ଜୁନ୍‌ ୩୦ ପରେ ୩୦% ଅଧ୍ୟାପକଙ୍କୁ ନେଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ଦାବି କଲା ଅଧ୍ୟାପକ ସଂଘ

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟିଲେ ଅଧ୍ୟାପକ ସଂଘର କର୍ମକର୍ତ୍ତା

ଭୁବନେଶ୍ବର: ଜୁନ୍‌ ୧୭ରୁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ବିଭିନ୍ନ ଅଧ୍ୟାପକ ସଂଘର କର୍ମକର୍ତ୍ତାମାନେ ଭେଟିଛନ୍ତି। ୬୬୨ ଓ ୪୮୮ କଲେଜ ସଂଘ ପକ୍ଷରୁ ଜୁନ୍‌ ୧୭ରେ କଲେଜ ଓ ବିଶ୍ବବିଦ୍ୟାଳୟ ନ ଖୋଲିବାକୁ ଦାବି କରାଯାଇଛି। ଜୁନ୍‌ ୩୦ ପରେ ୩୦% ଅଧ୍ୟାପକଙ୍କୁ ନେଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ବି ଦାବି ଉପସ୍ଥାପିତ ହୋଇଛି। ଏହି ଅବସରରେ ଅଧିକାଂଶ କଲେଜ ସଙ୍ଗରୋଧ କେନ୍ଦ୍ର ହୋଇଥିବା ନେଇ ବି ଉଭୟ ସଂଘ ପକ୍ଷରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ସୂଚନାଯୋଗ୍ୟ, ଜୁନ୍‌ ୮ରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀକୁ ପଠାଇଦେଇ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି, ଯେଉଁଥିରେ କୋଭିଡ୍‌-୧୯ ନିର୍ଦେଶାବଳିକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ହେଲେ ଅଧ୍ୟାପକ, ଅଫିସର ଓ କର୍ମଚାରୀ ଶିକ୍ଷାନୁଷ୍ଠାନରେ କ’ଣ କରିବେ ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ଯାହାକୁ ନେଇ ଅଧ୍ୟାପକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗୋଟିଏ ପଟେ ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି। ଅଗଷ୍ଟ୧୫ ପରେ ସ୍କୁଲ ଓ କଲେଜ ଖୋଲିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଘୋଷଣା କରିଛନ୍ତି। ଏଭଳି ସମୟରେ କଲେଜ ଓ ବିଶ୍ବବିଦ୍ୟାଳୟ ‌ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

 

ସମ୍ବନ୍ଧିତ ଖବର