ଭୁବନେଶ୍ବର : ରାଜ୍ୟରେ କୃଷକମାନଙ୍କର ସ୍ବାର୍ଥ ଦୃଷ୍ଟିରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରାଯିବା ଜରୁରୀ। ରାଜ୍ୟର ଅଧିକାଂଶ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଧାନ ସେମାନଙ୍କର ମୁଖ୍ୟ ଫସଲ। ତେଣୁ ଚାଷୀମାନଙ୍କ ସ୍ବାର୍ଥରକ୍ଷା ସହିତ ସେମାନଙ୍କର ଆୟ ବୃଦ୍ଧି ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ବାମୀନାଥନ କମିଟି ସୁପାରିସ ଅନୁଯାୟୀ ବୃଦ୍ଧି କରିବା ଉଚିତ୍ ବୋଲି ଅର୍ଥ, କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଶଶିଭୂଷଣ ବେହେରା ଗୁରୁତ୍ବାରୋପ କରିଛନ୍ତି।
ଆଜି ରାଜ୍ୟ ଅତିଥି ଭବନଠାରେ ୨୦୧୯/୨୦ ବର୍ଷ ପାଇଁ ପୂର୍ବାଞ୍ଚଳ ଖରିଫ ଫସଲ ବିପଣନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ବେହେରା କହିଲେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ସର୍ବସମ୍ମତ କ୍ରମେ ପ୍ରସ୍ତାବ ଗୃହୀତ ହୋଇ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା। ପୂର୍ବାଞ୍ଚଳ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟରେ ଧାନ ମୁଖ୍ୟ ଫସଲ ହୋଇଥିବାରୁ ଏମ୍ଏସ୍ ସ୍ବାମୀନାଥନ କମିଟି ସୁପାରିସକୁ ଲାଗୁ କରାଗଲେ ଏସବୁ ରାଜ୍ୟରେ ଧାନଚାଷ ଲାଭଜନକ ହୋଇପାରିବ। ଚାଷୀମାନେ ଉପକୃତ ହୋଇପାରିବେ। ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ‘କାଳିଆ’ ଯୋଜନା ପ୍ରଣୟନ କରିଛନ୍ତି। ଏଥିରେ ୯୨ ପ୍ରତିଶତ ଚାଷୀମାନେ ଉପକୃତ ହେବେ। କୃଷକମାନଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷ କାର୍ଯ୍ୟ ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ପାଇଁ ମଜୁରୀ ଓ ଆନୁଷାଙ୍ଗିକ କାର୍ଯ୍ୟ ପାଇଁ ୫ଟି ଫସଲ ଋତୁରେ ମୋଟ ୨୫ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ଅସମର୍ଥ କୃଷି ପରିବାର ଓ ଭୂମିହୀନ ଶ୍ରମିକମାନଙ୍କୁ ସେମାନଙ୍କ ପରିବାରର ଜୀବିକା ନିର୍ବାହ ପାଇଁ ଏକକାଳୀନ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଭୂମିହୀନ ପରିବାରକୁ ଆନୁସାଙ୍ଗିକ କୃଷି କାର୍ଯ୍ୟ ପାଇଁ ୧୨ହଜାର ୫ଶହ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି। ‘କାଳିଆ’ ଯୋଜନାରେ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସାଧାସଳଖ ସହୟତା ରାଶି ପ୍ରଦାନ କରାଯାଉଛି। ଅନ୍ୟ ଯୋଜନା ତୁଳନାରେ ଏହି ଯୋଜନା ରାଜ୍ୟ ଓ ରାଜ୍ୟ ବାହାରେ ବେଶ ପ୍ରଶଂସିତ ହୋଇଛି ବୋଲି ଶ୍ରୀ ବେହେରା କହିଥିଲେ।
ବୈଠକରେ କମିସନର ଫର ଏଗ୍ରିକଲଚରାଲ କଷ୍ଟ ଏଣ୍ଡ ପ୍ରାଇସେସ୍ର ଅଧ୍ୟକ୍ଷ ପ୍ରଫେସର ବିଜୟ ପାଲ ଶର୍ମା କହିଲେ, ଧାନ ଚାଷକୁ ଅଧିକ ଲାଭଜନକ କରିବା ପାଇଁ ପାଇଁ ଏହାର ଉତ୍ପାଦନ ଖର୍ଚ କମାଇବା ସହିତ ଉତ୍ପାଦନ ବୃଦ୍ଧି କରିବା ଦିଗରେ ଉଦ୍ୟମ ହେବା ଆବଶ୍ୟକ। ଧାନ ଉତ୍ପାଦନରେ ଓଡ଼ିଶା ଓ ଛତିଶଗଡ଼ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ତେବେ ଶ୍ରୀ ଶର୍ମା କୃଷିରେ ନାନାପ୍ରକାର ଉନ୍ନତି ଆଣିବା ଉପରେ ଗୁରୁତ୍ବ ଦେଇଥିଲେ। କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ, କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ଦେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଏ ନାରାୟଣ ମୂର୍ତି, ପରାମର୍ଶଦାତା ଡି.କେ ପଣ୍ଡା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ, ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟର ନିର୍ଦେଶକ ଏ.ମୁଥୁକୁମାର, ଓଡ଼ିଶା କୃଷି ବିପଣନ ବୋର୍ଡର ନିର୍ଦେଶକ ବଲବନ୍ତ ସିଂହଙ୍କ ସମେତ ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ ଓ ଛତିଶଗଡ଼ର ବରିଷ୍ଠ ଅଧିକାରୀ ଓ କୃଷି ବିଶ୍ବବିଦ୍ୟାଳୟର ପ୍ରତିନିଧି ଓ କୃଷକ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/paddy-1.jpg)