ଅନ୍ଧାରୀ ପାହାଡ଼ରୁ ଜଙ୍ଗଲ ସଫା ହୋଇଯାଇଥିଲା। ଅକ୍ଳାନ୍ତ ପରିଶ୍ରମ ଏବଂ ନିରନ୍ତର ସଂରକ୍ଷଣ ପ୍ରକ୍ରିୟାରେ ବର୍ତ୍ତମାନ ପାହାଡ଼ର ସବୁଜିମା ଫେରିଆସିଛି। ପାହାଡ଼ର ପ୍ରାୟ ୨୦ କିମି ପରିଧିରେ ରହିଥିବା ୧୫ଟି ଗାଁର ବନ ସୁରକ୍ଷା ସମିତିକୁ ନେଇ ଗଠିତ ମା’ ଅନ୍ଧାରୀ ବନ ସୁରକ୍ଷା ମହାସଂଘର ନିଷ୍ଠା ଦ୍ୱାରା ସୃଷ୍ଟି ହୋଇପାରିଛି ଅନ୍ଧାରୀ ପ୍ରାକୃତିକ ଜଙ୍ଗଲ। ଏହି ଜଙ୍ଗଲରୁ ପ୍ରତିଫଳିତ ସୂର୍ଯ୍ୟାଲୋକର ହସରେ ପ୍ରତି ବର୍ଷ ଆଖପାଖ ଅଂଚଳବାସୀ ସାମିଲ ହେଉଛନ୍ତି। ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଆସି ପାହାଡ଼ ସଂରକ୍ଷଣର ବାର୍ତ୍ତା ଦେଉଛନ୍ତି। ସ୍ଥାନୀୟ ଲୋକଙ୍କ ହସଖୁସିରେ ସାମିଲ ହେଉଛନ୍ତି। ଯାତ୍ରାର କେତେକ ଦୃଷ୍ଟିକୋଣକୁ ନେଇ ଏ ବର୍ଷ ଅନ୍ଧାରୀ ପାହାଡ଼ ଶୀର୍ଷରୁ ରାଜୀବ ଦାଶ ଓ ଭରତ ପାତ୍ରଙ୍କ ସ୍ୱତନ୍ତ୍ର ରିପୋର୍ଟ:
ଯାତ୍ରା ବା କୌଣସି ଉତ୍ସବ ଏକ ଖୋଲା ପଡ଼ିଆରେ ନିର୍ଦିଷ୍ଟ କାର୍ଯ୍ୟକ୍ରମକୁ ବୁଝାଯାଏ। ମା’ ଅନ୍ଧାରୀ ବନଦୁର୍ଗାଙ୍କ ଯାତ୍ରା ଅନ୍ତର୍ଗତ ପାହାଡ଼ ଚଢ଼ା କାର୍ଯ୍ୟକ୍ରମ ନିଆରା ଥିଲା। ୬/୭ଟି ଛୋଟବଡ଼ ପାହାଡ଼ର ସମାହାରକୁ ନେଇ ରହିଛି ଅନ୍ଧାରୀ ପାହାଡ଼। ଶୀର୍ଷରେ ମା’ ଅନ୍ଧାରୀ ବନଦେବୀଙ୍କ ଆସ୍ଥାନ। ସେଠାରେ ରହିଛି ‘ଚଉନା ବନ୍ଧ’। ଏହା ଅଂଚଳବାସୀଙ୍କ ପାଇଁ ଏକ ତୀର୍ଥସ୍ଥାନରୁ କମ ନୁହେଁ। କୁଅଁରମାଳ-ପାକେଲଖୋଲ ବଜାର ଅତିକ୍ରମ କରି ଅଙ୍କାବଙ୍କା ସଂକୀର୍ଣ୍ଣ ଜଙ୍ଗଲ ରାସ୍ତା ଅନ୍ଧାରୀ ପାହାଡ଼ର ପାଦଦେଶ କହଚୂଅାଁକୁ ନେଇ ଯାଇଥିଲା। ‘ଜଙ୍ଗଲରେ ଯାତ୍ରା’ର ଏକ ନିଆରା ମାହୋଲ ରହିଛି। ଦୁଇ ଦିନ ପାଇଁ ପ୍ରତି ବର୍ଷ ଏହି ଯାତ୍ରା ଲୋକଙ୍କ ଜୀବନରେ ଆଣି ଦେଉଛି ହସଖୁସି, ଆନନ୍ଦ। ପାହାଡ଼ ତଥା ଜଙ୍ଗଲ ସଂରକ୍ଷଣ ଭଳି ଏକ ମହତ ଉଦ୍ଦେଶ୍ୟ ସଂପାଦନ ହେଉଥିବାରୁ ସେମାନେ ଉତ୍ସବ ମାଧ୍ୟମରେ ତାହା ପାଳନ କରୁଛନ୍ତି। ବୁଢ଼ାବୁଢ଼ି, ଯୁବକଯୁବତୀ, ପିଲାଛୁଆ ସବୁ ବର୍ଗର ଲୋକମାନେ ପାହାଡ଼ ଚଢ଼ୁଛନ୍ତି। ଏହାଦ୍ୱାରା ଆଧୁନିକତା ଓ ପ୍ରକୃତିର ଏକ ନିଆରା ସହାବସ୍ଥାନ ଦେଖିବାକୁ ମିଳୁଛି।
ପ୍ରାୟ ୧୫ ବର୍ଷ ହେଲା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ଧ୍ରୁବରାଜ ନାଏକ ନିଜ ଗାଁ ପାକେଲଖୋଲକୁ ଫେରିବା ପରେ ଏହି ଯାତ୍ରାରେ ଜଡ଼ିତ ରହିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଓ କିର୍ମିରା ବ୍ଲକ୍ ମଧ୍ୟରେ ୭୬ ବର୍ଗ କିମି ଅନ୍ଧାରୀ ସଂରକ୍ଷିତ ଜଙ୍ଗଲର ପରିସୀମାରେ ପ୍ରାୟ ୫ ହଜାର ଏକର ଅଂଚଳରେ ପ୍ରାକୃତିକ ଜଙ୍ଗଲକୁ ଗ୍ରାମବାସୀ ସଂରକ୍ଷିତ ରଖିପାରିଛନ୍ତି।
ଡ. ନାଏକ ୧୫ଟି ଗାଁର ବନ ସୁରକ୍ଷା ସମିତି ସହ ମିଶିଗଲେ। ପ୍ରତି ଗାଁରେ ମା’ ଅନ୍ଧାରୀଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ଓ ନିଷ୍ଠା ଥିବାରୁ ସେମାନେ ସେହି ଉଦ୍ଦେଶ୍ୟରେ ପାହାଡ଼ର ଜଙ୍ଗଲ ସଂରକ୍ଷଣ କରିବାକୁ ଲାଗିଲେ। ‘ବନ ସୁରକ୍ଷା ମୋର ବ୍ରତ, ଜୀବଜନ୍ତୁ ମୋର ସହଚର’ ସ୍ଲୋଗାନ ମାଧ୍ୟମରେ ଡ. ନାଏକ ଦିନରାତି ବିଭିନ୍ନ ସଚେତନତା ବାର୍ତ୍ତା ପ୍ରସ୍ତୁତ କରୁଥିଲେ। ଏହା ପୂର୍ବରୁ ତାଙ୍କ ପୁଅ ଇଂ ସୁବ୍ରତ ନାଏକ ପାହାଡ଼ର ଉଜୁଡ଼ା ଜଙ୍ଗଲକୁ ପୁନରୁଦ୍ଧାର କରିବା ଲକ୍ଷ୍ୟରେ ୧୯୯୪ରେ ଏହି ପାରମ୍ପରିକ ଯାତ୍ରା ଆରମ୍ଭ କରିଥିଲେ। ଜଙ୍ଗଲ ସଂରକ୍ଷଣ ହିଁ ମା’ ଅନ୍ଧାରୀ ଦେବୀଙ୍କ ପୂଜାର୍ଚନାକୁ ଫଳବତୀ କରିବ ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମିଥିଲା। ପ୍ରାକୃତିକ ଜଙ୍ଗଲର ସୁରକ୍ଷାରୁ ମିଳୁଥିବା ଆନନ୍ଦକୁ ପ୍ରତିବର୍ଷ ଅଂଚଳବାସୀ ଅନ୍ଧାରୀ ଯାତ୍ରା ମାଧ୍ୟମରେ ପାଳନ କରି ଆସୁଛନ୍ତି।
ପାହାଡ଼ ଚଢ଼ା ଓ ବନ ସୁରକ୍ଷାର ଅଭିନବ ଉତ୍ସବ:ଜଙ୍ଗଲରେ ଯାତ୍ରା
/sambad/media/post_attachments/wp-content/uploads/2017/10/kld30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)