ହାଟଡିହି: ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥର ହାଟଡିହି ବ୍ଲକ୍‌ ଚଣ୍ଡିବିରଞ୍ଚିପୁର ଗ୍ରାମ ନିକଟରେ ଏକ ବାଲି ବୋଝେଇ ହାଇୱା ଭାରସାମ୍ୟ ହରାଇ ଜଳଖିଆ ଦୋକାନ ଭିତରକୁ ପଶିଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ହାଇୱାଟି ଭାଙ୍ଗି ଚୂରମାର ହୋଇଯାଇଛି।

Advertisment

ଶନିବାର ବିଳମ୍ବିତ ରାତିରେ ହାଇୱାଟି ବାଲି ବୋଝେଇ କରି ଆନନ୍ଦପୁର ପଟୁ ଦ୍ରୁତଗତିରେ ଭଦ୍ରକ ଆଡ଼କୁ ଯାଉଥିଲା। ଚଣ୍ଡିବିରଞ୍ଚିପୁର ଛକ ନିକଟରେ ଭାରସାମ୍ୟ ହରାଇ ଏକ ଜଳଖିଆ ଦୋକାନ ଭିତରକୁ ପଶିଯିବାରୁ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏପରିକି ହାଇୱାଟି ଦୋକାନ କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଛି। ଚାଳକ ଗାଡ଼ିରୁ ଡେଇଁ ପଡ଼ି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି ଦୋକାନୀ ଜଣକ ରାତିରେ ଦୋକାନ ବନ୍ଦ କରି ଘରକୁ ପଳାଇଥିବାରୁ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାସ୍ତାରେ ଗଦା ହୋଇଥିବା ଚିପ୍‌ସ ଉପରେ ହାଇୱାର ଗୋଟିଏ ଚକ ଚଢ଼ିଯିବାରୁ ତାହା ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି।