ହିନ୍ଦୀ ଶିକ୍ଷକ ପଦ: ବଞ୍ଚିତ ହେବେ ହଜାର ହଜାର ଆଶାୟୀ

ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ, ସର୍ତ୍ତାବଳୀ ସଂଶୋଧନ ନହେଲେ ଅଦାଲତ ଯିବାକୁ ଚେତାବନୀ

ସମ୍ବଲପୁର : ରାଜ୍ୟର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ୧୯୫୨ଟି ହିନ୍ଦୀ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ଅର୍ଥ ବିଭାଗ ପକ୍ଷରୁ ଅନୁମତି ମିଳିସାରିଛି। କିନ୍ତୁ ୨୦୨୦ ମସିହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅଣାଯାଇଥିବା ନୂଆ ଶିକ୍ଷାଗତ ଯୋଗ୍ୟତା ପ୍ରସ୍ତାବରେ ପରିବର୍ତ୍ତନ କାରଣରୁ ହିନ୍ଦୀ ବିଏଡ୍‌ ସହ ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଟିଇଟି) ପାସ୍‌ କରିଥିବା ବହୁ ସଂଖ୍ୟକ ଆଶାୟୀ ପ୍ରାର୍ଥୀ ହିନ୍ଦୀ ଶିକ୍ଷକ ପଦ ପାଇଁ ଆବେଦନରୁ ବଞ୍ଚିତ ହେବେ। କାରଣ ୨୦୨୦ ମସିହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବରେ ତଥା ୨୦୨୧ ମସିହା ଓଏସ୍‌ଏସ୍‌ଟିଇଟି ପାଇଁ ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ କରାଯାଇଛି।

ଏହାଦ୍ବାରା ୨୦୧୪ ମସିହାରୁ ପୁରୁଣା ଯୋଗ୍ୟତା ରଖି ନିଜକୁ ହିନ୍ଦୀ ଶିକ୍ଷକ ପଦ ପାଇଁ ପ୍ରସ୍ତୁତ କରୁଥିବା ଆଶାୟୀମାନେ ପୂର୍ବରୁ ଓଏସ୍ଏସ୍‌ଟିଇଟି ପାସ୍‌ କରି ସାରିଥିଲେ ବି ନୂଆ ବାହାରିବାକୁ ଥିବା ପଦବି ପାଇଁ ଆବେଦନ କରିପାରିବେ ନାହିଁ ବୋଲି ଅଭିଯୋଗ କରିଛନ୍ତି। ୨୦୧୪ ମସିହାରେ ଗୃହୀତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତାବ ତଥା ବିଏଚ୍‌ଇଡି, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପରିଷଦ ଓଡ଼ିଶା ଦ୍ବାରା ହିନ୍ଦୀ ଶିକ୍ଷକ ପଦ ପାଇଁ ପ୍ରସ୍ତାବିତ ଶିକ୍ଷାଗତ ଯୋଗ୍ୟତା ‘କଳା, ବିଜ୍ଞାନ କିମ୍ବା ବାଣିଜ୍ୟରେ ସ୍ନାତକ ଡିଗ୍ରି ସହିତ ରାଷ୍ଟ୍ରଭାଷା ପ୍ରଚାର ସମିତି ୱାର୍ଧାରୁ ରାଷ୍ଟ୍ରଭାଷା ରତ୍ନ କିମ୍ବା ଓଡ଼ିଶା ରାଷ୍ଟ୍ରଭାଷା ପରିଷଦ ପୁରୀରୁ ଶାସ୍ତ୍ରୀ ବା ହିନ୍ଦୀ ଶିକ୍ଷା ସମିତି କଟକରୁ ସ୍ନାତକରେ ୫୦% ମାର୍କ (ଏସ୍‌ସି,ଏସ୍‌ଟି,ଏସ୍‌ଇବିସି, ଦିବ୍ୟାଙ୍ଗଙ୍କ ପାଇଁ ୪୫%) ତଥା ହିନ୍ଦୀ ଶିକ୍ଷକ ସଂସ୍ଥାନ ଆଗ୍ରାରୁ ହିନ୍ଦୀ ଶିକ୍ଷକ ପାରଂଗତ କିମ୍ବା ଓଡ଼ିଶାରୁ ବିଏଚ୍‌ଇଡି ବା ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭା ମାଡ୍ରାସରୁ ହିନ୍ଦୀରେ ବିଏଡ୍‌ ‌ଥିଲା। ଅର୍ଥାତ୍ ସାଧାରଣ ସ୍ନାତକ ସହ ରତ୍ନ ବା ଶାସ୍ତ୍ରୀ ବା ସ୍ନାତକରେ ୫୦% ନମ୍ବର ସହ ଆଗ୍ରା ବା ଓଡ଼ିଶା ବା ମାଡ୍ରାସ୍‌ ଦ୍ବାରା ପ୍ରଦତ୍ତ ବିଏଡ୍‌ ଡିଗ୍ରି ବଳରେ ଜଣେ ହିନ୍ଦୀ ଶିକ୍ଷକ ପଦ ନିମନ୍ତେ ଆବେଦନ ପାଇଁ ଯୋଗ୍ୟ ହେଉଥିଲା। ତେଣୁ ସାଧାରଣ ସ୍ନାତକ ଡିଗ୍ରିଧାରୀ ହିନ୍ଦୀ ଶିକ୍ଷକ ଚାକିରି ପାଇଁ ଅନ୍ୟ ଯୋଗ୍ୟତା ଗୁଡ଼ିକ ହାସଲରେ ନିଜର ମୂଲ୍ୟବାନ ସମୟ ବ୍ୟୟ କରିଥିଲେ।

ହେଲେ ୨୦୨୦ର ନୂତନ ପ୍ରସ୍ତାବ ଅନୁଯାୟୀ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ କରାଯାଇ ଏହାକୁ ସ୍ନାତକରେ ୫୦% ଏଗ୍ରିଗେଟ୍‌ ନମ୍ବର (ଏସ୍‌ସି,ଏସ୍‌ଟି,ଏସ୍‌ଇବିସି, ଦିବ୍ୟାଙ୍ଗଙ୍କ ପାଇଁ ୪୫%) ରଖାଯାଇଛି। ଏହା ସହିତ ୨୦୧୪ର ଅନ୍ୟ ଶିକ୍ଷାଗତ ଯୋଗ୍ୟତା ଗୁଡ଼ିକ ବି ମଗା ଯାଇଛି। ତେବେ ପୂର୍ବରୁ ଥିବା ରତ୍ନ, ଶାସ୍ତ୍ରୀ ବା ସ୍ନାତକରେ ୫୦% ନମ୍ବର ସର୍ତ୍ତକୁ କୋହଳ କରାଯାଇଛି। ଫଳରେ ଯେଉଁ ଆଶାୟୀ ପ୍ରାର୍ଥୀ ମାନେ ରତ୍ନ, ବିଏଚ୍‌ଇଡି ଆଦି ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ଓ ଓଏସ୍‌ଏସ୍‌ଟିଇଟି ପାସ୍‌ କରି ସାରିଛନ୍ତି ସେମାନେ ବି ଏବେ ସ୍ନାତକ (+୩) ରେ ୫୦% (ଏସ୍‌ସି,ଏସ୍‌ଟି,ଏସ୍‌ଇବିସି, ଦିବ୍ୟାଙ୍ଗଙ୍କ ପାଇଁ ୪୫%)ରୁ ଗୋଟିଏ କମ୍ ନମ୍ବର ଥିଲେ ଆବେଦନରୁ ବଞ୍ଚିତ ହେବେ। ଅପରପକ୍ଷରେ ସ୍ନାତକରେ ୫୦% ନମ୍ବର ରଖିଥିବା ପ୍ରାର୍ଥୀ ରତ୍ନ ବା ଶାସ୍ତ୍ରୀ ବା ସ୍ନାତକରେ କେବଳ ପାସ୍‌ କରିଥିଲେ ଆବେଦନ କରିପାରିବେ, ଯାହା କି ପୂର୍ବ ସର୍ତ୍ତ ଅନୁଯାୟୀ ସମ୍ଭବ ନଥିଲା। ସରକାର ଏହି ନୀତି ବା ସର୍ତ୍ତାବଳୀ ପରିବର୍ତ୍ତନ କରି ହଜାର ହଜାର ବେକାର ଯୁବକ, ଯୁବତୀଙ୍କ କ୍ୟାରିୟର୍‌ ସହ ଖେଳ ଖେଳୁଛନ୍ତି ବୋଲି ଆଶାୟୀ ହିନ୍ଦୀ ଶିକ୍ଷକ ପ୍ରାର୍ଥୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ପୁଣିଥରେ ୨୦୧୪ର ସର୍ତ୍ତାବଳୀ ଅନୁଯାୟୀ ଆବେଦନପତ୍ର ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ନଚେତ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର