ଭୁବନେଶ୍ୱର : ଶ୍ରମିକମାନେ ହେଉଛନ୍ତି ଦେଶର ଶକ୍ତି। ବିକାଶର ସବୁ କ୍ଷେତ୍ରରେ ଶ୍ରମିକମାନଙ୍କର ଯଥେଷ୍ଟ ଅବଦାନ ରହିଛି। ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ବାବୁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ। ରାଜ୍ୟ ସରକାର ମଧ୍ୟ ଚାଷୀ, ମୂଲିଆ ଓ ମଜଦୁରମାନଙ୍କ ସହିତ ରହିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Sambad is now on WhatsApp
Join and get latest news updates delivered to you via WhatsApp
ହିନ୍ଦ୍ ମଜଦୁର ସଭାର ଚତୁର୍ଦଶ ସମ୍ମିଳନୀ ଆଜି ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମଜଦୁର ସଭାର ସଭାପତି ବିଦ୍ୟାଧର ବାରିକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ, ହିନ୍ଦ ମଜଦୁର ସଭା ହେଉଛି ୭୦ବର୍ଷର ବିରାଟ ସଂଗଠନ। ଜୟ ପ୍ରକାଶ ନାରାୟଣ ଓ ଅଶୋକ ମେହେଟା ଭଳି ସଂଗଠକମାନେ ଏହି ସଂଗଠନକୁ ଆଗକୁ ବଢ଼ାଇଥିଲେ। ସେ ଆହୁରିମଧ୍ୟ କହିଥିଲେ ଯେ, ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। କେନ୍ଦୁ ପତ୍ର ତୋଳାଳିଙ୍କୁ ବ୍ୟବସାୟରେ ଭାଗୀଦାର କରାଯାଇଛି। ସେମାନଙ୍କୁ ଲାଭାଂଶ ମଧ୍ୟ ପ୍ରଦାନ କରାଯାଉଛି। ଏହାସହ ମହିଳା ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏଚ୍ଏମ୍ଏସ୍ର ରାଷ୍ଟ୍ରୀୟ ସାଧାରଣ ସଂପାଦକ ହରଭଜନ ସିଂ ସିଦ୍ଧୁ କହିଲେ, ଦେଶ ତଥା ସମାଜର ନିର୍ମାଣ ପାଇଁ ପୁଞ୍ଜି ଓ ଶ୍ରମର ଆବଶ୍ୟକତା ରହିଛି। ଏଥିରେ ଉଭୟଙ୍କ ସମାନ ଭାଗୀଦାରି ରହିବା ଜରୁରୀ। ନିର୍ବାଚନରେ ସମୟରେ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରିବାରେ ବିଫଳ ହୋଇଛନ୍ତି। ଲୋକମାନଙ୍କ ପ୍ରତି ଏକପ୍ରକାର ଧୋକା ହୋଇଛି। ତେଣୁ ଶ୍ରମିକମାନେ ଏକାଠି ହୋଇ ନିଜର ହକ୍ ପାଇଁ ଲଢ଼ିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଦ୍ଧୁ କହିଥିଲେ।
ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ, ରାଜ୍ୟ ସରକର ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି। ଏଚ୍ଏମ୍ଏସ୍ ହେଉଛି ୧୯୪୮ ମସିହାର ଏକ ପୁରୁଣା ଶ୍ରମିକ ସଂଗଠନ। ଏହି ସଂଗଠନର ଛତ୍ରଛାୟା ତଳେ ଦେଶର ଅନେକ ରାଜ୍ୟରେ ସରକାର ଆସିଛି। ମାତ୍ର କେନ୍ଦ୍ର ସରକାର ଯେଉଁଭଳି ଭାବେ ଶ୍ରମ ଆଇନରେ ପରିବର୍ତନ କରିବାରେ ଲାଗିଛନ୍ତି ଏହାର ବିରୋଧରେ ଲଢ଼େଇ ଜାରି ରହିବ ବୋଲି ଶ୍ରୀ ସ୍ୱାଇଁ କହିଥିଲେ।
ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ଗୃହ ଓ ଶ୍ରମ ମନ୍ତ୍ରୀ ଏନ୍.ନରସିଂହ ରେଡ୍ଡି, ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ନରେନ୍ଦ୍ର ସ୍ୱାଇଁ, ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀ, କୃଷ୍ଣଚନ୍ଦ୍ର ପାତ୍ର ଓ ସୌରୀବନ୍ଧୁ କର ପ୍ରମୁଖ ଉପସ୍ଥିତ ଥିଲେ।