ବଡ଼ଦାଣ୍ଡରୁ ଉଦ୍ଧାର ହେଲେ ବିଦେଶ ଫେରନ୍ତା ଶିକ୍ଷୟିତ୍ରୀ, ଇଥିଓପିଆରେ ଶିକ୍ଷକତା କରୁଥିଲେ

ପୁରୀ : ବଡ଼ଦାଣ୍ଡର ଭିକାରିଙ୍କ ଉପ‌ରେ ପଡ଼ିଛି ପ୍ରଶାସନର ନଜର। ଜଣକ ପରେ ଜଣେ ଭିକାରିଙ୍କୁ ନେଇ ବହୁ ରୋଚକ ତଥ୍ୟ ତଥା ହୃଦୟସ୍ପର୍ଶୀ କଥା ଏବେ ସାମ୍ନାକୁ ଆସିଛି। ବଡ଼ଦାଣ୍ଡରେ ଆଜି ଏହିଭଳି ଜଣେ ଭିକାରୁଣୀ ତଥା ସତ୍ୟବାଦୀର ଲକ୍ଷ୍ମୀପ୍ରିୟା ମିଶ୍ର (ମମତା)ଙ୍କୁ ଠାବ କରାଯାଇଛି। ମମତା ଏମିତି ସେମିତି ନୁହନ୍ତି, ‌ସେ ଜଣେ ବିଦେଶ ଫେରନ୍ତା ମହିଳା। ଯାହାଙ୍କ ‌ଜୀବନ କ‌ାହାଣୀ ବେଶ୍‌ ମର୍ମସ୍ପର୍ଶୀ।

ସୁଦୂର ଇଥିଓପିଆରେ ଦୀର୍ଘ ଦିନ ଶିକ୍ଷକତା କରିବା ପରେ ଦିଲ୍ଲୀ, ପଞ୍ଜାବ ଓ ଗୁଜୁରାଟର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଏହି ମହିଳା ଜଣେ ଉଚ୍ଚ ଶିକ୍ଷିତା। ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷ‌ା ହାସଲ କରିବା ପରେ ସେ ପୁରୀର ଏକ ବାଳିକା ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ମାତ୍ର ମମତା ଜଣେ ଉଚ୍ଚାଭିଳିଷୀ ମହିଳା ଥିଲେ। ଚାକିରିରୁ ମିଳୁଥିବା ଅର୍ଥରେ ସେ ସନ୍ତୁଷ୍ଟ ନଥିଲେ। ତେଣୁ କିଛି ଶୁଭେଚ୍ଛୁଙ୍କ ସହଯୋଗରେ ବିଦେଶକୁ ଯାଇଥିଲେ। ସେଠାରେ ଯାଇ ପାଠ ପଢ଼ାଇଥିଲେ। ପ‌ରେ ଭାରତ ଫେରି ପଞ୍ଜାବରେ ଶିକ୍ଷକତା କରିଥିଲେ। ସମୟ ଚକ୍ରରେ ତାଙ୍କର ପାରିବାରିକ ଦୁଃଖ ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥିଲା। ସେ ଗ୍ରହଣ କରିଥିବା ପୋଷ୍ୟପୁତ୍ର କୌଣସି କାରଣରୁ ମୃତ୍ୟୁବରଣ କରିବା ପରେ ସେ ମାନସିକ ଭାରସାମ୍ୟ ହରାଇଥିଲେ। ପରେ ସେ ମହାପ୍ରଭୁଙ୍କ ବଡ଼ଦାଣ୍ଡକୁ ଭିକ୍ଷାବୃତ୍ତିକୁ ଆପଣେଇ ନେଇଥିଲେ। ବୟସର ଅପରାହ୍ଣରେ ଏବେ ତାଙ୍କ ପାଟିରୁ ପ୍ରଗଳ୍‌ଭ ଇଂରାଜୀ ବାହାରୁଛି। ଆଜି ସମ୍ପୃକ୍ତ ମହିଳାଙ୍କୁ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଉଦ୍ଧାର କରାଯାଇ ପୁରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କର ଚିକତ୍ସା ପରେ ତାଙ୍କୁ ଜରାଶ୍ରମ‌ରେ ଛାଡ଼ିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର