ଦିନକରେ ରାଜ୍ୟରେ ସର୍ବାଧିକ କରୋନା ମୃତ୍ୟୁ

୨୧ ଜଣଙ୍କ ନାମ ଘୋଷଣା କଲେ ସରକାର; ୧୧,୮୦୭ ପଜିଟିଭ୍, ୭୬୬୪ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ସାଂଘାତିକ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମଣ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବଢ଼ୁଛି। ୨୧ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଶନିବାର ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିଛି। ଯାହାକି ଦିନକରେ ଚଳିତବର୍ଷର ସର୍ବାଧିକ କରୋନା ମୃତ୍ୟୁ। ୨୧ ମୃତକଙ୍କ ମଧ୍ୟରେ କଳାହାଣ୍ଡିରୁ ସର୍ବାଧିକ ୪, ଅନୁଗୁଳ, ଭଦ୍ରକ, କଟକ, ସୁନ୍ଦରଗଡ଼ରେ ୨ ଲେଖାଏଁ, ପୁରୀ, ନୂଆପଡ଼ା, ଖୋର୍ଧା, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଗଞ୍ଜାମ ଓ ଢେଙ୍କାନାଳରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି।

ମାତ୍ର ଶନିବାର ଦର୍ଶାଯାଇଥିବା ମୃତ୍ୟୁ ସଂଖ୍ୟା ବେଶ୍ କିଛିଦିନ ତଳର ବୋଲି କୁହାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ୍ୟୁର ରିଅଲ ଟାଇମ୍ ଡାଟା ଦିଆଯାଉ ନ ଥିବାରୁ ଆଜିର ସମୟରେ ଦୈନିକ କେତେ ସଂଖ୍ୟକ ମୃତ୍ୟୁ ହେଉଛି ତାହା ଜାଣିବା କଷ୍ଟକର। ଯାହାକୁ ନେଇ ବିଶେଷଜ୍ଞମାନେ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ୍ୟୁ ସଂଖ୍ୟା ବିଳମ୍ବ ହେବା ପଛରେ ଡେଥ୍ ଅଡିଟ୍‌ ରହିଥିବା କୁହାଯାଉଛି।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୬ତାରିଖ ତୁଳନାରେ ମାତ୍ର ୩ ପ୍ରତିଶତ କମ୍। ହେଲେ ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ପୂର୍ବଭଳି ୨୩ ପ୍ରତିଶତ ବଜାୟ ରହିଛି। ଏପରିକି ସୁନ୍ଦରଗଡ଼ ଓ କଳାହାଣ୍ଡି ଭଳି ଜିଲ୍ଲାରେ ଏହା ପ୍ରାୟ ୫୦ ପ୍ରତିଶତ ରହିଛି। ରାଜ୍ୟରେ ଦ୍ରୁତ ସଂକ୍ରମଣ ଜାରି ରହିଥିବାରୁ ରାଜ୍ୟର ସାମଗ୍ରିକ ଟିପିଆର୍‌ ୫ ପ୍ରତିଶତ ଟପିଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୦,୮୬୪ କୋଭିଡ ନମୁନା ପରୀକ୍ଷା ହୋଇଛି। ଏଥିରେ ୨୦ହଜାରରୁ ଅଧିକ ଆର୍‌ଟି-ପିସିଆର୍‌ ନମୁନା ପରୀକ୍ଷା ହୋଇଛି। ଯାହାକି ସମୁଦାୟ ପରୀକ୍ଷାର ୪୦ ପ୍ରତିଶତ।

ଲଗାତାର ଦ୍ବିତୀୟ ଦିନ ଲାଗି ସୁନ୍ଦରଗଡ଼ ରାଜ୍ୟରେ ସର୍ବାଧିକ ସଂକ୍ରମିତ ଜିଲ୍ଲା ପାଲଟିଛି। ଗତ ୨୪ଘଣ୍ଟାରେ ଜିଲ୍ଲାରୁ ୧୯୨୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଫଳରେ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୭,୬୫୦କୁ ବୃଦ୍ଧି ପାଇଛି। ଏହାବାଦ୍ ଖୋର୍ଧାରେ ୧୫୧୦ ଆକ୍ରାନ୍ତ ବାହାରିଛନ୍ତି। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୨,୧୪୯ରେ ପହଞ୍ଚିଛି। ଏହାସହ କଟକ ୧୦୫୨, ଅନୁଗୁଳ ୫୬୦, ସମ୍ବଲପୁର ୫୩୩, ପୁରୀ ୪୫୪, ବଲାଙ୍ଗୀର ୪୩୭, ବରଗଡ଼ ୪୨୮, ଝାରସୁଗୁଡ଼ଶ ୪୨୧, ନବରଙ୍ଗପୁର ୪୧୯, କଳାହାଣ୍ଡି ୪୦୨ ଓ ଷ୍ଟେଟ୍‌ ପୁଲରୁ ୩୦୧ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୨୪ହଜାର ୨୦୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୭୬୬୪ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୨,୬୭୧କୁ ବୃଦ୍ଧି ପାଇଛି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ଲକ୍ଷ ୩୯ହଜାର ୩୨୨ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର