ଏନ୍‌ଆଇଟିରେ ହିନ୍ଦୀ ଦିବସ: ଜମିଲା କବିତା ଆସର

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଉତ୍ସବର ମୁଖ୍ୟଅତିଥି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ କହିଲେ, ଜନସାଧାରଣଙ୍କ ସହ ଯୋଡ଼ିବାକୁ ହେଲେ ଭାଷା ହିଁ ପ୍ରକୃତ ମାଧ୍ୟମ। ଭାଷା ହିଁ ବିବିଧତାକୁ ବାନ୍ଧି ରଖିଥାଏ। ବ୍ୟକ୍ତିଗତଭାବେ ମୁଁ ମଧ୍ୟ ସବୁ ଭାଷା ଶିଖିବାକୁ ଚେଷ୍ଟା କରେ। ପ୍ରତ୍ୟେକ ବ୍ୟକ୍ତିବିଶେଷ ରାଜଭାଷାକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବାକୁ ଆହ୍ବାନ କରିଥିଲେ। ଅନୁଷ୍ଠାନର କୁଳସଚିବ ପ୍ରଫେସର ରୋହନ ଧିମାନ ହିନ୍ଦୀ ଭାଷାର ସର୍ବାଧିକ ବ୍ୟବହାର ତଥା ପ୍ରଚାରପ୍ରସାର ପାଇଁ ଗୁରୁତ୍ବାରୋପ କରିଥିଲେ। ସହକାରୀ କୁଳସଚିବ ତଥା ହିନ୍ଦୀ ଅଧିକାରୀ ଉତ୍ତମ ବିଶ୍ବାଳ ହିନ୍ଦୀ ଭାଷାର ଗୌରବମୟ ଇତିହାସ ଓ ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ।

ଏହିଅବସରରେ ଇସ୍ପାତ ସହରର ବିଶିଷ୍ଟ କବି ଡ. କୃଷ୍ଣ କୁମାର ପ୍ରଜାପତି, ଜନାବ ଗ୍ୟାସ ଅଞ୍ଜୁମ, ଶ୍ୟାମ ସୋମାନି, ବାସୁଦେବ ଚମନ, ଶେଖ୍ ମୁଖ୍‌ତାର ରାହୀ, ଶକୁନ ଅଗ୍ରୱାଲ ‘ସହଜ୍‌’ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଏହାସହ ଅନୁଷ୍ଠାନର ‘କଲାମ କ୍ଲବ’ର ଛାତ୍ରଛାତ୍ରୀ କବିତା ପାଠ କରିଥିଲେ। ରାଜଭାଷା କାର୍ଯ୍ୟକାରୀ କମିଟି ସମ୍ପାଦକ ରବି ଶଙ୍କର ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ କବି, କବୟତ୍ରୀ, ଛାତ୍ରଛାତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର