ମାରଣାସ୍ତ୍ର ଦେଖାଇ ହାଇୱା ଲୁଟ୍‌

ଚମକପୁର: ୫୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳସାହି ନିକଟରେ ଦୁର୍ବୃତ୍ତମାନେ ଡ୍ରାଇଭର ଏବଂ ହେଲପର୍‌ଙ୍କୁ ମାରଣାସ୍ତ୍ର ଦେଖାଏ ଏକ ହାଇୱା (ଓଡି-୦୯-ଜି-୧୮୨୫) ଲୁଟ୍‌ କରିଛନ୍ତି। ଏନେଇ ହାଇୱା ଚାଳକ ସାନୁ ନାଏକ ଚମ୍ପୁଆ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଯୋଡ଼ା ବ୍ଲକ୍‌ ମୁର୍ଗାସ୍ଥିତ ଖଣିରୁ ଲୁହାପଥ ବୋଝେଇ କରି ହାଇୱାଟି ବସନ୍ତପୁର ଅଞ୍ଚଳରେ ଥିବା ଏକ କାରଖାନାକୁ ଯାଇଥିଲା। ସେଠାରୁ ଲୁହାପଥର ଖାଲି କରି ଫେରିବା ବେଳେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଚମ୍ପୁଆ ଥାନା ରିମୁଳି ଫାଣ୍ତି ଅନ୍ତର୍ଗତ ରଘୁଆଳସାହି ଓଭରବ୍ରିଜ ନିକଟରେ ୫ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ଗାଡ଼ି ଅଟକାଇଥିଲେ। ଡ୍ରାଇଭର ସାନୁ ଏବଂ ହେଲପର୍‌ଙ୍କୁ ମାରଣାସ୍ତ୍ର ଦେଖାଇ ମାଡ଼ ମାରିଥିଲେ। ତିନିଜଣ ଯୁବକ ହାଇୱାରେ ଚଢ଼ିଯାଇଥିଲେ।

ଦୁଇଜଣ ଭୁଜାଲି ଦେଖାଇ ଡ୍ରାଇଭର ଏବଂ ହେଲପରଙ୍କୁ ଭୟଭୀତ କରିଥିଲେ। ଅନ୍ୟଜଣେ ଗାଡ଼ି ଚଲାଇ ଘଟଣାସ୍ଥଳରୁ ୫୦୦ ମିଟର ଦୂର ରାମଚନ୍ଦ୍ରପୁର ନିକଟକୁ ନେଇଥିଲେ। ସେଠାରେ ଦୁର୍ବୃତ୍ତମାନେ ‌‌ଡ୍ରାଇଭର, ହେଲପର୍‌ଙ୍କୁ ରାସ୍ତାକଡ଼ ଜଙ୍ଗଲକୁ ନେଇ ଏକ ଗଛରେ ବାନ୍ଧି ଦେଇଥିଲେ। ପରେ ହାଇୱା ନେଇ ପଳାଇ ଯାଇଥିଲେ। ରାତି ପ୍ରାୟ ଦୁଇଟାବେଳେ ଉଭୟ କୌଣସିମତେ ଖସି ଆସି ଗାଡ଼ି ମାଲିକ ସନ୍ତୋଷ କୁମାର ବେହେରାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ହାଇୱାରେ ୭ଟି ଚାଲାଣ ଥିବା ଗାଡ଼ି ମାଲିକ ଶ୍ରୀ ବେହେରା କହିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟ୍‌ ହାଇୱାକୁ ଠାବ କରିପାରି ନାହିଁ।

ସମ୍ବନ୍ଧିତ ଖବର