ହିନ୍ଦୀ ଶିକ୍ଷକଙ୍କୁ ମିଳିଲାନି ପଦୋନ୍ନତି, ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଅଭିଯୋଗ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ରେ କାର୍ଯ୍ୟରତ ପ୍ରଶିକ୍ଷିତ ହିନ୍ଦୀ ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାର ସବୁ କ୍ଷେତ୍ରରେ ଅଣଦେଖା କରୁଥିବା ଅଭିଯୋଗ କରିଛି ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘ। ଗତ ୧୧ ତାରିଖରେ ରାଜ୍ୟର ୨୧୭୩ ଜଣ ଶିକ୍ଷକଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଯାଇଛି। ତେବେ ପରିତାପର ବିଷୟ ହେଉଛି ଯେ ପଦୋନ୍ନତି ଲାଗି ସମସ୍ତ ଯୋଗ୍ୟତା ଥବା ଜଣେ ବି ହେଲେ ହିନ୍ଦୀ ଶିକ୍ଷକଙ୍କୁ ପଦୋନ୍ନତି ମିଳି ନ ଥିବା ହିନ୍ଦୀ ଶିକ୍ଷକ ସଂଘ ଅଭିଯୋଗ ଆଣିଛି। ଏହା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ‌ଦେଇଛି ସଂଘ।

ନିଯୁକ୍ତି ସମୟରେ ଅନ୍ୟ ଶିକ୍ଷକଙ୍କ ସମାନ ଯୋଗ୍ୟତା ଥିବା ହିନ୍ଦୀ ଶିକ୍ଷକଙ୍କୁ ଜୁନିଅର ଏସ୍ଇଏସ୍‌ ବଦଳରେ ଏଲ୍‌ଏଇଏସ୍‌ କ୍ୟାଡରରେ ଉଦ୍ଦେଶ୍ୟମୂଳକ ଭାବେ ରଖାଯାଇଛି। ପ୍ରଶିକ୍ଷଣ ହିନ୍ଦୀ ଶିକ୍ଷକଙ୍କୁ ଜୁନିଅର ଏସ୍‌ଇଏସ୍‌ କ୍ୟ‌ାଡର ଭୁକ୍ତ କରିବାକୁ ସଂଘ ଦୀର୍ଘ ବର୍ଷ ହେଲା ଦାବି କରିଆସୁଛି। ହେଲେ ବର୍ତମାନ ପର୍ଯ୍ୟନ୍ତ ଶିକ୍ଷକମାନେ ବିଭାଗ ଦ୍ବାରା ଅବହେଳିତ ହେଉଛନ୍ତି। ଅନ୍ୟ ଶିକ୍ଷକମାନଙ୍କ ଭଳି ହିନ୍ଦୀ ଶିକ୍ଷକ ସମାନ ଆର୍ଥିକ ସୁବିଧା ପାଇ ଆସୁଥିଲେ ମଧ୍ୟ ରାଜ୍ୟ କ୍ୟାଡରଭୁକ୍ତ କରିବାକୁ ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ଫଳରେ ଅନେକ ବରିଷ୍ଠ ଶିକ୍ଷକ ପଦୋନ୍ନତି ପାଇବାରୁ ବଞ୍ଚିତ ହେଉଛନ୍ତି।

ଏଥିସହ କିଛି ବର୍ଷ ହେଲା ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ସହ ଧନ୍ଦାମୂଳକ ବିଷୟଗୁଡ଼ିକୁ କେଉଁ ସାମଞ୍ଜସ୍ୟ ଭିତ୍ତିରେ ଭାଷାର ବିକଳ୍ପ ବିଷୟରୂପେ ଯୋଡ଼ିଛନ୍ତି ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଧନ୍ଦାମୂଳକ ପାଠ୍ୟକ୍ରମରେ ୭୦ ମାର୍କ ପ୍ରାକ୍ଟିକାଲ ଓ ୩୦ ମାର୍କ ଥିଓରି ରହିଛି। ଫଳରେ ଛାତ୍ରଛାତ୍ରୀ ହିନ୍ଦୀ ଭାଷାରେ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତୁରନ୍ତ ପ୍ରଶିକ୍ଷିତ ହିନ୍ଦୀ ଶିକ୍ଷକଙ୍କୁ ଜୁନିଅର ଏସ୍‌ଇଏସ୍‌ କ୍ୟାଡର ଭୁକ୍ତ କରିବା ସହ ଧନ୍ଦାମୂଳକ ପାଠ୍ୟକ୍ରମକୁ ତୃତୀୟ ଭାଷାର ବିକଳ୍ପ ବିଷୟରୁ ଯଥାଶୀଘ୍ର ଅଲଗା କରନ୍ତୁ। ଯଦି ଏଦିଗରେ ତୁରନ୍ତ ଉଚିତ୍‌ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିଗରେ ଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର