ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ତୁଟୁ ନ ଥିବାରୁ ନିଯୁକ୍ତି ପ୍ରକ୍ରିୟା ଆଗେଇପାରୁ ନାହିଁ। ଯେଉଁଥିପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକରେ ଅଚଳାବସ୍ଥା ଦେଖାଦେଇଛି। କେଉଁଠି ଜଣେ ପ୍ରଫେସରରେ ବିଭାଗ ଚାଲିଛି। ତ ଆଉ କେଉଁଠି ଅତିଥି ଅଧ୍ୟାପକ ସାଜିଛନ୍ତି ଭରସା। ସ୍ଥିତି ଏମିତି ହେଲାଣି ଯେ ଯୋଗ୍ୟତା ନ ଥିବା ବ୍ୟକ୍ତିବିଶେଷ ଏବେ ପିଜି ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ସ୍ଥାନେ ସ୍ଥାନେ ଅବସରପ୍ରାପ୍ତ ପ୍ରଫେସରଙ୍କ କାନ୍ଧରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଲଦି ଦିଆଯାଇଛି। ଏହାଦ୍ବାରା ଶିକ୍ଷାନୁଷ୍ଠାନର କେତେ ଲାଭ କ୍ଷତି ହେଉଛି ତାହାର କୌଣସି ତର୍ଜମା କରାଯାଉ ନାହିଁ। ଗବେଷଣା କଥା ନ କହିବା ଭଲ। କାଁ ଭାଁ ବିଭାଗରେ ଗବେଷଣା ଚାଲିଛି, ନ ହେଲେ ନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟ ପରି ରାଜ୍ୟର ନାମକରା ଶିକ୍ଷାନୁଷ୍ଠାନରେ ଦୁଇ ବର୍ଷ ହେଲା ପିଏଚ୍ଡି ପାଠ୍ୟକ୍ରମରେ ନାମଲେଖା ବନ୍ଦ ହୋଇଯାଇଛି। ଖଲ୍ଲିକୋଟ, ବିକ୍ରମଦେବ ଓ ଧରଣୀଧର ବିଶ୍ବବିଦ୍ୟାଳୟରେ ଶିକ୍ଷକ ପଦବି ସୃଷ୍ଟି ହୋଇପାରି ନାହିଁ। ନୂଆ କରି ସୃଷ୍ଟି ହୋଇଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ମଞ୍ଜୁରି ହୋଇଥିବା ପଦବି ମଧ୍ୟରୁ ଶତାଧିକ ଖାଲି ପଡ଼ିଛି। ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟରେ ୧୨୦ରୁ ଅଧିକ ପ୍ରଫେସର ନାହାନ୍ତି। ଅନ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଉପୁଜିଛି।
କେବଳ ସେତିକି ନୁହେଁ, ଜାତୀୟ ଶିକ୍ଷା ନୀତି(ଏନ୍ଇପି)-୨୦୨୦କୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ସେଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଉଚ୍ଚଶିକ୍ଷା ପରିଷଦ ଗଠନ କରି ଅବସରପ୍ରାପ୍ତ ପ୍ରଫେସରଙ୍କୁ ଥଇଥାନ କରାଯାଇଛି। ପରିଷଦ କିଭଳି ଭାବେ କାର୍ଯ୍ୟ କରୁଛି ସେଥିପ୍ରତି କାହାର ଧ୍ୟାନ ନାହିଁ। ଦେଶର ଅନ୍ୟ ରାଜ୍ୟମାନେ ଏନ୍ଇପି ଲାଗୁ କରିଥିବା ବେଳେ ଓଡ଼ିଶାରେ ସେମିତି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। କେବଳ ଯାହା ମନସମନ୍ଥନରେ ସବୁ କିଛି ଅଟକିଛି। ଏହାରି ଭିତରେ ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଥିବାରୁ ଏନ୍ଇପିର କାର୍ଯ୍ୟକାରିତା ଓ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନର ସମାଧାନ ନେଇ ଆଶା ସଞ୍ଚାର ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବରେ ଓଡ଼ିଶାର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି। ରାଜ୍ୟର ନୂତନ ସରକାରରେ ସୂର୍ଯ୍ୟବଂଶୀ ସୂରଜ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ବରେ। ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆରମ୍ଭ ହୋଇଥିବାରୁ ଉଚ୍ଚଶିକ୍ଷା ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ହେବା ନେଇ ଆଶା ସୃଷ୍ଟି ହୋଇଛି।
ନିର୍ବାଚନ ପୂର୍ବରୁ ଓଡ଼ିଶାର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ସଙ୍କଟ ଦେଖାଦେବା ସହ ଶିକ୍ଷାଦାନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା। ତାହା ଉପରୁ ଲୋକଙ୍କ ନଜର ହଟାଇବାକୁ ନବୀନ ପଟ୍ଟନାୟକ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ନିଷ୍ପତ୍ତି ନେଇଥିଲେ। ଠିକ୍ ନିର୍ବାଚନ ଆଗରୁ ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତିକୁ ରଦ୍ଦ କରି ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଉପରେ ଗୁରୁତ୍ବ ଦେବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ ନବୀନ ସରକାରରେ ଏହି ଅବସରପ୍ରାପ୍ତ ପ୍ରଫେସର ଥଇଥାନ ନୀତି ଉଚ୍ଚ ଶିକ୍ଷାନୁଷ୍ଠାନର ଶିକ୍ଷା କିମ୍ବା ଗବେଷଣା କ୍ଷେତ୍ରରେ କୌଣସି ପ୍ରକାର ନୂତନ ଆଗ୍ରହ କିମ୍ବା ଉତ୍ସାହ ଆଣିପାରିବ ନାହିଁ। ବରଂ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ସୁପ୍ରିମକୋର୍ଟରେ ପଡ଼ିରହିଥିବା ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନର ସମାଧାନ ପାଇଁ ଉଦ୍ୟମ କରିବା ଦରକାର, ଯାହାକି ରାଜ୍ୟର ଶିକ୍ଷା ବ୍ୟବସ୍ଥା ‘ଡବଲ ଇଞ୍ଜିନ୍’ ସରକାରର ହିତାଧିକାରୀ ପାଲଟିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ପଦବି ଖାଲି ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରଖାଯାଇ ପଦକ୍ଷେପ ନିଆଯିବ। କେଉଁଠି ସମସ୍ୟା ରହିଛି ସେନେଇ ସଚିବଙ୍କ ସହ ଆଲୋଚନା ହୋଇଛି। ତାହାକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।