କୁଚିଣ୍ଡାରେ ଫଳିଛି ହିମାଚଳ ସେଓ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଗୁଦଗୁଦା ଜଳପ୍ରପାତ ନିକଟର ପରିବେଶରେ ଯେ ସେଓ ଫଳିପାରେ ତାହା ପ୍ରମାଣିତ ହୋଇଛି। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବଡ଼ବାହାଲ ଗ୍ରାମର ସଞ୍ଜୀବ ମରାଇ। ଲିଚୁ, ଆମ୍ବ, କଦଳୀ ଓ ପଣସ ପାଇଁ ପ୍ରସଦ୍ଧି ଲାଭ କରିଥିବା ଏହି ଗାଁରେ ଫିଳିଛି ହିମାଚଳ ପ୍ରଦେଶ ସେଓ। ଗାଁରେ ଏମିତି ପରିବାର ନାହିଁ ଯାହାଙ୍କର ବଗିଚା ନାହିଁ। ଏପ୍ରିଲ ଶେଷ ସମୟରୁ ଚଳଚଞ୍ଚଳ ହୋଇ ଉଠେ ଏହି ଗାଁ। ପ୍ରାୟ ୧ଲକ୍ଷରୁ ଅଧିକ ଲିଚୁ ଗଛ, ପଚାଶ ହଜାରରୁ ଅଧିକ ଆମ୍ବ, କଦଳୀ ଓ ପଣସ ଗଛ ରହିଛି ଏହି ଗାଁରେ।

ଏଠାରେ ମିଲୁଥିବା ଲିଚୁ ଓ ଆମ୍ବ କୁଚିଣ୍ଡା, ରାଉରକେଲା, ଝାରସୁଗୁଡା ଦେଇ ବିଭିନ୍ନ ଅଞ୍ଚଳକୁ ପଠାଯାଇଥାଏ। କୁଚିଣ୍ଡା ନିକଟସ୍ଥ ଭୋଜପୁରଠାରେ ତିଆରି ହୋଇଥିବା ଏକ ସେଓ ବଗିଚାରେ ଅନୁପ୍ରାଣିତ ହୋଇ ବଡବାହାଲ ଗ୍ରାମର ସଞ୍ଜୀବ ଅନ୍‌ଲାଇନରେ ୬ଟି ସେଓ ଗଛ ଓ ଅନ୍ୟ ଜଣେ ଚାଷୀ ୪ଟି ସେଓ ଗଛ ହିମାଚଳ ପ୍ରଦେଶରୁ ମଗାଇଥିଲେ। ଦେଢ଼ ବର୍ଷରେ ଉକ୍ତ ସେଓ ଗଛ ପାଞ୍ଚ ଫୁଟ ପର୍ଯ୍ୟନ୍ତ ଉଚ୍ଚତା ହେବା ସହିତ ଗଛରେ ଫୁଲ ଫଳ ଧରିଛି। ଏହା ଦେଖି ଶ୍ରୀ ମରେଇ ଖୁସି ହେବା ସହିତ ବଡବାହାଲରେ ଆହୁରି ଚାଷୀ ସେଓ ଗଛର ଲଗାଇବାକୁ ଇଚ୍ଛା ପ୍ରକାଶ କରିଥିବା ଦେଖାଯାଇଛି।

ସଞ୍ଜୀବ ଲଗାଇଥିବା ୬ଟି ଗଛରେ ସେଓ ଫଳ ଧରିଛି। ଏହି ଗଛ ଓ ଫଳ ଦେଖିବା ପାଇଁ ଗାଁରେ ଭିଡ଼ ମଧ୍ୟ ହେଉଛି। ସରକାର ଉତ୍ତମ ପରିବେଶ ସହିତ ଏକ ବଜାର ସୃଷ୍ଟି ହୋଇଥିବା ଏହି ଗ୍ରାମର ଲୋକଙ୍କୁ ଉଦ୍ୟାନ ବିଭାଗ ମାଧ୍ୟମରେ ହିମାଚଳ ପ୍ରଦେଶରୁ ସେଓ ଚାରା ଆଣି ଚାଷୀଙ୍କୁ ଯୋଗାଇଦେଲେ ଏଠାରେ ସେଓ ବଗିଚା ସୃଷ୍ଟି କରାଯାଇ ପାରିବ ବୋଲି ଗ୍ରାମବାସୀ କହିଛନ୍ତି। ଗୁଦଗୁଦା ଜଳପ୍ରପାତ ତଥା ଖଜୁରିଆ ରିଜର୍ଭ ଜଙ୍ଗଲ ମଧ୍ୟରେ ଏହି ଗାଁ ରହିଥିବା ଯୋଗୁଁ ଫଳଚାଷ ପାଇଁ ଏଠାରେ ଉତ୍କୃଷ୍ଟ ପରିବେଶ ରହିଥିବା ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର