ଓଡ଼ିଶାରେ ଭିକାରିଙ୍କ ସଂଖ୍ୟା ୫୯୫୦; କେବଳ କଟକରେ ସର୍ବାଧିକ ୧୦୬୦ : ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ବର: କଟକ ସହରରେ ଅଛନ୍ତି ରାଜ୍ୟର ସବୁଠାରୁ ଅଧିକ ଭିକାରି । ଆଜି ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ତେବେ ଓଡ଼ିଶାରେ ମୋଟ ୫ ହଜାର ୯୫୦ ଭିକାରି ଥିବା ବେଳେ କେବଳ କଟକରେ ୧୦୬୦ ଜଣ ଭିକାରି ଥିବା ଚିହ୍ନଟ କରାଯାଇଛି । ସେହିପରି ଗଂଜାମରେ ୫୪୫ ଜଣ ଓ ପୁରୀରେ ୩୬୫ ଜଣ ଭିକାରି ଥିବା ସରକାରୀ ତାଲିକାରେ ପ୍ରକାଶ ପାଇଛି । ସରକାର ପୁର୍ନବାସ ପାଇଁ ‘ସହାୟ’ ନାଁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିଥିବା ଆଜି ବିଧାନସଭା ଗୃହରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

କଟକ ଚୌଦ୍ୱାରର ବିଧାୟକ ସୌଭିକ୍ ବିଶ୍ୱାଳ  ବିଭାଗୀୟ ମନ୍ତ୍ରୀଙ୍କୁ ବିଧାୟକଙ୍କ ପ୍ରଶ୍ନ କରିଥିଲେ କି, ରାଜ୍ୟର କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଭିକାରି ଅଛନ୍ତି ଏବଂ ଭିକାରିମାନଙ୍କୁ ବିକଳ୍ପ ବୃତ୍ତି ଯୋଗାଇ ସେମାନଙ୍କୁ ଭିକ୍ଷାବୃତ୍ତିରୁ  ନିବୃତ କରିବାକୁ କୌଣସି ବ୍ୟବସ୍ଥା କରିହେବ କି ? ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି , ରାଜ୍ୟରେ ଅଦ୍ୟାବଧି ୫୯୫୦ ଜଣ ଭିକାରି ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କେବଳ କଟକରେ ରହିଛନ୍ତି ସର୍ବାଧିକ ଭିକାରି । ତେବେ ଭିକାରିମାନଙ୍କ ପୁନର୍ବାସ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ‘ସହାୟ’ ନାଁରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚଳନ କରୁଛନ୍ତି । ଚଳିତ ବର୍ଷ ପୁରୀ ଜିଲ୍ଲାରେ ଭିକାରୀମାନଙ୍କ ପାଇଁ ୫ଟି ପୁନର୍ବାସ ଗୃହର ସ୍ଥାପନ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଭୁବନେଶ୍ୱରରେ ବି ପୁନର୍ବାସ ଗୃହ ସ୍ଥାପନ କରିବାକୁ ବ୍ୟବସ୍ଥା କରାଯାଉଛି ।

ସେପଟେ, ବିଧାନସଭାର ଦ୍ୱିତୀୟ ଦିନରେ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଏହାକୁ ନେଇ ବାରମ୍ୱାର ଗୃହ ମୁଲତବୀ । ଅଧିବେଶନ ଆରମ୍ଭ ହେଲା କ୍ଷଣି ଆଜି ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ । ଫଳରେ ଗୋଟିଏ ମିନିଟ୍ ବି ଚାଲି ପାରିଲାନି ଗୃହ କାର୍ଯ୍ୟ । ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଯାହା ଫଳରେ ଗୃହକୁ ସାଢେ ୧୧ଟା ଯାଏଁ ଗୃହକୁ ପ୍ରଥମେ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ସାଢେ ୧୧ ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବି ବିରୋଧୀ ସଦସ୍ୟ ଜାରି ରଖିଥିଲେ ହଟ୍ଟଗୋଳ । ଫଳରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ସମ୍ବନ୍ଧିତ ଖବର