କେନ୍ଦ୍ରାପଡା : ରାଜ୍ୟରେ କାର୍ଯ୍ୟରତ ନିୟମିତ ୧୩୭ ଜଣ ହିନ୍ଦୀ ଶିକ୍ଷକଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ସରକାରୀ ହାରରେ ବକେୟା ଦରମା ପ୍ରଦାନ ଦାବିକୁ ଏଡ଼ାଇ ଆସିଥିବା ଗଣଶିକ୍ଷା ବିଭାଗ ଏବେ ଅଡ଼ୁଆରେ ପଡ଼ିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଓଡ଼ିଶା ଟ୍ରିବ୍ୟୁନାଲରେ ସମସ୍ତ ନଥିପତ୍ର ସହ ହାଜର ହୋଇ ପାରି ନଥିବାରୁ ମାନ୍ୟବର ଟ୍ରିବ୍ୟୁନାଲ ଓଡ଼ିଶା ଗଣଶିକ୍ଷା ବିଭାଗ ଶାସନ ସଚିବ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ବିରୋଧରେ ୩ ହଜାର ଟଙ୍କା ଜରିମାନା ସହ ଜାମିନ୍ଯୁକ୍ତ ୱାରେଣ୍ଟ ଜାରି କରିଛନ୍ତି। ଜୁନ୍ ୧୬ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲରେ ହାଜର ହୋଇ ମାମଲା ଉପରେ ପକ୍ଷ ରଖିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।
ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ୧୪ ଜଣ ହିନ୍ଦୀ ଶିକ୍ଷକଙ୍କ ସମେତ ରାଜ୍ୟରେ ୧୩୭ ଜଣଙ୍କୁ ସରକାରୀ ବିଜ୍ଞପ୍ତି ଅନୁସାରେ ୧୯୯୬ରେ ନିଯୁକ୍ତି ଦିଆଯାଇଥିଲା । ସେମାନଙ୍କୁ ସେହି ବର୍ଷ ସେପ୍ଟେମ୍ବର ମାସରେ ଛଟେଇ କରି ଦିଆଗଲା। ୧୯୯୭ ଶିକ୍ଷକମାନେ ଓଡ଼ିଶା ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଶିକ୍ଷା ବିଭାଗ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କଲାନାହିଁ । ଏହା ପରେ ସେମାନେ ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଦାଏର୍ କରିଥିଲେ। ଏହା ପରଠାରୁ ସମସ୍ତଙ୍କୁ ଚାକିରିରୁ ବାହାର କରି ଦିଆଯାଇ ଥିଲା। ଏହି ଶିକ୍ଷକମାନେ ଏ ନେଇ ମାନ୍ୟବର ହାଇକୋର୍ଟ ଓ ଓଡ଼ିଶା ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ। ଇତିମଧ୍ୟରେ ୧୪ ବର୍ଷ ବିତି ଯାଇଥିଲା। ହାଇକୋର୍ଟ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମାକୁ କାଏମ୍ ରଖି ସମସ୍ତ ଶିକ୍ଷକଙ୍କୁ ନିୟମିତ ଭାବେ ନିଯୁକ୍ତି ଓ ଦରମା ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବଳରେ ସମସ୍ତ ଶିକ୍ଷକଙ୍କୁ ପୁନର୍ବାର ଜୁନ୍ ୨୦୧୧ ନିଯୁକ୍ତି ଦିଆଗଲା । ସେମାନେ ପାଠ ପଡ଼ାଇବା ସହ ଦରମା ପାଇ ୨୦୧୪ ଏପ୍ରିଲ ପର୍ଯ୍ୟନ୍ତ କାମ କରିଥିଲେ। ସେହି ସମୟ ମଧ୍ୟରେ ସମସ୍ତ ବକେୟା ଦରମା ମଧ୍ୟ ପ୍ରଦାନ କରାଯାଇଥିଲା । ପୁନର୍ବାର ୨୦୧୪ ଡିସେମ୍ବର ଛଟେଇ କରି ଦିଆଗଲା। ପୁନର୍ବାର ହାଇକୋର୍ଟରେ ସେମାନେ ଆବେଦନ କଲେ। ହାଇକୋର୍ଟ ପୁନର୍ବାର ଆଦେଶ ଦେବାରୁ ୨୦୧୫ରୁ ଏପ୍ରିଲ ୨୦୧୬ ପର୍ଯ୍ୟନ୍ତ ନିୟମିତ କାମ କରି ଦରମା ନେଇଥିଲେ । ତେବେ, ଏପ୍ରିଲ ୨୦୧୬ରୁ ଅଦ୍ୟାବଧି କୌଣସି ଦରମା କିମ୍ବା ନିଯୁକ୍ତି ମିଳିନାହିଁ। ଇତିମଧ୍ୟରେ କେତେକ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେକ ଅବସର ନେଇ ସାରିଲେଣି। ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମା ବିରୋଧରେ ସରକାର ହାଇକୋର୍ଟରେ ମଧ୍ୟ ଆବେଦନ କରି ନିରାଶ ହୋଇଥିଲେ। କୋର୍ଟ ଆଦେଶନାମାକୁ ଅବମାନନା କରିଥିବାରୁ ଏହାର ବିଚାର କରି ମାନ୍ୟବର ଟ୍ରିବ୍ୟୁନାଲ ଚଳିତବର୍ଷ ମେ’ ୧୫ ତାରିଖ ସୁଦ୍ଧା ହାଜର ହୋଇ ତାଙ୍କ ପକ୍ଷ ରଖିବାକୁ ଗଣଶିକ୍ଷା ଶାସନ ସଚିବ ଓ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ସେମାନେ ହାଜର ହୋଇ ନ ଥିବାରୁ ମାନ୍ୟବର ଟ୍ରିବ୍ୟୁନାଲ ଏହି ଦୁଇ ଅଧିକାରୀଙ୍କ ବିରୋଧରେ ଗତ ୧୫ ତାରିଖ ଦିନ ୱାରେଣ୍ଟ (ନିର୍ଦ୍ଦେଶନାମା ନଂ-୨୦) ଜାରି କରିଛନ୍ତି। ଗଣଶିକ୍ଷା ସଚିବ ଓ ନିର୍ଦ୍ଦେଶକ ୩ ହଜାର ଟଙ୍କା ଜରିମାନା ପ୍ରଦାନ ପୂର୍ବକ ବ୍ୟକ୍ତିଗତ ହାଜର ହୋଇ ଜାମିନରେ ମୁକୁଳି ପାରିବେ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/court-3.jpg)