ଭୁବନେଶ୍ବର : ୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୭ ସୂତ୍ରୀ ନିୟମ ଜାରି କରାଯାଇଛି। ଅଧ୍ୟାପକଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯିବ। କ୍ୟାମ୍ପସରେ ୭ ଘଣ୍ଟା ରହିବାକୁ କଡ଼ାକଡ଼ି ଲାଗୁ କରାଯିବ। ପ୍ରତି କଲେଜରେ ବାୟୋମେଟ୍ରିକ୍ ମେସିନ୍ ଲଗାଯାଇ ସେଥିରେ ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟକୁ ତଦାରଖ କରାଯିବ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବି କଡ଼ାକଡ଼ା ଯାଞ୍ଚ ହେବ। ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ମେଧାବୀ ତଥା ଗରିବ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ବିଭିନ୍ନ ବୃତ୍ତିର ସୁପରିଚାଳନା ଓ ସ୍ବଚ୍ଛତା ଆଣିବା ଲାଗି ବୃତ୍ତି ପରିଷଦ ଗଠନ କରିବାକୁ ନିଷ୍ପତ୍ତି ହୋଇଛି।
ସବୁଠାରୁ ବଡ଼ ନିଷ୍ପତ୍ତି କ୍ରମେ, ଲାପଟପ୍ ପାଇବା ଲାଗି ରାଜ୍ୟସ୍ତର ବଦଳରେ ଜିଲ୍ଲା ଓ ବ୍ଲକସ୍ତରରେ ମେଧାବୀ ପିଲା ଚୟନ ହେବେ। ପରିବାରର ବାର୍ଷିକ ଆୟକୁ ବି ବିଚାରକୁ ନିଆଯାଇ ପିଲା ଚୟନ କରାଯିବ। ବୃତ୍ତି ପାଇଁ ଥିବା ନିୟମାବଳୀରେ କିଛିଟା ପରିବର୍ତନ ଅଣାଯିବା ସହ ଜିଲ୍ଲା ଓ ବ୍ଳକସ୍ତରରେ ମେଧାବୀ ଚୟନ ହେବେ। ସାମ୍ସ ୱେବସାଇଟ୍ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କ ଅଭିଯୋଗ ରଖିପାରିବେ। ପ୍ରେରଣାଦାୟୀ ଅଧ୍ୟାପକଙ୍କୁ ରାଜ୍ୟ ଓ ଦେଶ ବାହାରକୁ ପଠାଯିବ। ବିଶ୍ୱବିଦ୍ୟାଳୟ ତଥା ନାମକରା କଲେଜଗୁଡ଼ିକରେ ଥିବା କ୍ୟାରିୟର କାଉନସେଲିଂ ସେଲ୍କୁ ସୁଦୃଢ କରାଯିବ। ଓଡିଆ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସେବା ପରୀକ୍ଷା ଲାଗି ରାଜ୍ୟ ବାହାରରେ କୋଚିଂ ସୁବିଧା ଦିଆଯିବ। ‘ମୋ ସ୍କୁଲ’ ପରି କଲେଜସ୍ତରରେ ‘ମୋ କଲେଜ’ ପ୍ରତିଷ୍ଠା କରାଯାଇ ସେଥିରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାକୁ ନିଷ୍ପତ୍ତି ହୋଇଛି।
ଭଲ ‘ନାକ୍’ ମାନ୍ୟତା ପାଇଁ କଲେଜ ଓ ଅଧ୍ୟାପକଙ୍କୁ ପୋତ୍ସାହନ ଯୋଗାଇ ଦେବାକୁ ସ୍ଥିର ହୋଇଛି। ବିଶ୍ବବିଦ୍ୟାଳୟ ଓ କଲେଜ କିଛି ନିଦ୍ଧିଷ୍ଟ ବିଷୟ/ପାଠ୍ୟକ୍ରମରେ ଦେଶରେ ଭଲ ପ୍ରଦର୍ଶନ କରି ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଉପରେ ଗୁରୁତ୍ବ ଦିଆଯିବ। ପଛୁଆ ଜିଲ୍ଲାର ଛାତ୍ରଛାତ୍ରୀ ଯୁକ୍ତ୨ ପାସ୍ କରିବା ପରେ ଡିଗ୍ରି ପାଠ୍ୟକ୍ରମରେ ଯେପରି ଭଲ ପ୍ରଦର୍ଶନ କରିବେ ସେଦିଗରେ ପଦକ୍ଷେପ ନିଆଯିବ। ବିଶେଷକରି ବିଜ୍ଞାନ ପାଠ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ଶିକ୍ଷକ ଓ ଅଣ-ଶିକ୍ଷକଙ୍କ ମଧ୍ୟରେ ସମାନ ଟ୍ରାନ୍ସଫର ପଲିସି ଲାଗୁ କରିବାକୁ ୧୭ ସୂତ୍ରୀ ନିୟମରେ କୁହାଯାଇଛି।