ଉଚ୍ଚଶିକ୍ଷାରେ ସଂସ୍କାର ପ୍ରକ୍ରିୟା ଆରମ୍ଭ : ଗ୍ରୀଷ୍ମଛୁଟି ପରେ ସବୁ ବିଶ୍ୱବିଦ୍ୟାଳୟର ଫାଙ୍କା ପଦବି ପୂରଣ

ଭୁବନେଶ୍ୱର : ଉଚ୍ଚଶିକ୍ଷାରେ ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନେ ଦେଇଥିବା ପରାମର୍ଶ ଆଧାରରେ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟ, କଲେଜଗୁଡ଼ିକରେ ଯେତେସଂଖ୍ୟକ ପଦ ଖାଲି ପଡ଼ିଛି, ସେଗୁଡ଼ିକୁ ଗ୍ରୀଷ୍ମଛୁଟି ପରେ ପୂରଣ କରାଯିବ। ସେହିପରି ରେଭେନ୍‌ସା ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କୁଳପତିଙ୍କ ସହିତ ଖୁବଶୀଘ୍ର ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତିି।

ଆଜି ଉଚ୍ଚଶିକ୍ଷା ବିଭାଗର ସଫଳତା ସଂପର୍କରେ ବିସ୍ତତ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଲେ, ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ସାଧାରଣ ପ୍ରବେଶିକା ପରୀକ୍ଷା, ପାଠ୍ୟକ୍ରମରେ ସମାନତା, ପରୀକ୍ଷାରେ ସୁଧାର, ସଠିକ୍‌ ସମୟରେ ପରୀକ୍ଷା ପରିଚାଳନା, ଫଳାଫଳ ପ୍ରକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି। ଖାଲି ପଡ଼ିଥିବା ପଦବି ସଂପର୍କରେ ସେ କହିଲେ, ୫୨ଟି ସରକାରୀ କଲେଜରେ ୨୦୧୯ଟି ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୧୨୯୬ଜଣ ଅଧ୍ୟାପକ କାର୍ଯ୍ୟରତ। ପ୍ରାୟ ୭୦୦ଟି ପଦ ପାଇଁ ଲୋକସେବା କମିସନଙ୍କୁ ରିକ୍ୟୁଜିସନ୍‌ କରାଯାଇଛି। ସେଥିମଧ୍ୟରୁ ୫୬୧ଟି ପଦ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ସେହିପରି ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଥିବା ୬୩୬୪ଟି ପଦବି ମଧ୍ୟରୁ ୪୬୯୮ଜଣ କାର୍ଯ୍ୟରେ ଅଛନ୍ତି। ଅବଶିଷ୍ଟ ପଦବି ପୂରଣ ପାଇଁ ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନଙ୍କୁ ଅନୁରୋଧ କରାଯାଇଥିବା ସେ ସୂଚନା ଦେଇଥିଲେ। ସରକାରଙ୍କ କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଓ ପେସାଗତ ପାଠ୍ୟକ୍ରମ ପାଇଁ ୧ ପ୍ରତିଶତ ସୁଧରେ ଶିକ୍ଷାଋଣ ସମସ୍ୟା ନେଇ ମନ୍ତ୍ରୀ କହିଲେ ଯେ ବ୍ୟାଙ୍କଗୁଡ଼ିକ ଏ କ୍ଷେତ୍ରରେ ଅସହଯୋଗ କରୁଥିବା ତାଙ୍କ ନଜରକୁ ଆସିଥିବା ପ୍ରକାଶ କରିଥିଲେ। ସମ୍ମିଳନୀରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର