୧୬ରୁ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ! ସେପ୍ଟେମ୍ବରରେ ବାକି ସେମିଷ୍ଟର ପରୀକ୍ଷା

ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ କର୍ତୃପକ୍ଷଙ୍କ ଅସନ୍ତୋଷ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜ ଆସନ୍ତା ୧୬ ତାରିଖରୁ ଖୋଲିବ। କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ସେମାନଙ୍କର କ୍ୟାମ୍ପସକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ବାକି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ କରାଯିବ। କରୋନା ସଂକ୍ରମଣ ସାମାନ୍ୟ କମିଥିବାରୁ ହଷ୍ଟେଲଗୁଡ଼ିକ ମଧ୍ୟ ‌ଖୋଲିବା ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜର ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍‌ଲାଇନ୍‌ରେ ଚାଲିଛି। ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଏହି ପରୀକ୍ଷା ଶେଷ ହୋଇଯିବ। ତେଣୁ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କର କ୍ୟାମ୍ପସ୍‌କୁ ଆସିବାର କୌଣସି ଆବଶ୍ୟକତା ନାହିଁ। ତାହାକୁ ଦୃଷ୍ଟିରେ ରଖି ୨୦୨୦-୨୧ ଶିକ୍ଷାବର୍ଷରେ ନାମ ଲେଖାଇଥିବା ତଥା ପ୍ରଥମ ବର୍ଷର ପିଜି ଛାତ୍ରଛାତ୍ରୀ ଓ ୟୁଜିର ଅନ୍ୟାନ୍ୟ ସେମିଷ୍ଟର ପିଲାଙ୍କ ପାଠପଢ଼ା ଉପରେ ଗୁରୁତ୍ବ ଦିଆଯାଇଛି। କୋଭିଡ୍‌ ମୁକାବିଲା ପାଇଁ କ୍ୟାମ୍ପସରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ କୁହାଯାଇଛି।
ଅନ୍ୟପକ୍ଷରେ ବାକି ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ବବିଦ୍ୟାଳୟଗୁଡ଼ିକୁ ମୌଖିକ ଭାବେ କହିଛନ୍ତି। ଯାହାକୁ ନେଇ ଶିକ୍ଷାନୁଷ୍ଠାନ କର୍ତୃପକ୍ଷଙ୍କ ସମେତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବେ ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ପଟେ ପାଠପଢ଼ା ବିଳମ୍ବ ହେଉଥିବା ବେଳେ ଅନ୍ୟପଟେ ପରୀକ୍ଷା କରି ଚାପ ସୃଷ୍ଟି କରାଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ହେଲା କରୋନା ଯୋଗୁଁ ଏପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟାର ପାଠପଢ଼ା ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ। ଏଭଳି ସମୟରେ ସେପ୍ଟେମ୍ବର ମାସରେ ସେମିଷ୍ଟର ପରୀକ୍ଷା କରିବାକୁ ବିଶ୍ବବିଦ୍ୟାଳୟଗୁଡ଼ିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହ ପ୍ରଥମ ସେମିଷ୍ଟାର ପାଠପଢ଼ା ସରି ନ ଥିବା ବେଳେ ଅଗଷ୍ଟ ଶେଷ ସପ୍ତାହରୁ ପିଜି ଦ୍ବିତୀୟ ସେମିଷ୍ଟାର ପାଠପଢ଼ା ଆରମ୍ଭ ହେବ ବୋଲି କୁହାଗଲାଣି। ଦ୍ବିତୀୟ ସେମିଷ୍ଟର ପାଠପଢ଼ା ସମୟରେ ପ୍ରଥମ ସେମିଷ୍ଟର ପରୀକ୍ଷା କରାଇବା କେତେଦୂର ଯୁକ୍ତିଯୁକ୍ତ? ଏହାଦ୍ବାରା ପିଲାଙ୍କ ଉପରେ ଚାପ ପକାଯାଉଛି। ସେମିଷ୍ଟର ପରୀକ୍ଷା ବଦଳରେ ଇଣ୍ଟରନାଲ ଆସେସ୍‌ମେଣ୍ଟ କରାଯାଇ ତାହା ଆଧାରରେ ମୂଲ୍ୟାୟନ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

କେତେକ ଶିକ୍ଷାନୁଷ୍ଠାନ କହିଛନ୍ତି ଯେ ଶେଷ ବର୍ଷ ପିଲାଙ୍କ ପରୀକ୍ଷା ଚାଲିଛି। ପରୀକ୍ଷା‌ ଶେଷ ହେବା କ୍ଷଣି ଖାତା ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ କରାଯିବ। ଏଥିପାଇଁ ସମୟ ଲାଗିବ। ତା’ ଭିତରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ବିତୀୟ ସେମିଷ୍ଟର ପାଠପଢ଼ା, ପ୍ରଥମ ସେମିଷ୍ଟର ପରୀକ୍ଷା କିଭଳି କରାଯିବ। ଉଚ୍ଚଶିକ୍ଷା ବିଭାଗ ବିଳମ୍ବରେ ନିଷ୍ପତ୍ତି ନେବା ସହ ଚାପ ସୃଷ୍ଟି କରୁଥିବା କଲେଜଗୁଡ଼ିକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର