ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କରିବେ। କରୋନାକୁ ନେଇ ପାଠପଢାରେ ଉପୁଜୁଥିବା ସମସ୍ୟା ଓ ୟୁଜିସି ପକ୍ଷରୁ ଜାରି ନିୟମାବଳୀ ସମ୍ବନ୍ଧରେ ଆଲୋଚନା ହେବାର ସମ୍ଭାବନା ରହିଛି। ଉକ୍ତ ଦିନ ପୂର୍ବାହ୍ନ ୧୦ଟାରେ ମନ୍ତ୍ରୀ ଶ୍ରୀ ସାହୁ ଲୋକସେବା ଭବନରେ ଭିଡିଓ କନ୍‌ଫରେନ୍ସିଂରେ ଉପସ୍ଥିତ ରହିବେ। ପ୍ରାୟ ଦୁଇ ଘଣ୍ଟା ଧରି ଏହି ଆଲୋଚନା ଚାଲିବ। ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଲୋକସେବା ଭବନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରେକ୍ଷାଳୟରେ ଉପସ୍ଥିତ ରହିବେ। ଅନ୍ୟ ବିଶ୍ବବିଦ୍ୟାଳୟର କୁଳପତିମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭିଡିଓ କନ୍‌ଫରେନ୍ସିଂ ହଲ୍‌ରେ ଭାଗନେବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓକାକ୍‌ କର୍ତ୍ତୃପକ୍ଷଙ୍କୁ ଭିଡିଓ କନ୍‌ଫରେନ୍ସ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ସୋମବାର ଚିଠି ଲେଖି ଲୋକାସେବା ଭବନ ଓ ବିଶ୍ବବିଦ୍ୟାଳୟ ଥିବା ଜିଲାରେ ଭିଡିଓ କନ୍‌ଫରେନ୍ସ ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।