ତେନ୍ତୁଳିଖୁଣ୍ଟି : ପାହାଡ଼ିଆ ରାସ୍ତା ହୋଇଥିବାରୁ ଗାଁକୁ ଯାଇ ନପାରି ୪ କିଲୋମିଟର ପୂର୍ବରୁ ଅଟକିଗଲା ଆମ୍ବୁଲାନ୍ସ। ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ପାହାଡ଼ିଆ ରାସ୍ତାରେ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହାର କିଛି ସମୟ ପରେ ମହିଳା ଜଣଙ୍କ ଏକ ଶିଶୁକନ୍ୟା ପ୍ରସବ କରିଛନ୍ତି। ଏଭଳି ଏକ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ବରଡ଼ାଯୋଡ଼ି ଗ୍ରାମରେ।
ସୂଚନା ଅନୁଯାୟୀ, ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ତଥା ପାହାଡ଼ ଉପରେ ଥିବା ବରଡ଼ାଯୋଡି ଗ୍ରାମର ଅମନାଥ ମାଝୀଙ୍କ ପତ୍ନୀ ଜୟନ୍ତୀ ମାଝୀ ଆଜି ସକାଳେ ପ୍ରସବ ବେଦନା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକ ଆଶାକର୍ମୀ ରାଧିକା ନାୟକଙ୍କୁ ଖବର ଦେଇଥିଲେ। ଆଶାକର୍ମୀ ଗର୍ଭବତୀଙ୍କ ଘରକୁ ତୁରନ୍ତ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ପରେ ଆମ୍ବୁଲାନ୍ସ ବରଡ଼ାଯୋଡ଼ି ଗ୍ରାମ ଅଭିମୁଖେ ବାହାରିଥିଲା। କିନ୍ତୁ, ପକ୍କା ରାସ୍ତା ନଥିବାରୁ ୪କିଲୋମିଟର ପୂର୍ବରୁ ସିନ୍ଧିଗୁଡ଼ା ନିକଟରେ ଅଟକି ଯାଇଥିଲା ଆମ୍ବୁଲାନ୍ସ। ବରଡ଼ାଯୋଡ଼ି ଗ୍ରାମବାସୀ ଏହି ଖବର ପାଇବା ପରେ ଜୟନ୍ତୀଙ୍କୁ ଖଟିଆରେ ବୋହି ନେବାପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ଜୟନ୍ତୀଙ୍କୁ ଖଟିଆରେ ବୋହି ୪କିଲୋମିଟର ପାହାଡ଼ିଆ ରାସ୍ତା ପାର ପାର ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ଏହାପରେ ଜୟନ୍ତୀଙ୍କୁ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସକାଳ ପ୍ରାୟ ୧୧ଟାରେ ଜୟନ୍ତୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଚିକିତ୍ସା ପରେ ମାଆ ଏବଂ ନବଜାତ ଶିଶୁ ସୁସ୍ଥ ଥିବା ଡା. ସଚିକାନ୍ତ ଲେଙ୍କା ପ୍ରକାଶ କରିଛନ୍ତି।
ପ୍ରକାଶଥାଉକି, ଗାଁକୁ ରାସ୍ତା ନଥିବାରୁ ବରଡ଼ାଯୋଡ଼ି ଗ୍ରାମବାସୀ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ। ତଥାପି ଉକ୍ତ ଗ୍ରାମକୁ ପକ୍କା ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରିନଥିଲା। ବର୍ତ୍ତମାନ ମନରେଗା ଯୋଜନାରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।