ଜାତୀୟ ରାଜପଥ ବିବାଦ ଆଲୋଚନା ଆଜି

ଭୁବନେଶ୍ୱର : କେବଳ ମହାନଦୀ ନୁହେଁ, ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏହାକୁ ନେଇ ବାକ୍‌ ବିତଣ୍ଡା ଯୁକ୍ତି ଚାଲିଛି। ଠିକ୍‌ ଏମିତି ସମୟରେ ଆସନ୍ତାକାଲି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ସଦସ୍ୟ ଆନନ୍ଦ କୁମାର ସିଂହ ମୁଖ୍ୟଶାସନ ସଚିବଙ୍କୁ ଭେଟୁଥିବା ଜଣାପଡିଛି। ଉଭୟଙ୍କ ଆଲୋଚନାକୁ ସୌଜନ୍ୟମୂଳକ ବୋଲି କୁହାଯାଉଛି। ଅସଲରେ କିନ୍ତୁ ବିବାଦୀୟ ଜାତୀୟ ରାଜପଥ ସଂକ୍ରାନ୍ତରେ ଉଭୟ ପକ୍ଷ ଚର୍ଚ୍ଚା ଆଲୋଚନା କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। କାରଣ ମୁଖ୍ୟ ସଚିବଙ୍କୁ ଭେଟିବା ପରେ ଶ୍ରୀ ସିଂହ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜସ୍ୱ ବିଭାଗର ସଚିବଙ୍କୁ ଭେଟିବେ ବାଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧ୍ୟକ୍ଷ ମୁଖ୍ୟସଚିବଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଏଥିରେ ପରିବର୍ତ୍ତନ ହୋଇଛି ଓ ଶ୍ରୀ ସିଂହ ଆଜି ସନ୍ଧ୍ୟାରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୧୫ରେ ସଚିବାଳୟରେ ବୈଠକ ଅନୁଷ୍ଠିତ ହେବ। ଏହି ଭେଟଘାଟରେ ବ୍ରାହ୍ମଣୀ ସେତୁ, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପ୍ରସଙ୍ଗ ଆଲୋଚନା ପରିସରଭୁକ୍ତ ହେବ। କେବଳ ସେତିକି ନୁହେଁ, ଅନେକ ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ରାଜପଥ କରିବେ ବୋଲି କହିସାରିିଛନ୍ତି, ହେଲେ ସେସବୁର ବିକାଶ କରୁନାହାନ୍ତି। ଫଳରେ ନା ରାଜ୍ୟ ସରକାର ଆଉ ସେଥିରେ ଅର୍ଥ ଖର୍ଚ୍ଚ କରୁଛନ୍ତି ନା କେନ୍ଦ୍ର। ଏ ସଂପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଜଙ୍ଗଲ ଓ ରାଜସ୍ୱ ବିଭାଗର ସଚିବଙ୍କ ସହିତ ଭେଟଘାଟ ବେଳେ ଶ୍ରୀ ସିଂହ ବ୍ରାହ୍ମଣୀ ନଦୀ ସେତୁ ସଂଲଗ୍ନ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅନୁମତି ସଂକ୍ରାନ୍ତରେ ସମାଧାନର ରାସ୍ତା କାଢିବେ ବୋଲି କୁହାଯାଉଛି।

ଉଲ୍ଲେଖଥାଉକି, ବ୍ରାହ୍ମଣୀ ସେତୁ ଓ ସଂଲଗ୍ନ ରାସ୍ତାକୁ ନେଇ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ପତ୍ରଯୁଦ୍ଧ ହୋଇଥିିଲା। ଏହି ପ୍ରକଳ୍ପଟି ବୀରମିତ୍ରପୁରରୁ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ରହିଛି। ସମୁଦାୟ ପ୍ରକଳ୍ପର ଲମ୍ବା ୨୯.୧ କିଲୋମିଟର। ଏହା ମଧ୍ୟରେ ଫ୍ଲାଇଓଭର ଆଦି ରହିଛି। ସେତୁଟି  ଏହାର ଏକ ଅଂଶ ବିଶେଷ। ପୂର୍ବରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା, ଏହି ପ୍ରକଳ୍ପ ଲାଗି ଯେଉଁ ଠିକାଦାରଙ୍କୁ ନିୟୋଜିତ କରାଯାଇଛି, ତାଙ୍କୁ କାର୍ଯ୍ୟାଦେଶ ଦେବାକୁ ହେଲେ ୯୦ ପ୍ରତିଶତ ଜମି ହସ୍ତାନ୍ତର କରିବା ଦରକାର। ୨୯.୧ କିଲୋମିଟର ମଧ୍ୟରୁ ମାତ୍ର ୧୬.୪୮ କିଲୋମିଟର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଛି। ବଳକା ୧୨.୬୨ କିଲୋମିଟର ଜମି ହସ୍ତାନ୍ତର ହୋଇନାହିଁ। ଏ ମଧ୍ୟରେ ପୁଣି ୪.୮୫ କିଲୋମିଟର ଜଙ୍ଗଲ ଜମି ଅଛି। ଯେ ପର୍ଯ୍ୟନ୍ତ ଏହି ଜମିର ଷ୍ଟେଜ୍‌-୧ କ୍ଲିୟରାନ୍‌ସ ନ ମିଳିନାହିଁ, ସେ ଯାଏ କାମ ଆରମ୍ଭ ହୋଇପାରିବ ନାହିଁଁ। ଏପରିସ୍ଥଳେ ଆସନ୍ତାକାଲିର ଆଲୋଚନାର ଗୁରୁତ୍ୱ ବୃଦ୍ଧି ପାଇଛି।

 

 

 

 

 

 

 

 

 

 

 

 

 

 

ସମ୍ବନ୍ଧିତ ଖବର