ଏମିତି ଚାଲିଛି ଉଚ୍ଚଶିକ୍ଷା : ସ୍ୱୟଂଶାସିତ ମାନ୍ୟତା ହରାଇଛନ୍ତି ୮ କଲେଜ, ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱୟଂଶାସିତ ସାର୍ଟିଫିକେଟ୍
ଭୁବନେଶ୍ୱର/ଅନୁଗୁଳ : ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ୮ଟି ସ୍ୱୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ହରାଇଛନ୍ତି। ଯୁକ୍ତ୩ ଶିକ୍ଷା ଦେଉଥିବା ଏହି କଲେଜଗୁଡ଼ିକ ମଧ୍ୟରୁ ଅଧିକାଂଶ କଲେଜର ୫ ବର୍ଷ ହେଲା ମାନ୍ୟତା କଟିଯାଇଛି। ତଥାପି ସେମାନେ ନିଜକୁ ସ୍ୱୟଂଶାସିତ ବୋଲି ଦର୍ଶାଉଛନ୍ତି। ସ୍ୱୟଂଶାସିତ ମହାବିଦ୍ୟାଳୟ କହି ଛାତ୍ରଛାତ୍ରୀଙ୍କ ନାମ ଲେଖାଉଛନ୍ତି। ସେଥିମଧ୍ୟରୁ କେତେକ ମହାବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଖୋଲି ପିଲାଙ୍କୁ ଭୂଆଁ ବୁଲାଯାଇ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି। ସ୍ୱୟଂଶାସିତ ମାନ୍ୟତା ନ ଥାଇ ସ୍ୱୟଂଶାସିତ ସାର୍ଟିଫିକେଟ୍ ବାଣ୍ଟୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ୧୫ଟି ସ୍ୱୟଂଶାସିତ ମହାବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ଅର୍ଧାଧିକ କଲେଜ ୨୦୧୩ରେ ମାନ୍ୟତା ହରାଇଛନ୍ତି। ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ଅଡ଼ଶପୁର କଲେଜ, ଢ଼େଙ୍କାନାଳ କଲେଜ, ଯାଜପୁରର ଏନ୍ସି କଲେଜ, ପୁରୀର ଏସ୍ସିଏସ୍ କଲେଜ, ଜଗତ୍ସିଂହପୁରର ଏସ୍ଭିଏମ୍ କଲେଜ, ନିମାପଡ଼ା ସ୍ୱୟଂଶାସିତ କଲେଜ, ତାଳଚେର କଲେଜର ସ୍ୱୟଂଶାସିତ ମାନ୍ୟତା ଶେଷ ହୋଇଛି। ଅନ୍ୟ ୭ଟି କଲେଜର ମାନ୍ୟତା ଏବେ ରହିଛି। ୨୦୧୯ ଓ ୨୦୨୦ରେ ୪ଟି କଲେଜର ସ୍ୱୟଂଶାସିତ ମାନ୍ୟତା ସରିବ। ଯଦି ସମ୍ପୃକ୍ତ ମହାବିଦ୍ୟାଳୟଗୁଡ଼ିକ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିକଟରେ ଆବେଦନ ନ କରନ୍ତି ତେବେ ସ୍ୱୟଂଶାସିତ ମାନ୍ୟତା କଟିଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଏପରିକି ସ୍ୱୟଂଶାସିତ ମାନ୍ୟତା ନ ଫେରିଲେ ଉକ୍ତ କଲେଜଗୁଡ଼ିକ ଉତ୍କଳ ବିଶ୍ୱବିଦ୍ୟାଳୟର ସହବନ୍ଧିତ ମହାବିଦ୍ୟାଳୟ ଭାବେ ପରିଗଣିତ ହେବେ। ୨୦୧୬ରେ ୟୁଜିସି ପକ୍ଷରୁ ଅଡଶପୁର କଲେଜର ଶୈକ୍ଷିକ ଓ ଭିତ୍ତିଭୂମି ଯାଞ୍ଚ ହୋଇଥିଲେ ମଧ୍ୟ ଦୁଇ ବର୍ଷ ହେଲା ରିପୋର୍ଟ ଆସି ନ ଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ସ୍ୱୟଂଶାସିତ ମାନ୍ୟତା କଟିବା ଦ୍ୱାରା କଲେଜଗୁଡ଼ିକ ଅନେକ ସମସ୍ୟାର ସମ୍ମୁଖୀନ ହେବେ। ପ୍ରଶ୍ନପତ୍ର ପ୍ରସ୍ତୁତ ଓ ନିଜସ୍ୱ ପରୀକ୍ଷା ପରିଚାଳନା କରିପାରିବେନି। ରେଜଲ୍ଟ ମଧ୍ୟ ପ୍ରକାଶ କରିପାରିବେ ନାହିଁ। ଏବେ ମହାବିଦ୍ୟାଳୟଗୁଡ଼ିକ ନିଜସ୍ୱ ସିଲାବସ୍ ପ୍ରସ୍ତୁତି କରିବା ସହ ଅଧ୍ୟାପକ ପ୍ରଶିକ୍ଷଣ, କର୍ମଶାଳା, ଅତିଥି ଅଧ୍ୟାପକ ନିଯୁକ୍ତି, ଦକ୍ଷତା ବିକାଶ କାର୍ଯ୍ୟ କରୁଛନ୍ତି। ମାନ୍ୟତା ହରାଇବା ପରେ ଏହି ସବୁ କାର୍ଯ୍ୟ ଆଉ ମହାବିଦ୍ୟାଳୟ କରିପାରିବ ନାହିଁ। ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ହେବ। ୪ରୁ ୬ ବର୍ଷ ହେଲା ମାନ୍ୟତା ହରାଇଥିଲେ ମଧ୍ୟ ସମ୍ପୃକ୍ତ ମହାବିଦ୍ୟାଳୟଗୁଡ଼ିକ ବିଶ୍ୱବ୍ୟାଙ୍କ ଓ ରୁଷାରୁ ୫ରୁ ୭ କୋଟି ଟଙ୍କା ହାତଉଛନ୍ତି। ଏଥିପ୍ରତି ରାଜ୍ୟ ସରକାର, ବିଶ୍ୱବିଦ୍ୟାଳୟ କିମ୍ବା ୟୁଜିସି କର୍ତୃପକ୍ଷ କୌଣସି କଡ଼ା ପଦକ୍ଷେପ ନେଇନାହାନ୍ତି। ଯେଉଁଥିପାଇଁ କଲେଜଗୁଡ଼ିକ ସ୍ୱୟଂଶାସିତ ଦର୍ଶାଇ ବେଆଇନ ଭାବେ ନିଜସ୍ୱ ପରୀକ୍ଷା କରୁଛନ୍ତି। ୟୁଜିସିର ୨୦୧୬ର ଗାଇଡ୍ଲାଇନ୍ ଅନୁଯାୟୀ ଯେଉଁଁ ସ୍ୱୟଂଶାସିତ କଲେଜ ନାକ୍ ‘ଏ’ ଗ୍ରେଡ୍ ନ ପାଇବେ ସେମାନଙ୍କ ସ୍ୱୟଂଶାସନ ମାନ୍ୟତା ହରାଇବେ ବୋଲି ଜଣାପଡ଼ିଛି।
ଉତ୍କଳ ବିଶ୍ୱବିଦ୍ୟାଳୟ କଲେଜ ଡେଭଲପ୍ମେଣ୍ଟ କାଉନସିଲ୍(ସିଡିସି)ର ନିର୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି ଯେ କଲେଜ ଅଧିକ ଦିନ ସ୍ୱୟଂଶାସିତ ମାନ୍ୟତା ନ ରହିଲେ ସହବନ୍ଧିତ ମହାବିଦ୍ୟାଳୟ ଭାବେ ଗଣନା କରିବୁ। ଆଶା କରୁଛୁ କଲେଜଗୁଡ଼ିକ ଏଦିଗରେ ପଦକ୍ଷେପ ଗ୍ରହଣ କରିବେ।