ବିଜେବି କଲେଜରେ ଗୁଡ଼ାଏ ନିର୍ମାଣ କାର୍ଯ୍ୟ ଚାଲିଛି। ତାହାକୁ ତଦାରଖ କରିବାକୁ ଯାଇଥିଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ତାଙ୍କ ସହ ଥିଲେ ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ। ବିଭାଗୀୟ ସଚିବଙ୍କୁ ସାଙ୍ଗରେ ନେଲେ ନିଶ୍ଚିତ ଭାବେ କାମ ତ୍ବରାନ୍ବିତ କରିବାକୁ ଅଧିକାରୀମାନେ ଲାଗି ପଡ଼ିବେ। କିନ୍ତୁ ସେଦିନ ସଚିବଙ୍କୁ ସ୍ବାଗତ କରି ଫାଟକ ସାମ୍ନାରେ ଯେମିତି ବ୍ୟାନର୍‌ ଲାଗିଥିଲା, ତାହାକୁ କେହି ସହଜରେ ହଜମରେ କରିପାରୁ ନାହାନ୍ତି। ‘ବିଜେବି କ‌ଲେଜ ଷ୍ଟୁଡେଣ୍ଟ୍ସ ଆସୋସିଏସନ୍‌’ ନାମରେ ବ୍ୟାନର୍‌ଟି ଲଗାଯାଇଥିଲା। ସେଥିରେ ଗୋଟିଏ ପଟେ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ଅନ୍ୟ ପଟେ ସଚିବ ଶ୍ରୀ ଅଗ୍ରୱାଲଙ୍କ ଫଟୋ ରଖି ସ୍ବାଗତ କରାଯାଇଥିଲା।

Advertisment

publive-image

ମନ୍ତ୍ରୀ ଶ୍ରୀ ପଣ୍ଡା ସ୍ଥାନୀୟ ବିଧାୟକ ହୋଇଥିବାରୁ ତାଙ୍କ ସମର୍ଥକ ଥିବା କିଛି ଛାତ୍ର ନେତା ସ୍ବାଗତ ବ୍ୟାନର୍‌ଟିଏ ଟଙ୍ଗାଇଦେବାରେ କିଛି ଅସ୍ବାଭାବିକତା ନଥିଲା। କିନ୍ତୁ ନିଜ ବିଭାଗ କାର୍ଯ୍ୟର ସମୀକ୍ଷା କରିବାକୁ ଆସିଥିବା ସଚିବଙ୍କୁ ସ୍ବାଗତ ପାଇଁ ତାଙ୍କ ଫଟୋ ଥିବା ବ୍ୟାନର୍‌ ଲଗାଯିବାଟା ଆଦୌ ସ୍ବାଭାବିକ ବୋଲି କୁହାଯିବନି। ବିଭାଗୀୟ ସଚିବ ଆସିଲେ କଲେଜ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିବା ସାଧାରଣ କଥା। କିନ୍ତୁ ଛାତ୍ରଛାତ୍ରୀମାନେ ଏତେ ଉତ୍ସାହିତ ହୋଇ କାହିଁକି ବ୍ୟାନର୍‌ଟି ଟାଙ୍ଗିଦେଲେ, ତାହା ବୁଝାପଡ଼ୁନି। ସଚିବଙ୍କ ଫଟୋ ଲଗାଇବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ନା ଛାତ୍ରଛାତ୍ରୀମାନେ ନିଜ ଆଡ଼ୁ ଏମିତି କରିଥିଲେ? ସଚିବ ନିଜ ଫଟୋ ଥିବା ସ୍ବାଗତ ବ୍ୟାନର୍‌ ଦେଖି ଖୁସି ହେଲେ କି ବିରକ୍ତ ହେଲେ, ତାହା ଜଣାପଡ଼ିଲାନି। ଆହୁରି ମଧ୍ୟ କଲେଜରେ ନିର୍ବାଚନ ହେଉ ନଥିବା ବେଳେ ‘ବିଜେବି କ‌ଲେଜ ଷ୍ଟୁଡେଣ୍ଟ୍ସ ଆସୋସିଏସନ୍‌’ କୋଉଠୁ ଆସିଲା, ତାହା ବି ପ୍ରଶ୍ନ ଚିହ୍ନ ଲଗାଇଛି।

-ଅମିତାଭ