ବରଗଡ଼ର ୨ ବ୍ଲକ୍‌ରେ ହିନ୍ଦୀ ରାଜ୍‌

ଅମ୍ବାଭୋନା ଓ ଭଟଲି ବ୍ଲକ୍‌ର ଦୋକାନମାନଙ୍କରେ ହିନ୍ଦୀ ହୋର୍ଡିଂ, ଓଡ଼ିଶାର ୪୦ କିମି ଭିତରକୁ ଛାଇଗଲାଣି ହିନ୍ଦୀ

ବରଗଡ଼ : ମାତୃଭାଷାର ପ୍ରଚାର ପ୍ରସାର ପାଇଁ ଉଭୟ ସରକାରୀ ଏବ˚ ବେସରକାରୀ ସ୍ତରରେ ଅନେକ ଯୋଜନା ପ୍ରଣୟନ କରାଯାଉଛି। ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଛି। କିନ୍ତୁ ଓଡ଼ିଶାର ସୀମାନ୍ତ ଗାଁଗୁଡ଼ିକରେ ଓଡ଼ିଆ ଭାଷା ସ˚କଟ ଦେଇ ଗତି କରୁଛି। ସୀମାନ୍ତ ଅଞ୍ଚଳରେ ହିନ୍ଦୀ ଭାଷାକୁ ଲୋକେ ଆଦରି ନେଉଛନ୍ତି। ଛତିଶଗଡ଼ ସୀମା ଠାରୁ ୧୦ କିମି ଦୂର ଅମ୍ବାଭୋନା ଓ ୪୦ କିମି ଦୂର ଭଟଲି ଯାଏ ହିନ୍ଦୀ ମାଡ଼ିଗଲାଣି। ଏହି ଅଞ୍ଚଳରେ ବେପାରୀମାନେ ନିଜ ଦୋକାନରେ ହୋର୍ଡିଂରେ ସିଧାସଳଖ ହିନ୍ଦୀ ଭାଷାକୁ ପ୍ରାଧାନ୍ୟ ଦେଉଛନ୍ତି। କିଛି ଦୋକାନୀଙ୍କ ସାଇନ୍‌ବୋର୍ଡରେ ଓଡ଼ିଆ ଲେଖା ହିଁ ରହୁନାହିଁ। ଆଉ କିଛି ହିନ୍ଦୀ ଭାଷାକୁ ବଡ଼ ଅକ୍ଷରରେ ବ୍ୟବହାର କରୁଛନ୍ତି ଏବଂ ଓଡ଼ିଆ କାମ ଚଳା।

ସିଧା କହିବାକୁ ଗଲେ, ସୀମାନ୍ତରେ ଲୋକେ ନିଜ ମାତୃଭାଷା ତୁଳନାରେ ହିନ୍ଦୀ ଭାଷା ପ୍ରତି ବେଶୀ ଆକୃଷ୍ଟ ହେଉଛନ୍ତି। ଏପରିକି କଥିତ ଭାଷାରେ ମଧୢ ହିନ୍ଦୀ ପ୍ରବେଶ କରିଛି। ଯଦ୍ବାରା ସୀମାନ୍ତ ଗାଁରେ ମାତୃଭାଷା ଅପଭ୍ର˚ଶ ହେବାକୁ ଲାଗିଛି। ଉଦାହରଣ ହେଲା, ଛତିଶଗଡ଼ ରାଜ୍ୟର ଗାଁ ଶଙ୍କରା। ଶଙ୍କରା ଗାଁ ଚାରିପଟେ ଓଡ଼ିଶା ସୀମା। କାଗଜ କଲମରେ ଭୁଲ ଭଟକା ଯୋଗୁଁ ଏହି ଗାଁ ଓଡ଼ିଶା ପରିବର୍ତ୍ତେ ଛତିଶଗଡ଼ରେ ରହିଯାଇଛି। ପୂର୍ବରୁ ଶଙ୍କରା ଗ୍ରାମବାସୀ ଓଡ଼ିଶାରେ ରହିବାକୁ ଇଚ୍ଛା କରୁଥିଲେ। କିନ୍ତୁ କାଳକ୍ରମେ ଏହି ଇଚ୍ଛା ମଉଳି ସାରିଛି। ଶଙ୍କରାରେ ଲୋକେ ସମ୍ବଲପୁରୀ/କୋଶଲି ଭାଷା ବ୍ୟବହାର କରୁଛନ୍ତି। କିନ୍ତୁ ଶିକ୍ଷାନୁଷ୍ଠାନରେ ହିନ୍ଦୀ ଭାଷା ପ୍ରଚଳନ ହେଉଛି। ଅର୍ଥାତ କହିବା ପାଇଁ ଏବ˚ ପଢ଼ିବା ପାଇଁ ଦୁଇଟି ଅଲଗା ଭାଷା। କିନ୍ତୁ ଅଧିକା˚ଶ ଲୋକ ନିଜ କଥିତ ଭାଷାରେ ହିନ୍ଦୀ ପ୍ରୟୋଗ କରୁଥିବା ଦେଖାଦେଇଛି। ଏଠାକାର ପିଲାଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ଚିନ୍ତା କରିଥିଲେ। ଶଙ୍କରାଠାରୁ ମାତ୍ର ୩ ଶହ ମିଟର ଦୂରରେ ରହିଛି କପାଶିରା ଗାଁ। ଯାହା ଓଡ଼ିଶାରେ ରହିଛି।

କପାଶିରା ଗାଁ ମୁଣ୍ତରେ ଥିବା ଚମାରପଡ଼ାରେ ୧୯୯୯ ମସିହା ଡିସେମ୍ବର ୧୭ ତାରିଖ ଦିନ ‘ଡ. ବିଆର‌୍‌ ଆମ୍ବେଦକର ଓଡ଼ିଶା ଛତିଶଗଡ଼ ସୀମାନ୍ତ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଥିଲା। ସୀମାନ୍ତ ଗାଁରେ ଓଡ଼ିଆ ଭାଷାର ବିକାଶ ପାଇଁ ସରକାରୀ ସ୍ତରରେ ଏହି ଉଦ୍ୟମ ହୋଇଥିଲା। ଶଙ୍କରା ଗାଁକୁ ପିଲା ଏଠିକୁ ପଢ଼ିବାକୁ ମଧୢ ଆସୁଥିଲେ। କିନ୍ତୁ ଓଡ଼ିଆ ଭାଷା ପ୍ରତି ତାଙ୍କ ମୋହ କ୍ରମଶଃ ଭାଙ୍ଗିବାକୁ ଲାଗିଲା। ୨୦୧୭-୧୮ ଶିକ୍ଷା ବର୍ଷରୁ ଏହି ସ୍କୁଲ ଆନୁଷ୍ଠାନିକ ଭାବେ ବନ୍ଦ ହୋଇଗଲା। ତେବେ ଓଡ଼ିଶା ଭିତରେ ଥିବା କପାଶିରା ଗାଁର ପିଲା ହିନ୍ଦୀ ଭାଷା ପ୍ରତି ବେଶୀ ଆଗ୍ରହ ଦେଖାଉଛନ୍ତି। ଗାଁର କିଛି ପିଲା ଶଙ୍କରା ଗାଁକୁ ଯାଇ ହିନ୍ଦୀ ଟ୍ୟୁସନ ହେଉଛନ୍ତି। ବିଶେଷ କରି ହିନ୍ଦୀ ମାତୃଭାଷା ରଖିଥିବା ପିଲା ସେଠାକୁ ନିୟମିତ ଯାଉଥିବା ଦେଖାଯାଉଛି। ତେଣୁ ସୀମାନ୍ତ ଗାଁରେ ଓଡ଼ିଆ ଭାଷା ସଙ୍କଟ ଦେଇ ଗତି କରୁଥିବା ଜଳଜଳ ହୋଇ ଦିଶୁଛି।

ସମ୍ବନ୍ଧିତ ଖବର