ଭୁବନେଶ୍ବର : ୧୬ ନମ୍ବର ଜାତୀୟ ରାଜପଥ ବନ୍ଦାଳୋ(ପୁରୁଣା ମଙ୍ଗୁଳି)ରେ ଥିବା ଟୋଲ୍‌ ପ୍ଲାଜା ଦେଇ ପ୍ରତ୍ୟେକ ଦିନ ପ୍ରାୟ ୭୦ ହଜାର ଗାଡ଼ି ଯାତାୟାତ କରୁଛି। ଗାଡ଼ି ଗୁଡ଼ିକରୁ ୧୩୫ ଟଙ୍କାରୁ ଆରମ୍ଭ କରି ୮୫୫ ଟଙ୍କା ପର୍ଯ୍ୟନ୍ତ ଟୋଲ୍‌ ଆଦାୟ ହେଉଛି। ଦୈନିକ ୭୫ ଲକ୍ଷରୁ ଅଧିକ ଟଙ୍କା ଆୟ ହେଉଥିଲେ ହେଁ ଚୁକ୍ତି ଅନୁସାରେ ଠିକା ସଂସ୍ଥା ଜାତୀୟ ରାଜପଥ ରକ୍ଷଣାବେକ୍ଷଣ କରିବାର ନାଁ ଧରୁନାହିଁ। ସାଧାରଣ ଲୋକଙ୍କୁ ଠିକ୍‌ ସୁବିଧା ମିଳୁନି।

Advertisment

ତଥ୍ୟ ଅନୁଯାୟୀ, ଭୁବନେଶ୍ବର-ଜଗତପୁର-ଚଣ୍ଡିଖୋଲ ପର୍ଯ୍ୟନ୍ତ ୬ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥ କାମ ୨୦୧୧ ମସିହାରେ ଆରମ୍ଭ ହୋଇଥିଲା। ଏହି ୬୭ କିଲୋମିଟର ରାସ୍ତା ୨୦୧୧ ଡିସେମ୍ବର ୧୪ରେ ଆରମ୍ଭ ହୋଇ ୨୦୧୪ ମସିହା ଜାନୁଆରି ୧୨ରେ ସରିବା କଥା। କିନ୍ତୁ କାମ ନେଇଥିବା ଠିକାସଂସ୍ଥା ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ପ୍ରା.ଲି(ଏସ୍‌ଜେଇପିଏଲ୍‌)କୁ କାମ ସାରିବାକୁ ଅଧିକ ୩ ବର୍ଷ ଲାଗିଥିଲା। ଏହି ୬୭ କିମି ରାସ୍ତା ନିର୍ମାଣ ପାଇଁ ୧୫୮୬ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ବିଲ୍‌ଡ ଅପରେଟ୍‌ ଟୋଲ୍‌ (ବିଓଟି) ଯୋଜନାରେ ଠିକା‌ ସଂସ୍ଥାକୁ ଏସ୍‌ଜେଇପିଏଲ୍‌କୁ କାମ ଦିଆଯାଇଥିଲା। ପ୍ରଥମେ ଜମି ଅଧିଗ୍ରହଣ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ପ୍ରୋଜେକ୍ଟ ପାଇଁ ଧାର୍ଯ୍ୟ ଟଙ୍କାର ୪୦ ପ୍ରତିଶତ (୬୩୪) କୋଟି ଟଙ୍କା ଏନ୍‌ଏଚ୍‌ଆଇ ପକ୍ଷରୁ ଠିକାସଂସ୍ଥାକୁ ପ୍ରଦାନ କରାଯାଇଥିଲା।

publive-image

ବାକି ଟଙ୍କା ୯୫୧ କୋଟି ଟଙ୍କା ଠିକା ସଂସ୍ଥା ଖର୍ଚ୍ଚ କରିଥିଲା। ବିଓଟି ଯୋଜନା ନିୟମ ଅନୁସାରେ ପ୍ରଥମେ ଠିକାସଂସ୍ଥା ରାସ୍ତା ନିର୍ମାଣ କରିବ। ଏହାପରେ ଟୋଲ୍‌ରୁ ଆଦାୟ ଟଙ୍କାରେ ଠିକାସଂସ୍ଥା ତା’ର ଭରଣା କରିବ। ଏହି କ୍ରମରେ କାମ ଆରମ୍ଭ ହେବା ଦିନ (୧୪.୧୨.୨୦୧୧)ରୁ ୨୬ ବର୍ଷ ଅର୍ଥାତ ୨୦୩୭ ମସିହା ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଟୋଲ୍‌କୁ ଠିକାସଂସ୍ଥାକୁ ଟେକି ଦିଆଯାଇଛି। ୨୦୧୧ ମସିହାରୁ ୧୬ ନମ୍ବର ଜାତୀୟ ରାଜପଥର କଟକ ମଙ୍ଗୁଳିରେ ଟୋଲ୍‌ ଆଦାୟ କରାଯାଇଥିଲା। ୨୦୧୬ ଜୁଲାଇରେ ଏନ୍‌ଏଚ୍‌ଆଇ ନିଷ୍ପତ୍ତି ଅନୁସାରେ ମଙ୍ଗୁଳିରେ ଥିବା ଟୋଲ୍‌ପ୍ଲାଜା ବନ୍ଦାଳୋକୁ ଉଠିଯିବା କଥା। କିନ୍ତୁ ନିଷ୍ପତ୍ତିର ୫ ବର୍ଷ ଯାଏ ମଙ୍ଗୁଳି ନିକଟରେ ଟୋଲ୍‌ କରାଯାଇ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। ବାରମ୍ବାର ପ୍ରତିବାଦ ପରେ ୨୦୨୨ ମସିହାରେ ବନ୍ଦାଳୋକୁ ଟୋଲ୍‌ ସ୍ଥାନାନ୍ତର କରାଯାଇଥିଲା।

publive-image

ଏବେ ମହାରାଷ୍ଟ୍ରର ଏକ ଠିକାସଂସ୍ଥା ‘ମାପ୍‌ଲେ ହାଇୱେଜ୍‌’କୁ ଟୋଲ୍‌ ପ୍ଲାଜା ଓ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ମୂଳ ସଂସ୍ଥା ‘ଏସ୍‌ଜେଇପିଏଲ୍‌’ ହସ୍ତାନ୍ତର କରିଛି। ସରକାରୀ ତଥ୍ୟ ହିସାବରେ (୧୧ ଜାନୁଆରି ୨୦୧୭ ମସିହା ସୁଦ୍ଧା) ଦୈନିକ ୫୧ ହଜାର ୨୯୩ରୁ ଅଧିକ ଗାଡ଼ି ଟୋଲ୍‌ ଦେଇ ଯାତାୟତ କରୁଥିଲା। ଏହି ୫ ବର୍ଷ ଭିତରେ ଗାଡ଼ି ସଂଖ୍ୟା ହୁ ହୁ ହୋଇ ବଢ଼ିଛି। ରକ୍ଷଣାବେକ୍ଷଣର ନାଁ ଧରୁନି ଠିକାସଂସ୍ଥା। ଭୁବନେଶ୍ବର-କଟକ-ଜଗତସିଂହପୁର-ଚଣ୍ଡିଖୋଲ ଜାତୀୟ ରାଜପଥ ସାରା ଖାଲ ଖମାରେ ଭର୍ତ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଠିକାସଂସ୍ଥା ରାସ୍ତା ମରାମତି କରୁନଥିବା ଅଭିଯୋଗ ହେଉଛି।

ସେହିପରି ଭୁବନେଶ୍ବର କଟକ, କଟକ-ଚଣ୍ଡିଖୋଲ ଯାଏ ରାସ୍ତାର ଅଧିକାଂଶ ସ୍ଥାନର ଉଭୟ ପାର୍ଶ୍ବରେ ଦୁଇଟି ଲେନ୍‌ ଯାଏ ବାଲି ମାଡ଼ି ଯାଉଥିଲେ ବି ସେସବୁ ବର୍ଷ ବର୍ଷ ଧରି ସଫା ହେଉନାହିଁ। ରାତିରେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ କ୍ୟାଟ୍‌ ଆଇ ରେଡିୟମ୍‌ ଲଗାଯାଏ। କିନ୍ତୁ ଏହି ରାସ୍ତାରେ ଅଳ୍ପ କିଛି ସ୍ଥାନକୁ ଛାଡ଼ି ଦେଲେ ପ୍ରାୟ ୮୦ ପ୍ରତିଶତ ସ୍ଥାନରେ ଏହା ଲଗାଯାଇନାହିଁ। ସୂଚନାବୋର୍ଡ, ସୁବିଧା ସୂଚନା ବୋର୍ଡ, ହଜାର୍ଡ ମାର୍କର, ହୋମ୍‌ ଜୋନ୍‌, ପେଟ୍ରୋଲ ପମ୍ପ୍‌, ଦିଗ ସୂଚକ ବୋର୍ଡ, ତ୍ରିକୋଣୀୟ ସୂଚକ ବୋର୍ଡ, ବାଧ୍ୟତାମୂଳକ ସୂଚନା ବୋର୍ଡ, ଷ୍ଟପ୍‌ ସାଇନ୍‌ ବୋର୍ଡ, ରୋଟ୍ରୋ ରିଫ୍ଲେକ୍ଟିଭ୍‌ ଷ୍ଟିକର ପ୍ରଭୃତି ରାସ୍ତାରେ ରହିବା କଥା। କିନ୍ତୁ ତାହା କେଉଁଠି ଅଛି ଖୋଜିଲେ ମିଳୁନାହିଁ।

ଏଥି ସହ ଜାତୀୟ ରାଜପଥରେ ଟ୍ରାଫିକ୍‌ ଜାମ୍‌ ହେଲେ କ୍ରେନ୍‌, ଦୁର୍ଘଟଣା ସମୟରେ ଆମ୍ବୁଲାନ୍ସ ଯୋଗାଇ ଦେବା ଭଳି ବ୍ୟବସ୍ଥା ରହିଛି। କିନ୍ତୁ ଠିକ୍‌ ସମୟରେ ଏସବୁର ସେବା ମିଳୁନଥିବା ଅଭିଯୋଗ ହେଉଛି। ମୁଖ୍ୟତଃ ରାସ୍ତା ମରାମତି ହେଉନଥିବାରୁ ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟୁଛି। ଏନେଇ ପ୍ରୋଜେକ୍ଟ ଇନ୍‌ଚାର୍ଜ ପ୍ରଭାତ ଲେଙ୍କାଙ୍କୁ ଯୋଗାଯୋଗ ହୋଇଥିଲେ ହେଁ କୌଣସି ସୂଚନା ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ।

ଟୋଲ୍ ପ୍ଲାଜାରୁ ୨୦ କିମି ବ୍ୟବଧାନ ଭିତରେ ରହୁଥିବା ସ୍ଥାନୀୟ ଅଣ ବାଣିଜ୍ୟିକ ଯାନଗୁଡିକ ପାଇଁ ମାସିକ ୩୧୫ ଟଙ୍କା ଧାର୍ଯ୍ୟ କରାଯାଇଛି।