। ବିଶେଷକରି ଆଦିବାସୀ, ଉପାନ୍ତ ଓ ଗ୍ରମାଞ୍ଚଳର ଛାତ୍ରଛାତ୍ରୀ ଏହାଦ୍ୱାର ଉପକୃତ ହେବେ। ଇଗ୍ନୋର ଏବେ ଯେତିକି ଷ୍ଟଡି ସେଣ୍ଟର ରହିଛି ତାହାକୁ ବୃଦ୍ଧି କରାଯିବ ବୋଲି ସେ କହିଥିଲେ। ଇଗ୍ନୋ କୁଳପତି ପ୍ରଫେସର କାଞ୍ଜିଲାଲ କହିଲେ ଓଡ଼ିଶାରେ ଇଗ୍ନୋ କେନ୍ଦ୍ର ବଢ଼ିବା ସହ ଦିନକୁ ଦିନ ସୁଦୃଢ଼ ହେଉଛି ବୋଲି ମତବ୍ୟକ୍ତ କରିଥିଲେ। ବୁଝାମଣାପତ୍ର ସ୍ୱାକ୍ଷର ସମାରୋହରେ ବିଭିନ୍ନ ଜିଲ୍ଲାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଆଭାସୀ ମାଧ୍ୟମରେ ଯୋଗଦେଇ ଉଚ୍ଚଶିକ୍ଷା ବିଭାଗର ଏହି ପଦକ୍ଷେପକୁ ସ୍ୱାଗତ ଜଣାଇଥିଲେ।