ଭୁବନେଶ୍ୱର : ବର୍ଷ ମଝିରେ ଅର୍ଥାତ୍ କରୋନାକୁ ନେଇ ଲୋକେ ଛଟପଟ ହେଉଥିବା ବେଳେ ମହଙ୍ଗା ହେଲା ବିଦ୍ୟୁତ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦରରେ ୩.୯% ବୃଦ୍ଧି କରିଛନ୍ତି। ଏଥିସହିତ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଉପଭୋକ୍ତାମାନେ ଆସନ୍ତା ଅକ୍ଚୋବର ପହିଲାରୁ ୟୁନିଟ୍ ପିଛା ଅତିରିକ୍ତ ୨୦ପଇସା ଲେଖାଏଁ ଦେବେ। ତେବେ ଏହି ବର୍ଧିତ ଦର କୃଷକ, ବିପିଏଲ୍ ଶ୍ରେଣୀ ଭୁକ୍ତ ବା କୁଟୀର ଜ୍ୟୋତି ଯୋଜନାର ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ନାହିଁ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଏପ୍ରିଲ ମାସରେ ନିର୍ଧାରଣ କରାଯିବା ସମୟରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ବର୍ଧିତ ନିଷ୍ପତ୍ତିରୁ ଆୟୋଗ କ୍ଷାନ୍ତ ରହିଥିଲେ। ଏବେ କିନ୍ତୁ ଗ୍ରିଡ୍‌କୋର ଆବେଦନକୁ ଗ୍ରହଣ କରି ନିଅଣ୍ଟ ଭରଣା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆୟୋଗ ଏହି ଛଳରେ ଦର୍ଶାଇଛନ୍ତି ଯେ ୨୦୦୧-୦୨ରୁ ୨୦୦୯-୧୦ ଆର୍ଥିକ ବର୍ଷ ଯାଏ ବିଦ୍ୟୁତ ଦର ବୃଦ୍ଧି ହୋଇନଥିଲା। ସେହିଭଳି ୨୦୧୪-୧୫, ୨୦୧୬-୧୭, ୨୦୧୮-୧୯ ଓ ୨୦୧୯-୨୦ରେ ବିଦ୍ୟୁତ ଶୁଳ୍‌କ ବୃଦ୍ଧି କରାଯାଇନାହିଁ।

Advertisment

ୟୁନିଟ୍      ନୂଆ ଦର
ପ୍ରଥମ ୫୦    ୨ଟଙ୍କା ୭୦
୫୧-୧୦୦    ୩ଟଙ୍କା ୬୦
୧୦୧-୨୦୦  ୪ଟଙ୍କା ୦୫
୨୦୧-୩୦୦  ୪ଟଙ୍କା ୫୩
୩୦୧-୪୦୦   ୫ ଟଙ୍କା
୪୦୦ରୁ ଅଧିକ  ୫ ଟଙ୍କା ୯୦

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ କହିଛନ୍ତି ଯେ ୨୦୨୦-୨୧ ବର୍ଷରେ ଗ୍ରିଡ୍‌କୋ ୨୯ ହଜାର ୧୮ନିୟୁତ ୟୁନିଟ୍ ଆବଶ୍ୟକ କରୁଥିଲା, ଯେଉଁଥିରୁ ୨୮ ହଜାର ୯୦ ନିୟୁତ ୟୁନିଟ୍ ବଣ୍ଟନ କଂପାନିମାନଙ୍କୁ ବିକ୍ରି କରିବ। ଏଥିପାଇଁ ଗ୍ରିଡକୋ ସାମଗ୍ରିକ ଖର୍ଚ୍ଚ ୧୧ହଜାର ୨୪୩ କୋଟି ୭୨ଲକ୍ଷ ଟଙ୍କା ଦର୍ଶାଇଥିଲା ଓ ୟୁନିଟ୍ ପିଛା ୩ଟଙ୍କା ୯୯ ପଇସା ଦାବି କରିଥିଲା। ଏପ୍ରିଲ ୨୨ ତାରିଖରେ ଆୟୋଗ କିନ୍ତୁ ସାମଗ୍ରିକ ଖର୍ଚ୍ଚକୁ ୮ ହଜାର ୨୭୪ କୋଟି ୯୮ଲକ୍ଷ ଟଙ୍କା ଦର୍ଶାଇ ହାରାହାରି ବିଏସ୍‌ପି ୟୁନିଟ୍ ପିଛା ୨ଟଙ୍କା ୭୧ ପଇସା ଧାର୍ଯ୍ୟ କରିଥିଲେ। ସେତେବେଳେ ୬୬୦ କୋଟି ଟଙ୍କାର ଏକ ନିଅଣ୍ଟିଆ ବୋଝ ଗ୍ରିଡକୋ ଉପରେ ପଡ଼ିଥିଲା। ତେବେ କୋଭିଡ୍ ପରିସ୍ଥିତି ପରେ ବିଦ୍ୟୁତ ଦେୟରେ ସଂଶୋଧନ ଅଣାଯିବା ସଂକ୍ରାନ୍ତରେ ଆଶ୍ବାସନା ଦିଆଯାଇଥିଲା। ସେଯାଏ ଗ୍ରିଡ୍‌କୋ ଋଣ ଆଦି ସଂଗ୍ରହ କରି ଖର୍ଚ୍ଚ ଭରଣା କରିବା ଲାଗି ଆୟୋଗ ପରାମର୍ଶ ଦେଇଥିଲେ।

ହେଲେ ଗତ ଅଗଷ୍ଟ ୨୧ ତାରିଖ ଦିନ ଗ୍ରିଡ୍‌କୋ ଆୟୋଗଙ୍କ ନିକଟରେ ବିଦ୍ୟୁତ ଦରରେ ପରିବର୍ତ୍ତନ ଲାଗି ଆବେଦନ କରିଥିଲେ; ଯେଉଁଥିରେ କହିଥିଲେ ଯେ କେନ୍ଦ୍ର ସରକାର ବିଭିନ୍ନ ସୂତ୍ରରୁ ୮୬ କୋଟି ଟଙ୍କା ଦେଇଛନ୍ତି। ଏହାଛଡ଼ା ଆଉ ଟଙ୍କାଟିଏ କେଉଁଠାରୁ ମିଳିବାର ସୁଯୋଗ ନାହିଁ। ବର୍ତମାନ ପରିସ୍ଥିତିରେ ବିଦ୍ୟୁତ ଦର ବୃଦ୍ଧି କରିବା ନିହାତି ଦରକାର ବୋଲି ଗ୍ରିଡ୍‌କୋ ପକ୍ଷରୁ ଯୁକ୍ତି କରାଯାଇଥିଲା। ଯାହା ଉପରେ ଶୁଣାଣି କରି ଆୟୋଗ ୩୪୧କୋଟି ୧୫ଲକ୍ଷ ଟଙ୍କାର ନିଅଣ୍ଟକୁ ମଞ୍ଜୁରି ଦେଇଛନ୍ତି। ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଗ୍ରିଡ୍‌କୋର ପୂରା ନିଅଣ୍ଟିଆ ସ୍ଥିତିକୁ ଭରଣା କରିଥିଲେ, ଉପଭୋକ୍ତାଙ୍କ ଉପରେ ଆହୁରି ଅଧିକ ଆର୍ଥିକ ବୋଝ ପଡ଼ିଥାନ୍ତା। ତେବେ ବିଦ୍ୟୁତ ଦର ବୃଦ୍ଧି ଛଡା ମିଟର ଭଡ଼ା, ଓପିଟିସିଏଲ୍ ପରିବହନ ଜନିତ ଖର୍ଚ୍ଚ ଆଦି ପୂର୍ବ ନିଷ୍ପତ୍ତିକୁ ଆୟୋଗ ଅପରିବର୍ତିତ ରଖିଛନ୍ତି।

ଆୟୋଗଙ୍କ ନୂଆ ନିର୍ଦେଶନାମା ଅନୁସାରେ ଏବେ ୫୦ ୟୁନିଟ୍ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୨ଟଙ୍କା ୭୦ ପଇସା ଦେବାକୁ ପଡ଼ିବ। ସେହିପରି ୫୦ରୁ ୨୦୦ ୟୁନିଟ୍ ଯାଏ ୪ଟଙ୍କା ୫୦ ପଇସା, ୨୦୦ରୁ ୪୦୦ ୟୁନିଟ୍ ଯାଏ ୫ଟଙ୍କା ୫୦ ପଇସା ଓ ୪୦୦ରୁ ଅଧିକ ୟୁନିଟ୍ ବ୍ୟବହାର କଲେ ଉପଭୋକ୍ତାଙ୍କୁ ୫ ଟଙ୍କା ୯୦ ପଇସା ହାରରେ ବିଦ୍ୟୁତ ଶୁଳ୍‌କ ଦେବାକୁ ପଡ଼ିବ। ଆହୁରି ସ୍ପଷ୍ଟ କରି କହିଲେ, ୫୦ ୟୁନିଟ୍ ପାଇଁ ଉପଭୋକ୍ତାଙ୍କୁ ୨ଟଙ୍କା ୭୦ ପଇସା, ୧୦୦ ୟୁନିଟ୍ ପର୍ଯ୍ୟନ୍ତ ୩ଟଙ୍କା ୬୦ ପଇସା, ୨୦୦ ୟୁନିଟ୍ ପର୍ଯ୍ୟନ୍ତ ୪ଟଙ୍କା ୦୫ ପଇସା, ୩୦୦ ୟୁନିଟ୍ ପର୍ଯ୍ୟନ୍ତ ୪ଟଙ୍କା ୫୩ ପଇସା, ୪୦୦ ୟୁନିଟ୍ ପର୍ଯ୍ୟନ୍ତ ୫ ଟଙ୍କା ହାରରେ ବିଦ୍ୟୁତ ଦେୟ ଦେବାକୁ ହେବ। ଯାହା ୟୁନିଟ୍ ପିଛା ହାରାହାରି ବିଦ୍ୟୁତ ଯୋଗାଣ ଦେୟ ଠାରୁ ଯଥେଷ୍ଟ କମ୍ ବୋଲି ଆୟୋଗ ଦାବି କରିଛନ୍ତି। ଏବେ ନୂଆ ନିଷ୍ପତ୍ତି ଅନୁସାରେ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ଦର ୟୁନିଟ୍ ପିଛା ୫ଟଙ୍କା ୨୪ ପଇସାରେ ପହଞ୍ଚିଛି, ଯାହା ପୂର୍ବରୁ ୪ ଟଙ୍କା ୯୯ ପଇସା ଥିଲା।

ସେହିଭଳି ଟାଟା ପାଵାର (ପୂର୍ବରୁ ସେସୁ) ୨୦୨୦-୨୧ବର୍ଷରେ ୯୪୭୦ ନିୟୁତ ୟୁନିଟ୍ ବିଦ୍ୟୁତ ବ୍ୟବହାର କରିବ ବୋଲି ହିସାବ କରିଛି, ଯାହାକୁ ୨ଟଙ୍କା ୭୭ ପଇସାରେ କିଣିବ। ନେସ୍କୋ ୬୫୭୦ ନିୟୁତ ୟୁନିଟ୍ ୩ଟଙ୍କା ୧୬ ପଇସା ହିସାବରେ, ୱେସ୍କୋ ୮୦୦୦ ନିୟୁତ ୟୁନିଟ୍ ୩ ଟଙ୍କା ୨୨ ପଇସାରେ ଓ ସାଉଥ୍‌କୋ ୪୦୫୦ ୟୁନିଟ୍ ୧ଟଙ୍କା ୯୭ ପଇସାରେ କିଣିବେ। ଅର୍ଥାତ୍ ୟୁନିଟ୍ ପିଛା ହାରାହାରି ବିଦ୍ୟୁତ କିଣା ଦର ୨ ଟଙ୍କା ୮୭ ପଇସା ରହିବ। ପୂର୍ବରୁ ଏହା ୨ଟଙ୍କା ୭୦ ପଇସା ଥିଲା। ଆୟୋଗ ତାଙ୍କ ନିର୍ଦେଶନାମାରେ ବଣ୍ଟନ ଜନିତ କ୍ଷତିକୁ ୨୧.୩୪%ରେ ରଖିଛନ୍ତି। ବଣ୍ଟନ କଂପାନିମାନେ ୨୯.୨୨% ପାଇଁ ପ୍ରସ୍ତାବ ଦେଇଥିଲେ। ସେହିଭଳି ସାମଗ୍ରିକ ପରିବହନ ଓ ବାଣିଜ୍ୟିକ କ୍ଷତି ୩୧.୧୪% ଧାର୍ଯ୍ୟ ଲାଗି ବଣ୍ଟନ କଂପାନି ଯୁକ୍ତି ରଖିଥିଲେ ହେଁ, ଆୟୋଗ ତାହାକୁ ୨୨.୧୩% ଧାର୍ଯ୍ୟ କରିଛନ୍ତି।