ଆସନ୍ତା ଏପ୍ରିଲ ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ ସଂଯୋଗ ହେବ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ସବୁ ଗ୍ରାମ ପଞ୍ଚାୟତକୁ ସଂଯୋଗ ହେବ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ । ଏ ନେଇ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟନ୍ୱୟ କମିଟି ବୈଠକରେ ଏହା ସ୍ଥିର ହୋଇଛି । ଆସନ୍ତା ଏପ୍ରିଲ ମାସ ସୁଦ୍ଧା କାର୍ଯ୍ୟ ପୂରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଏ ନେଇ ଶ୍ରୀ ତ୍ରିପାଠୀ କହିଛନ୍ତି କି, ଡିଜିଟାଲ ଭିତ୍ତିଭୂମି ରାଜ୍ୟ ବିକାଶର ଏକ ପ୍ରମୁଖ ଚାଳକ ହେବ । ପ୍ରତି ପଞ୍ଚାୟତର ମୁଖ୍ୟ କାରବାର କେନ୍ଦ୍ରରେ ୱାଇ-ଫାଇ ସଂଯୋଗ ଦେବା ପାଇଁ ମଧ୍ୟ କୁହାଯାଇଛି । ଏହାସହ ପଞ୍ଚାୟତ ସ୍ତରରେ ଥିବା ସବୁ ସରକାରୀ ଅଫିସ, ବ୍ୟାଙ୍କ ଓ ମେଡିକାଲରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ପ୍ରତି ଗ୍ରାମ ପଞ୍ଚାୟତରେ ୫ଟି ଇଣ୍ଟରନେଟ ପଏଣ୍ଟ ଯୋଗାଇବା ପାଇଁ ବୈଠକରେ ସ୍ଥିର ହୋଇଛି । ସେଥିରୁ ସବୁ ସ୍ଥାନକୁ ସଂଯୋଗ ଦିଆଯିବ । ପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ମିଳିବା ମାତ୍ରେ ସେସବୁ କାର୍ଯ୍ୟକ୍ଷମ କରାଇବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସମ୍ବନ୍ଧିତ ଖବର