କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ୪୦ ପଇସା ପର୍ଯ୍ୟନ୍ତ ବଢ଼ିଲା

କେନ୍ଦୁପତ୍ର ତୋଳାଳୀଙ୍କୁ ଶତପ୍ରତିଶତ ବୋନସ୍‌

ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦୁପତ୍ର ଉନ୍ନୟନ ପରିଷଦର ପଞ୍ଚମ ବୈଠକରେ ୨୦୧୮ ଫସଲ ବର୍ଷ ପାଇଁ କେରୀ ଅଞ୍ଚଳରେ (୨୦ ପତ୍ର) କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ୮୦ ପଇସାରୁ ୧ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଫାଲ୍‌ ଅଞ୍ଚଳରେ (୪୦ ପତ୍ର) ସଂଗ୍ରହ ମୂଲ୍ୟକୁ ୧ଟଙ୍କା ୬୦ପଇସାରୁ ୨ଟଙ୍କାକୁ ବଢ଼ାଯାଇଛି। ଏହାସହ ୨୦୧୭ ଫସଲ ବର୍ଷ ପାଇଁ କେନ୍ଦୁପତ୍ରର କ୍ରୟ ମୂଲ୍ୟ ଉପରେ କେନ୍ଦୁପତ୍ର ତୋଳାଳିଙ୍କୁ ଶତ ପ୍ରତିଶତ ବୋନସ୍‌ ଦିଆଯିବ। ୨୦୧୭ ଫସଲ ବର୍ଷ ପାଇଁ କେନ୍ଦୁପତ୍ର ସିଜନାଲ କର୍ମଚାରୀ ଓ ବନ୍ଧାଳୀମାନଙ୍କୁ ତାଙ୍କ ମଜୁରୀର ୨୦% ହାରରେ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ରାଜ୍ୟରେ ୭.୫ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ୨୬ହଜାର ବନ୍ଧାଳୀ ଅଛନ୍ତି। ତେଣୁ କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭକୁ ସେମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରାଯିବ। ଗତବର୍ଷ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିଭିନ୍ନ ଦେୟ ବାବଦରେ ୧୮୫କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାସହ ୨୦୧୭-୧୮ ବର୍ଷରେ ବୋର୍ଡ ପକ୍ଷରୁ ବିଭିନ୍ନ କଲ୍ୟାଣ କ୍ଷେତ୍ରରେ ୪୦କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କେନ୍ଦୁପତ୍ର ଉନ୍ନୟନ ପରିଷଦର ସଭାପତି, ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପିସିସିଏଫ୍‌ ଏବଂ ବିଭିନ୍ନ ପଞ୍ଚାୟତ ପ୍ରତିନିଧି ଓ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର