ଦିନକରେ କରୋନାରେ ସର୍ବାଧିକ ୫୨‌ ମୃତ୍ୟୁ

ସମୀକ୍ଷା ପରେ ଚୂଡ଼ାନ୍ତ ମୃତ୍ୟୁ ଘୋଷଣା ପାଇଁ ୧ ମାସ ଲାଗିବ: ଅତିରିକ୍ତ ସ୍ବାସ୍ଥ୍ୟ ନିର୍ଦେଶକ

ରାଜ୍ୟରେ କମୁନି ସଂକ୍ରମଣ
ଆଉ ୨୮୦୩ ପଜିଟିଭ୍ ଚିହ୍ନଟ
ଆସିଲେ ୨ ଜଣିଆ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର : ରାଜ୍ୟରେ ସୋମବାର ଦିନ ପ୍ରଥମ ଥର ଲାଗି କରୋନାରେ ୫୨ଜଣଙ୍କର ମୃତ୍ୟୁ ହେବା ନେଇ ଘୋଷଣା କରାଯାଇଛି। ପ୍ରଥମ ଓ ଦ୍ବିତୀୟ ଲହରରେ ଏହା ସର୍ବାଧିକ ଦୈନିକ ମୃତ୍ୟୁ ଭାବେ ରାଜ୍ୟ ଏକ ଅଲୋଡ଼ା ରେକର୍ଡ କରିଛି। ଏହାସହିତ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪୨୪୮ରେ ପହଞ୍ଚିଛି। ‌କରୋନାରେ ରାଜ୍ୟରେ ମୋଟ୍ କେତେ ଜଣ ପ୍ରାଣ ହରାଇଛନ୍ତି ତାହାର ହିସାବ ଚାଲିଛି। ବିଭିନ୍ନ ଜିଲ୍ଲାରେ ମୃତ୍ୟୁର ସମୀକ୍ଷା ପରେ ରାଜ୍ୟସ୍ତରରେ ଏହାର ଘୋଷଣା କରାଯିବ। ଏହି ସମସ୍ତ କୋଭିଡ୍‌ ମୃତ୍ୟୁର ଘୋଷଣା ହେବା ପାଇଁ ୧ମାସ ସମୟ ଲାଗିପାରେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେଣୁ ଆଗକୁ ଦୈନିକ ଘୋଷଣା ହେଉଥିବା କୋଭିଡ୍‌ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ‌କୋଭିଡ ମୃତ୍ୟୁର ସମୀକ୍ଷା ପାଇଁ ହସ୍ପିଟାଲ ଓ ଜିଲ୍ଲାସ୍ତରୀୟରେ ଅଡିଟ୍‌ କରାଯାଉଛି। ପରବର୍ତ୍ତୀ ସମୟରେ ରାଜ୍ୟସ୍ତରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‌ଏହାର ଘୋଷଣା କରାଯାଉଛି। ତେଣୁ ଆଜିର ଦିନରେ ଘୋଷଣା ହେଉଥିବା କୋଭିଡ ମୃତ୍ୟୁ ରିଅଲ ଟାଇମ୍ ମୃତ୍ୟୁର ହିସାବ ନୁ‌ହେଁ।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି ଯେ ଜିଲ୍ଲାସ୍ତରରେ ଅଡିଟ୍ ରିପୋର୍ଟ ଆସିବା ପରେ ହିଁ କେଉଁ ଜିଲ୍ଲାରେ କେତେ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିବ। ଏବେ ବି ରାଜ୍ୟରେ ୪୫୦ ରୋଗୀ ଆଇସିୟୁରେ ରହିଛନ୍ତି। ତହିଁରୁ ୫୫-୬୦ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମୃତ୍ୟୁ ଆଶଙ୍କା ୯୦ରୁ ୯୨ ପ୍ରତିଶତ। ଆଇସିୟୁରେ ଚିକିତ୍ସିତ ହେଉଥିବା ୩୦ ପ୍ରତିଶତ ରୋଗୀ ଭେଣ୍ଟିଲେଟରକୁ ଯାଇଥାନ୍ତି। ତେଣୁ ଯେ ପର୍ଯ୍ୟନ୍ତ ଗୁରୁତର ରୋଗୀ ଚିକିତ୍ସିତ ହେଉଛନ୍ତି ସେ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ଜାରି ରହିବ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ଏବେ ଘୋଷଣା ହେଉଥିବା କୋଭିଡ ମୃତ୍ୟୁ ସହିତ ବର୍ତମାନର କୌଣସି ସଂପର୍କ ନାହିଁ। ଜିଲ୍ଲାସ୍ତରରେ ମୃତ୍ୟୁର ସମୀକ୍ଷା ହେବା ପରେ ଏହା ଘୋଷଣା କରାଯାଉଛି। ଏବେ ଯେତିକି ବଳକା କୋଭିଡ ମୃତ୍ୟୁ ରହିଛି, ତାହାର ସମୀକ୍ଷା ହେବା ଲାଗି ପ୍ରାୟ ୧ମାସ ସମୟ ଲାଗିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଆଉ ୯୦୦ରୁ ଅଧିକ ବଳକା କୋଭିଡ୍‌ ମୃତ୍ୟୁର ସମୀକ୍ଷା ଜାରି ରହିଛି। ଚୂଡାନ୍ତ ରିପୋର୍ଟ ଆସିବା ପରେ ରାଜ୍ୟରେ ସମୁଦାୟ କୋଭିଡ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୫ହଜାର ସଂଖ୍ୟା ଅତିକ୍ରମ କରିପାରେ।

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୮୦୩ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲଗାତାର ତୃତୀୟ ଦିନ ଲାଗି ୩ହଜାର ତଳେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ କରୋନା ସଂକ୍ରମଣ ହାର ୩.୭୫ ପ୍ରତିଶତକୁ ଖସି ଆସିଛି। ହେଲେ ମୟୂରଭଞ୍ଜରେ ୮.୯ ଓ ନୟାଗଡ଼ରେ ୭.୮ ଓ କଟକରେ ୭ ପ୍ରତିଶତ ରହିଛି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସତ୍ତ୍ବେ ଏସବୁ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାର ଜାରି ରହିଛି। ଯାହାକି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା କଥା ଯେ ଉପକୂଳ ଓଡ଼ିଶା ପଶ୍ଚିମ ଓଡ଼ିଶା ଅପେକ୍ଷା ବିଳମ୍ବରେ ଶୀର୍ଷ ସଂକ୍ରମଣକୁ ଛୁଇଁଥିଲା। ପଶ୍ଚିମ ଓଡ଼ିଶାରେ ଏବେ ସ୍ଥିତିର ସୁଧାର ଆସିଛି। ତେଣୁ ଚଳିତମାସ ଦ୍ବିତୀୟ ସପ୍ତାହ ଆଡ଼କୁ ଉପକୂଳ ଓଡ଼ିଶାରେ ମଧ୍ୟ ସଂକ୍ରମଣ ଖସି ଆସିବ। ରାଜ୍ୟ ସରକାର ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିଛନ୍ତି। ତାହା ଆସୁ କି ନ ଆସୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଏଥିପାଇଁ ଟିକାକରଣ ସଂଖ୍ୟାରେ ବୃଦ୍ଧି, ସର୍ଭେଲାନ୍‌ସ ସହିତ ଭିତ୍ତିଭୂମି ପ୍ରସ୍ତୁତ ଉପରେ ଗୁରୁତ୍ବ ଦିଆଯାଉଛି। ତୃତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେବାର ‌ଆଶଙ୍କାକୁ ନଜରରେ ରଖି ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଆଜି ଖୋର୍ଧାରୁ ସର୍ବାଧିକ ୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକ ୪୪୧, ମୟୂରଭଞ୍ଜ ୧୯୩, ବାଲେଶ୍ବର ୧୫୫, ପୁରୀ ୧୫୪, ଯାଜପୁର ୧୫୩, ଭଦ୍ରକ ୧୩୧, କେନ୍ଦ୍ରାପଡ଼ା ୧୧୯, ଜଗତସିଂହପୁର ୧୧୭, ନୟାଗଡ଼ ୧୧୫ ଓ ଷ୍ଟେଟ୍‌ ପୁଲରୁ ୯୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୨୦ଟି ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୨୪ହଜାର ୬୬୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୫୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧା ୯, ସୁନ୍ଦରଗଡ଼, ପୁରୀ, କଳାହାଣ୍ଡି, ଗଞ୍ଜାମ, ବରଗଡ଼ରେ ୫ ଲେଖାଏଁ, କେନ୍ଦ୍ରାପଡ଼ା ୪, କଟକ, କନ୍ଧମାଳ, ମୟୂରଭଞ୍ଜରେ ୨ ଲେଖାଏଁ, ସମ୍ବଲପୁର, ନୂଆପଡ଼ା, ନୟାଗଡ଼ , କେନ୍ଦୁଝର, ଝାରସୁଗୁଡ଼ା, ଢେଙ୍କାନାଳ, ବୌଦ୍ଧ, ଭଦ୍ରକରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୪୨୪୮ରେ ପହଞ୍ଚିଛି।

ସୁସ୍ଥ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଜି ୩୩୨୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୯୪ହଜାର ୧୦୪କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୬,୨୯୪କୁ ଖସି ଆସିଛି।

ଆସିଲେ ୨ ଜଣିଆ କେନ୍ଦ୍ରୀୟ ଟିମ୍
ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଅନୁଧ୍ୟାନ କରିବା ଲାଗି ୨ଜଣିଆ କେନ୍ଦ୍ରୀୟ ଟିମ୍ ଆଜି ଏଠାରେ ପହଞ୍ଚିଛନ୍ତି। ଏହି ଟିମ୍‌ର ମୁଖ୍ୟ ଡା. ଶିବାନୀ ଦତ୍ତ ଓ ଡା. ପି.ଆର ମହାପାତ୍ର ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ କରୋନା ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି। ପରେ ରାଜଧାନୀର କିଛି ସରକାରୀ ଓ ଘରୋଇ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଆସନ୍ତାକାଲି ଟିମ୍ ଜଗତସିଂହପୁର ଓ ପୁରୀ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ସମେତ ୬ଟି ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତାଜନକ ଥିବାରୁ କେନ୍ଦ୍ର ସରକାର ଏସବୁ ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଇଛନ୍ତି।

ଆଜି ୨ଜଣିଆ ଟିମ୍ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜ୍ୟର କରୋନା ସ୍ଥିତି ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। ରାଜ୍ୟରେ କରୋନା ମୁକାବିଲା ନେଇ କ’ଣ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି କେନ୍ଦ୍ରୀୟ ଟିମ୍ ଆସନ୍ତା ୪ଦିନ ଓଡ଼ିଶାରେ ରହିବା ସହିତ ବିଭିନ୍ ଜିଲ୍ଲା ଗସ୍ତ କରିବେ। ରାଜ୍ୟରେ ସମୁଦାୟ କେତୋଟି ଜିଲ୍ଲା ଗସ୍ତ କରିବେ ସେ ସଂପର୍କରେ ତଥ୍ୟ ଗୋପନ ରଖାଯାଇଛି।

ସମ୍ବନ୍ଧିତ ଖବର