ବାଂଶାପାଳ : ଗାଁ ଦାଣ୍ଡରେ ଖେଳୁଥିବା ଏକ ଅଢ଼େଇବର୍ଷର ଶିଶୁକନ୍ୟା ଉପରେ ହାଇୱା ଟ୍ରକ୍ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅନ୍ତର୍ଗତ ଧଳାଗଡିହି ଗ୍ରାମରେ।
ଆଜି ଅପରାହ୍ଣରେ ଗ୍ରାମର ତରଣୀସେନ ବାରିକଙ୍କ ପତ୍ନୀ ଗାୟତ୍ରୀ ଟ୍ୟାପ୍ରୁ ପାଣି ସଂଗ୍ରହ କରୁଥିବା ବେଳେ ତାଙ୍କ ଅଢ଼େଇବର୍ଷର ଝିଅ ଖୁସି ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଫୁଲଝରରୁ ଧଳାଡିହିକୁ ସଂଯୋଗ କରୁଥିବା ରାସ୍ତାରେ ପୋଲ ନିର୍ମାଣ କରୁଥିବା ଠିକାସଂସ୍ଥାର ଏକ ହାଇୱା (ଓଡି-୧୭-ୱାଇ-୧୪୦୫) ଖୁସିଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଟ୍ରକ୍ ଛାଡ଼ି ଫେରାର ହୋଇଯାଇଛି। ଏହାକୁ କେନ୍ଦ୍ରକରି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଲୋକେ ପୁଲିସକୁ ଶବ ଉଠାଇବାକୁ ଦେଉନାହାନ୍ତି। ଠିକାସଂସ୍ଥାର ଦୁଇଟି ହାଇୱାକୁ ମଧ୍ୟ ଅଟକ ରଖିଛନ୍ତି। ଖବର ପାଇ ଏସ୍ଡିପିଓ ମହେନ୍ଦ୍ର ହେମ୍ବ୍ରମ, ନୟାକୋଟ ଥାନା ଅଧିକାରୀ ସ୍ବର୍ଣ୍ଣମୟୀ ହେମ୍ବ୍ରମ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଖବର ଲେଖାଯିବା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଛି।