ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ର୍ୟତାକୁ କ୍ଷୁଣ୍ଣ କରିବ ନାହିଁ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବ ପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହୋଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା ।ଏପରି ସ୍ଥିତିରେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି। ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସଂପର୍କରେ ଆୟୋଜିତ ଏକ ୱେବିନାରରେ ଅଧ୍ୟାଦେଶର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରି ମନ୍ତ୍ରୀ ଡ ସାହୁ କହିଲେ ନୂତନ ସଂସ୍କାର ଫଳରେ ବିଶ୍ୱବିଦ୍ୟାଳୟ ଏବଂ କୁଳପତିଙ୍କର ସ୍ୱାତନ୍ତ୍ରତା କ୍ଷୁଣ୍ଣ ହେବନାହିଁ। ଅପରପକ୍ଷେ କୁଳପତିଙ୍କର କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି ଏବଂ କୁଳପତିମାନଙ୍କର ଅବସର ସମୟସୀମା ୬୭ ବର୍ଷକୁ ବୃଦ୍ଧି କରାଯିବା ଫଳରେ କୁଳପତିମାନେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଦୀର୍ଘମିଆଦି ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିବେ।

ନୂତନ ଅଧ୍ୟାଦେଶରେ କୁଳପତି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କର ଭୂମିକା ନାହିଁ। କୁଳପତିଙ୍କ ଦ୍ୱାରା ଗଠିତ କମିଟିର ସୁପାରିଶ ଅନୁଯାୟୀ କୁଳାଧିପତି ୩ ଜଣ ମଧ୍ୟରୁ ଜଣଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇଥାଆନ୍ତି। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ପରାମର୍ଶ ଆବଶ୍ୟକତା ନାହି କିମ୍ବା କୁଳାଧିପତି ରାଜ୍ୟ ସରକାରଙ୍କ ସହମତି ଲୋଡ଼ନ୍ତି ନାହିଁ।

ଯେହେତୁ ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ୧୦ ଜଣ ସଦସ୍ୟ ଥାଆନ୍ତି, ସେ କ୍ଷେତ୍ରରେ ସିଣ୍ଡିକେଟ କୁଳପତି ଚୟନ କ୍ଷେତ୍ରରେ ଏକ ଆଗ୍ରହୀ ପକ୍ଷେ ଭାବେ ବିବେଚିତ ହୋଇଥାଏ। ଏପରି କ୍ଷେତ୍ରରେ ଔଚିତ୍ୱ ଏବଂ ସ୍ୱଚ୍ଛତା ଦୃଷ୍ଟିରୁ ସିଣ୍ଡିକେଟକୁ କୁଳପତି ଚୟନ ପ୍ରକ୍ରିୟା ଦୂରେଇ ରଖିବା ବାଂଛନୀୟ। ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର, ପଂଜାବ, ଆନ୍ଧ୍ର ପ୍ରଦେଶ ଓ ବିହାର ତୁଳନାରେ ଓଡ଼ିଶାର ରାଜ୍ୟ ସରକାରଙ୍କ କୁଳପତି ଚୟନ କ୍ଷେତ୍ରରେ କୌଣସି ଭୂମିକା ନାହିଁ।

ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ସିନେଟ ବ୍ୟବସ୍ଥା ଉଚ୍ଛେଦ କରାଯାଇ ସିଣ୍ଡିକେଟର ପୁର୍ନଗଠନ କରାଯାଇଛି। ଏହାଦ୍ୱାରା ଏହା ଅଧିକ ବ୍ୟବସ୍ଥିତ ହୋଇପାରିବ। ପୂର୍ବପରି ସିଣ୍ଡିକେଟ ଅଧ୍ୟକ୍ଷ ରହିବେ। ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅଧ୍ୟକ୍ଷ ହେବେ ନାହିଁ। ସିଣ୍ଡିକେଟର ନିଷ୍ପତ୍ତି ବହୁମତରେ ନିଆଯାଏ। ସିଣ୍ଡିକେଟରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ସଂଖ୍ୟାଧିକ ସଦସ୍ୟ ରହୁଥିବା ଦୃଷ୍ଟିରୁ ସିଣ୍ଡିକେଟରେ ବିଶ୍ୱବିଦ୍ୟାଳୟର ପ୍ରଭାବ ଅକ୍ଷୁଣ୍ଣ ରହିବ ବୋଲି ମନ୍ତ୍ରୀ ଡ. ସାହୁ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର