ମନ୍ତ୍ରୀଙ୍କ ପରେ କେନ୍ଦ୍ରକୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ : ୟୁଜି ଓ ପିଜି ପରୀକ୍ଷାକୁ ବାଧ୍ୟତାମୂଳକ କରା ନ ଯାଉ

ଭୁବନେଶ୍ୱର : ୨୦୧୯-୨୦ ଶିକ୍ଷାବର୍ଷ ଲାଗି ଅଣ୍ଡର ଗ୍ରାଜୁଏଟ୍(ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ୍(ପିଜି) ଶେଷ ସେମିଷ୍ଟର୍‌ ପରୀକ୍ଷାକୁ ବାଧ୍ୟତାମୂଳକ କରା ନ ଯାଉ। ଜୁଲାଇ ୬ ତାରିଖରେ ୟୁଜିସି ପକ୍ଷରୁ ପରୀକ୍ଷା ସମ୍ପର୍କରେ ଜାରି ହୋଇଥିବା ମାର୍ଗଦର୍ଶିକାକୁ ବିରୋଧ କରି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗତକାଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ’ ନିକଟଙ୍କୁ ଚିଠି ଲେଖିଥିଲେ। ଏହାକୁ ୨୪ଘଣ୍ଟା ନ ପୂରୁଣୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ଉଚ୍ଚଶିକ୍ଷା ସଚିବ ଅମିତ୍‌ ଖାରେଙ୍କ ନିକଟକୁ ପତ୍ର ଲେଖିଛନ୍ତି। ମନ୍ତ୍ରୀ ଶ୍ରୀ ସାହୁଙ୍କ ଦ୍ବାରା ଲେଖାଯାଇଥିବା ପତ୍ରକୁ ଆଧାର କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଦୁଇ ଦିନରେ ଦୁଇଟି ଚିଠିରୁ ଓଡ଼ିଶା ଉଚ୍ଚଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସ୍ପଷ୍ଟ ଜଣାପଡ଼ୁଛି। ଅତ୍ୟାଧୁନିକ ଜ୍ଞାନ କୌଶଳରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଥିବା ଯେତେ ଡେଙ୍ଗୁରା ପିଟାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଶିକ୍ଷାଦାନ ଓ ପରୀକ୍ଷା ବ୍ୟବସ୍ଥା ହୋଇପାରି ନାହିଁ। ଭର୍ଚୁଆଲ ଲ୍ୟାବ୍‌, ସ୍ମାର୍ଟ କ୍ଲାସରୁମ୍‌ କରାଯାଇଥିଲେ ମଧ୍ୟ ତାହା ସଠିକ୍‌ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ। ପରୀକ୍ଷା କରିବା ଦୂରର କଥା, ଏପର୍ଯ୍ୟନ୍ତ ଅନ୍‌ଲାଇନ୍‌ କ୍ଲାସ ବି କରାଯାଇ ପାରି ନ ଥିବା ସୂଚନା ମିଳିଛି। ୮୦୦ ଡିଗ୍ରି କଲେଜ କଥା ଦୂରରେ ଥାଉ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମାତ୍ର ୧୧ଟି ବିଶ୍ବବିଦ୍ୟାଳୟ ରହିଥିଲେ ମଧ୍ୟ ‌ଗୋଟିଏରେ ବି ଅନ୍‌ଲାଇନ୍‌ ପରୀକ୍ଷା ଲାଗି ଭିତ୍ତିଭୂମି କରାଯାଇ ନ ଥିବା ଉଭୟ ମନ୍ତ୍ରୀ ଓ ସଚିବ ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ଗୋଟିଏ ପଟେ ଅନ୍‌ଲାଇନ୍‌ ଲାଗି ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବା ଉଭୟ ମନ୍ତ୍ରୀ ଓ ସଚିବ କହୁଥିବା ବେଳେ ଅନ୍ୟପଟେ ଅନ୍‌ଲାଇନ୍‌ରେ ପାଠ ପଢ଼ାଇବାକୁ ଗତ ସପ୍ତାହରେ ସଚିବ ଶ୍ରୀ ମିଶ୍ର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପରୀକ୍ଷା କରାଇବାକୁ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ, ତେବେ ପିଲାଙ୍କୁ ଅନ୍‌ଲାଇନ୍‌ରେ କେମିତି ପଢ଼ାଇବେ ବୋଲି ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର