ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଉଚ୍ଚଶିକ୍ଷା ସ୍ଥିତି : ବିଦେଶୀ ପିଲାଙ୍କ ସଂଖ୍ୟା ନୈରାଶ୍ୟଜନକ

ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୧୫
ପଢ଼ୁଛନ୍ତି ମାତ୍ର ୩୦୯ ଜଣ, ପିଏଚ୍‌ଡି କରିବାକୁ ଆସିନାହାନ୍ତିି ଛାତ୍ରୀ

ଭୁବନେଶ୍ୱର : ଓଡ଼ିଶାର ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବାକୁ ଯୋଜନା ପରେ ଯୋଜନା ହେଉଛି। ଗୋଟିଏ ପରେ ଗୋଟିଏ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଉଛି। ଘରୋଇ ବିଶ୍ୱବିଦ୍ୟାଳୟ ସ୍ଥାପନ ଲାଗି ରାଜିନାମା ବି ସ୍ୱାକ୍ଷର କରାଯାଉଛି। ଏତେ ସବୁ ପରେ ମଧ୍ୟ ଓଡ଼ିଶାରେ ଉଚ୍ଚଶିକ୍ଷା ଲାଗି ବିଦେଶୀ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏଭଳି ସ୍ଥିତି ହୋଇଛି ଯେ ଓଡ଼ିଶାଠାରୁ ଛୋଟ ରାଜ୍ୟ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜଣାପଡ଼ିଛି।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସର୍ଭେରେ ବିଦେଶୀ ଛାତ୍ରଛାତ୍ରୀଙ୍କ ଆକୃଷ୍ଟ କରିବା କ୍ଷେତ୍ରରେ ଓଡ଼ିଶା ୧୫ତମ ସ୍ଥାନରେ ରହିଛି। ଉଚ୍ଚଶିକ୍ଷା ଲାଗି ରାଜ୍ୟରେ ୨୪ଟି ବିଶ୍ୱବିଦ୍ୟାଳୟ ରହିଛି। ୧୦୮୬ଟି କଲେଜ ମଧ୍ୟ ପ୍ରତିଷ୍ଠା ହୋଇଛି। ସେଥିମଧ୍ୟରୁ ୧୪୩ଟି ବୈଷୟିକ ଶିକ୍ଷାନୁଷ୍ଠାନ ଥିବା ବେଳେ ୧୮୧ଟି ନର୍ସିଂ କଲେଜ, ୬୫ଟି ଶିକ୍ଷକ ତାଲିମ ପ୍ରତିଷ୍ଠାନ, ୧୩ଟି ପିଜିଡିଏମ୍‌ ଶିକ୍ଷାନୁଷ୍ଠାନ ରହିଛି। ଏଥିସହ ମନ୍ତ୍ରାଳୟ ଅଧୀନରେ ଥିବା ଆଇଆଇଟି, ଏନ୍‌ଆଇଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟ ଓଡ଼ିଶାରେ ପ୍ରତିଷ୍ଠା ହୋଇଛି। ଏତେ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ଥିଲେ ମଧ୍ୟ ବିଦେଶୀ ପିଲାଙ୍କୁ ଆକୃଷ୍ଟ କରାଯାଇ ପାରିନାହିଁ।

୨୦୧୬-୧୭ ଶିକ୍ଷାବର୍ଷ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମାତ୍ର ୩୦୯ ଜଣ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ୨୭୬ ଛାତ୍ର ଓ ୩୩ ଜଣ ଛାତ୍ରୀ ରହିଛନ୍ତି। ୨୪ ବିଶ୍ୱବିଦ୍ୟାଳୟରେ ମାତ୍ର ୪୬ ଜଣ ଛାତ୍ରଛାତ୍ରୀ ପିଜି କରୁଛନ୍ତି। ସେମାନଙ୍କ ମଧ୍ୟରେ ୪୧ ଛାତ୍ର ଓ ମାତ୍ର ୫ ଜଣ ଛାତ୍ରୀ ରହିଛନ୍ତି। ୨୮ ଜଣ ଛାତ୍ର ପିଏଚ୍‌ଡି କରୁଛନ୍ତି। ଜଣେ ବି ହେଲେ ଛାତ୍ରୀ ଓଡ଼ିଶାର କୌଣସି ବି ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରୁନାହାନ୍ତି। ଯେତେବେଳେ କି ଉତ୍କଳ, ରେଭେନ୍ସା, ବ୍ରହ୍ମପୁର, ସମ୍ବଲପୁର, ଓୟୁଏଟି ପରି ବହୁ ପୁରାତନ ବିଶ୍ୱବିଦ୍ୟାଳୟ ଏଠାରେ ରହିଛି। ୩ଟି ଜାତୀୟସ୍ତରୀୟ ଘରୋଇ ବିଶ୍ୱବିିଦ୍ୟାଳୟ ରହିଥିଲେ ମଧ୍ୟ ସେଠାରେ ପିଏଚ୍‌ଡି ଛାତ୍ରୀ ନ ରହିବା ଉଚ୍ଚଶିକ୍ଷାର ପ୍ରକୃତ ଚିତ୍ରକୁ ପଦାରେ ପକାଇଛି।

ୟୁଜି ପାଠ୍ୟକ୍ରମରେ ବି ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସେତେଟା ଆଶାନୁରୂପ ନୁହେଁ। ଏକ ହଜାରରୁ ଅଧିକ କଲେଜ ରହିଥିବା ବେଳେ ପଢ଼ୁଛନ୍ତି ମାତ୍ର ୨୨୯ ଜଣ ବିଦେଶୀ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରେ ୨୦୧ ଛାତ୍ର ଓ ୨୮ ଜଣ ଛାତ୍ରୀ ରହିଛନ୍ତି। ସରକାରୀ ତୁଳନାରେ ଘରୋଇ କଲେଜଗୁଡ଼ିକରେ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଥିବା ଜଣାପଡ଼ିଛି। ବିଭିନ୍ନ ଡିପ୍ଲୋମା ପାଠ୍ୟକ୍ରମରେ ୬ ଜଣ ବିଦେଶୀ ଛାତ୍ର ନାମ ଲେଖାଇଛନ୍ତି। ଜଣେ ବି ହେଲେ ବିଦେଶୀ ଛାତ୍ର କିମ୍ବା ଛାତ୍ରୀ ଏମ୍‌. ଫିଲ୍‌ କରୁ ନ ଥିବା ପିଜି ଡିପ୍ଲୋମା, ସାର୍ଟିଫିକେଟ୍‌ କୋର୍ସ ଏବଂ ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ କେହି ବି ନାମଲେଖାଇ ନ ଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ବହୁ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ତେଲେଙ୍ଗାନାରେ ୩୪୬୧ ଜଣ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଆନ୍ଧ୍ରପ୍ରଦେଶରେ ୨୩୪୧ ଏବଂ ପଶ୍ଚିମବଙ୍ଗରେ ୧୦୬୨ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଛନ୍ତି। ସାରା ଦେଶରେ ୪୭,୫୭୫ ଜଣ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଥିବା ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ରିପୋର୍ଟରେ କୁହାଯାଇଛି। ସେମାନଙ୍କ ମଧ୍ୟରେ ୩୧,୭୭୯ ଛାତ୍ର ଓ ୧୫,୭୯୬ ଜଣ ଛାତ୍ରୀ ରହିଛନ୍ତି। କର୍ଣ୍ଣାଟକରେ ସର୍ବାଧିକ ୧୩,୦୫୦ ପିଲା ପଢ଼ୁଥିବା ବେଳେ ଦିଲ୍ଲୀରେ ୨୬୩୨, ଗୁଜୁରାଟରେ ୧୪୩୦, ହରିଆନାରେ ୧୭୮୩, ମହାରାଷ୍ଟ୍ରରେ ୪୬୧୯, ପଞ୍ଜାବରେ ୩୨୪୬, ତାମିଲନାଡ଼ୁରେ ୪୮୮୯, ଉତ୍ତରପ୍ରଦେଶରେ ୩୬୦୨ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ନାଗାଲାଣ୍ଡରେ ଥିବା ଶିକ୍ଷାନୁଷ୍ଠାନରେ ଜଣେ ବି ହେଲେ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁନାହାନ୍ତି। ମିଜୋରାମରେ ୭, ମଣିପୁରରେ ୮, ଜାମ୍ମୁ ଓ କଶ୍ମୀରରେ ୧୮, ତ୍ରିପୁରାରେ ୧୯, ପଣ୍ଡିଚେରୀରେ ୪୬ ଜଣ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର