ପଥର କରୁଛି ନାକେଦମ୍‌ : ମିଳୁନି ଆଶାନୁରୂପ ସଫଳତା, ଚିନ୍ତା ବଢ଼ାଇଲା ବର୍ଷା

ଜୟପୁର : ଭୀଷଣ ଶବ୍ଦ ସହ ଉପରକୁ ଧୂଆଁ ଉଠୁଛି। ଦୂରରୁ ବି ବିସ୍ଫୋରଣକୁ ଅନୁଭବ କରି ହେଉଛି। ହେଲେ ପଥର ଠିକ୍‌ ରୂପେ ଫାଟୁନାହିଁ। ଗତକାଲି ଠାରୁ ଆଜି ସୁଦ୍ଧା ୫ଥର ନିୟନ୍ତ୍ରିତ ବିସ୍ଫୋରଣ ହୋଇସାରିଲାଣି। ତଥାପି ପ୍ରଶାସନକୁ ଆଶାନୁଯାୟୀ ସଫଳତା ମିଳିନାହିଁ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବୋରିପୁଟରେ ଧସିଥିବା ଗୁମ୍ମା ପାହାଡ ପ୍ରଶାସନକୁ ନାକେଦମ କରି ସାରିଲାଣି। କଠିନ ଗ୍ରାନାଇଟ ଭଳି ପଥର ହୋଇଥିବାରୁ ବିସ୍ଫୋରଣର ପ୍ରଭାବ ପଡ଼ୁଥିବା ନେଇ କୁହାଯାଉଛି। ଗତ ୨୪ଘଣ୍ଟା ମଧ୍ୟରେ ୨ରୁ ୩ଟିି ବଡ ବଡ ପଥରକୁ ବିସ୍ଫୋରଣରେ ଖଣ୍ଡଖଣ୍ଡ କରିପାରିଛି ଭାରତୀୟ ସେନା। ତେଣୁ ଚାପି ହୋଇ ରହିଥିବା ଦୁଇ ଜେସିବି ଅପରେଟରଙ୍କ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେବାରେ ଲାଗିଛି।

ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଟିମ୍‌ର ପ୍ରାଥମିକ ଉଦ୍ଧାର କାର୍ଯ୍ୟରେ ବିଶେଷ ସଫଳତା ନମିଳିବାରୁ ଏନଡିଆରଏଫର ସହାୟତା ନେଇଥିଲା ପ୍ରଶାସନ। ତେଣୁ ଘଟଣାର ୩ ଦିନ ପରେ ମୁଣ୍ଡୁଳିରୁ ୪୦ଜଣିଆ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। କିନ୍ତୁ ଯେଉଁ ଭଳି ପଥର ଧସିଛି ଏନ୍‌ଡିଆରଏଫ୍‌କୁ ବି ସଫଳତା ମିଳିନଥିଲା। ବାଧ୍ୟ ହୋଇ ଘଟଣାର ୭ମ ଦିନରେ ସେନାର ସହାୟତା ଲୋଡିଥିଲେ ରାଜ୍ୟ ସରକାର। ରାଞ୍ଚ ଓ ଦିଲ୍ଲୀରୁ ୯ ଜଣିଆ ଟିମ୍‌ ସହ କୋରାପୁଟର ୨ଜଣ ସେନାଧିକାରୀ ଗତକାଲି ବିଏସଏଫ ହେଲିପ୍ୟାଡରେ ପହଞ୍ଚି ଘଟଣାସ୍ଥଳକୁ ଯାଇଥିଲା। ଗତକାଲି ସନ୍ଧ୍ୟାରେ ଗୋଟିଏ ବ୍ଲାଷ୍ଟିଂ କରାଯାଇଥିବା ବେଳେ ଆଜି ସକାଳୁ ପୁଣି ୪ଥର ବିସ୍ଫୋରଣ କରାଯାଇ ସାରିଲାଣି।

ଅନ୍ୟପକ୍ଷରେ, ଝିପ୍‌ଝିପ୍‌ ବର୍ଷା ଲାଗି ରହିଥିବାରୁ ପାହାଡ ଉପରୁ ଆହୁରି ପଥର ଖସିବାର ସମ୍ଭାବନା ରହିଛି। ଏଥିଯୋଗୁଁ ସେନା ଓ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଥିବା ଜଣାପଡିଛି।

ଉପବାସ ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ

ଜୟପୁର : ରୋଜା ସତ୍ତ୍ୱେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ମୁସ୍‌ସିଲ୍‌ ସମ୍ପ୍ରଦାୟର ୨ ଜଣ କର୍ମଚାରୀ। ଦିନସାରାର ଉପବାସ ଦୁହିଁଙ୍କୁ କର୍ତ୍ତବ୍ୟରୁ ଅନ୍ତର କରିନାହିଁ। ପଥର ତଳେ ଚାପି ହୋଇଥିବା ୨ ଜେସିବି ଅପରେଟର୍‌ଙ୍କୁ ବାହାର କରିବାପାଇଁ ଦୁହେଁ ଅନ୍ୟମାନଙ୍କ ସହିତ ସାମିଲ୍‌ ହୋଇଯାଇଛନ୍ତି।

ଏହି ୨ ଜଣ ହେଲେ, ଓଡ଼ିଶା କନଷ୍ଟ୍ରକସନ କରର୍ପୋରେସନର ମେକାନିକ ହୁସେନ ଉଲ୍ଲା ଖାନ (୬୦ବର୍ଷ) ଓ କୋରାପୁଟ ଓଡ୍ରାଫ ଟିମ୍‌ର ଶେଖ ଦୁଲ୍ଲା। ହୁସେନ ଉଲ୍ଲା ଖାନ୍‌ଙ୍କ ଘର ଉତ୍ତରପ୍ରଦେଶ ଓ ବିହାର ସୀମାନ୍ତ ମୋଗଲ ସରାଇ। ଦୀର୍ଘ ବର୍ଷ ହେଲା ସେ ଓଡ଼ିଶା କନଷ୍ଟ୍ରକସନ କରର୍ପୋରେସନରେ କାର୍ଯ୍ୟ କରୁଛନ୍ତି। ୩୧ ତାରିଖରେ ପାହାଡ ଧସିବା ଦିନଠାରୁ ସେ କୋରାପୁଟର ବୋରିପୁଟକୁ ଆସିିଛନ୍ତି। ପବିତ୍ର ରମଜାନ ମାସ ପାଇଁ ସେ ଦିନତମାମ ଉପବାସରେ ରହୁଛନ୍ତି। ଏହାସତ୍ତ୍ୱେ ବି ସେ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେହିପରି କୋରାପୁଟ ଓଡ୍ରାଫ ଟିମରେ ରହିଥିବା ଶେଖ ଦୁଲ୍ଲା ନିଜକୁ ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ୍‌ କରିଛନ୍ତି। ଦୁହେଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯେଉଁଭଳି ଭାବେ ଅବିଶ୍ରାନ୍ତ ପରିଶ୍ରମ କରୁଛନ୍ତି, ତାହା ଅନ୍ୟମାନଙ୍କୁ ଚକିତ କରିଦେଉଛି। ଦୁହିଁଙ୍କର ନିଷ୍ଠା ଘଟଣାସ୍ଥଳରେ ଅନ୍ୟମାନଙ୍କୁ ବି ପ୍ରେରଣା ଯୋଗାଥିବା ଦେଖିବାକୁ ମିଳୁଛି। କର୍ମ ହିଁ ଯେ ପ୍ରକୃତ ଉପାସନା- ଏହାକୁ ଯଥାର୍ଥତାର ସହିତ ପ୍ରତିପାଦନ କରିଛନ୍ତି ଉଭୟ ଉଲ୍ଲା ଓ ଶେଖ୍‌ ଦୁଲ୍ଲା।

ସମ୍ବନ୍ଧିତ ଖବର