ଜୟପୁର: ଉଚ୍ଚଶିକ୍ଷା ବିଭାଗର ଏକ ତିନି ଜଣିଆ ଟିମ୍ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ ସ୍ଥାପନ ପାଇଁ ଜମି ଚିହ୍ନଟ କରିବାକୁ ବୁଧବାର ପହଚିଂଛନ୍ତି। ଭୁବନେଶ୍ବରରୁ ଜୟପୁର ଆସୁଥିବା ବିମାନରେ ଏହି ଦଳ ଜୟପୁରରେ ପହଚିଂଥିଲେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ରମାକାନ୍ତ ନାୟକଙ୍କ ନେତୃତ୍ବରେ ରାଜ୍ୟ ଉଚ୍ଚଶିକ୍ଷା କାଉନସିଲର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର କୁମାର ଦାଶ, ଆକାଡେମିକ୍ ପରାମର୍ଶଦାତା ମିହିର କୁମାର ଦାଶ ଆସଥିଲେ। ତାଙ୍କ ସହ ଆଂଚଳିକ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ତ୍ରିନାଥ ପ୍ରସାଦ ରଥ, ଉପଜିଲ୍ଲାପାଳ ବେଦବର ପ୍ରଧାନ, ତହସିଲଦାର ସାଗରିକା ଷଡଙ୍ଗୀ, ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର ଆଦି କ୍ୟାମ୍ପସ୍ ଚୟନ ପ୍ରକ୍ରିୟା ବେଳେ ଉପସ୍ଥିତ ରହିଥିଲେ।
ପୂର୍ବରୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ଜୟନ୍ତଗିରୀ, ଆମ୍ବାଗୁଡା, ରଣ୍ଡାପାଲ୍ଲୀ, ବାରିଣୀପୁଟ ଓ ଜଗନ୍ନାଥସାଗର ପାର୍ଶ୍ବ ଆଦି ଅଂଚଳରେ ବୁଲି ଜମି ଦେଖଇଥିଲେ। ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥ ୩୨୬ରେ ଜୟନ୍ତଗିରୀ ନିକଟରେ ଥିବା ହାଟପଦା ନିକଟସ୍ଥ ପାହାଡ଼ ପ୍ରଥମେ ଦେଖିଥିଲେ। ଏହା ପରେ ଆମ୍ବାଗୁଡା ପୁରୁଣା ଡିଏନକେ କଲୋନୀ ଦେଖିଥିଲେ। ଏହା ପରେ ରଣ୍ଡାପାଲ୍ଲୀ ନିକଟସ୍ଥ କୋରାପୁଟ ପଲିଟେକ୍ନିକ୍ କଲେଜ ପାର୍ଶ୍ବରେ ଥିବା ୭୨ଏକର ଜମି ବୁଲି ଦେଖିଥିଲେ। ଜଗନ୍ନାଥ ସାଗର ପାର୍ଶ୍ବରେ ଥିବା ତଥା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଚୟନ କରାଯାଇଥିବା ଜମି ପାର୍ଶ୍ବରେ ଥିବା ସ୍ଥାନ ପରିଦର୍ଶନ କରିଥିଲେ। ଏହା ପରେ ବାରିଣୀପୁଟ ନିକଟରେ ଥିବା ୭୦ଏକର ଦେଖିଥିଲେ। ଜୟନ୍ତଗିରୀ ନିକଟରେ ପାହାଡକୁ ଲାଗି ରହିଥିବାରୁ ଦଳ ନା ପସନ୍ଦ କରିଥିଲେ।
ସେଭଳି ଆମ୍ବାଗୁଡା ଡିଏନକେ ପରିସରରେ ଥିବା ଜମି କିଛି ଜବରଦଖଲ ଥିବା ଏବଂ କମ୍ ସ୍ଥାନ ଥିବାରୁ ସେତେଟା ପସନ୍ଦ କରି ନଥିଲେ ଟିମ୍। କୋରାପୁଟ ପଲିଟେକ୍ନିକ୍ କଲେଜ ପାର୍ଶ୍ବର ଜମି ୭୨ ଏକର ରହିଥିବାରୁ ଏହାକୁ ବି ଦେଖିଥିଲେ।ତେବେ ସହରରୁ ଦୂରରେ ଥିବା ଏବଂ ଜାତୀୟ ରାଜପଥ ପାର୍ଶ୍ବରେ ନଥିବାରୁ ତାହାକୁ ନେଇ କିଛି ଦ୍ବନ୍ଦରେ ପଡ଼ିଥିଲେ ଟିମ୍ । ତା ସହ ଜଗନ୍ନାଥସାଗର ପାର୍ଶ୍ବ ଜମି ବଡ଼ ନଥିବାରୁ ବାରିଣୀପୁଟ ନିକଟର ଜମି ଦେଖିଥିଲେ। ଏହି ଜମି ଦୁଇଟି ଭାଗରେ ୭୦ଏକର ରହିଥିବା ଦେଖିଥିଲେ। ତେବେ କିଛି ସ୍ଥାନରେ ଲୋକେ ଜବରଦଖଲ କରିଥିବା ଦେଖିଥିଲେ। ଆସନ୍ତାକାଲି ଟିମ୍ ସକାଳୁ ବିଶ୍ବବିଦ୍ୟାଳୟ ପରିଧି ଓ କ୍ୟାମ୍ପସ୍ ଆଦି ବୁଲି ଦେଖିବେ। ଦିନ ଗୋଟାଏରେ ଜିଲ୍ଲାପାଳଙ୍କ ସହ କୋରାପୁଟରେ ଏ ନେଇ ଏକ ବୈଠକ ରହିଛି। ତା ପରେ କେଉଁ ଜମିରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ହେବ ତାହାର ଚୟନ ହୋଇ ପାରିବ ବୋଲି ସୂଚନା ମିଳିଛି।